କୈଶୋର:
ତମେ ବା ଜାଣିବ କିଆଁ
ମୁଁ କାହିଁକି ଚୁପ୍ଚାପ୍ ବସେ
ମନହେଲେ ଖେଳେବୁଲେ
ଆଇନାରେ ମୁହଁ ଦେଖେ, ଅକସ୍ମାତ୍-
ଆଇନାକୁ ପଥର ଫୋପାଡ଼େ
ତା’ପରେ ବାରମ୍ବାର
ମୁହଁ ଦେଖୁଥାଏ ସେଇମିତି
ଭଙ୍ଗା ଭଙ୍ଗା କାଚ ଟୁକୁରାରେ।
ଯୌବନ:
ଏଇସନ ଶ୍ରାବଣରେ ପରା
ତମକୁ ଯେ ପୁରିଲା ସତର
ଏଇତ ସମସ୍ତ ଫୁଲ ଫୁଟିବାର ବେଳ,
ମୋ ଆଖି ଯହିଁକି ଯାଏ
ନାନାରଙ୍ଗ ଫୁଲ/ପ୍ରଜାପତି
ତମେ କିନ୍ତୁ ବାସ୍ନାୟିତ ସେଇମିତି
ବର୍ଷାର ଅତର
ଜରା:
ତୁ’ ତୋର ପାରିଲାପଣରେ
କେତେବେଳେ ପୋଷେ ଅବା ଦି’ପୋଷ
ହାତଟେକି ଦେଉ
ଭଲପାଇବାର ନଈଟିଏ ଯେମିତି
ପିଚକାରୀର ସରୁ ମୁହଁବାଟେ
ଝରିଆସେ, ଓଦାକରେ ମତେ
ମୋ ଆଖିର ପତାକୁ
ଆଜିକାଲି ତୋର ବୟସ୍କ ସନ୍ତତିମାନେ
ପିଚକାରୀ ମାରିବାବେଳେ
ତୁ’ ଆଗକୁ ପଛକୁ ହୋଇ ଫେରିଚାହୁଁ
ଅତିପରିଚିତ ତୋର ଶୁଖିଲା ନଈକୁ।