ଧୂଳି ହୋଇ ମିଶିଛି ମାଟିରେ
କେତେ କେତେ ସମ୍ରାଟର ଘର
ସହସ୍ର ସମାଗମ ଯହିଁ
ସେଥି ଆଜି ଚରେ ବନେଚର।

କିନ୍ତୁ ଦୂରେ ଦରିଦ୍ର ପଲ୍ଲୀରେ
କୁଟୀମାଳା ହୋଇଅଛି ଛିଡ଼ା
ସାମ୍ରାଜ୍ୟର ଉତ୍‌ଥାନ ପତନେ
ଚାଲିଅଛି ଯହିଁ ନରକ୍ରୀଡ଼ା।

ପୁଣି କେତେ ଧନୀ, ମାନୀ, ରାଜା
ଆସି ପୁଣି ମିଶିବେ ମାଟିରେ
କାଳେ କାଳେ କିନ୍ତୁ ଥିବ ଚାଲି
ନରଳୀଳା ମାଟିର କୁଟିରେ।

ଦମ୍ଭୀ, ମାନୀ, ଧନିକ ଆଜିର
ଶେଷ ହେବ ଯେବେ ରେଣୁ ହୋଇ
ଚାଲିଥିବ ଗରା ଧରି କାଖେ
ଚଷାଝିଅ ନଈକି ଗାଧୋଇ।

ଦାମ୍ଭିକର ମାନ, ଅହଙ୍କାର
ଧନିକର ବିତ୍ତ, ଆଡ଼ମ୍ବର
ଦୂର୍ବାବୃତା ମାଟିର ଧରାରେ
ତାହାସବୁ ଅତି ଅବାନ୍ତର।

ତେଣୁ ଘଟେ ବିପର୍ଯ୍ୟୟ
ପ୍ରାସାଦରେ ଉଠେ ଦୂବଘାସ
କୁଟୀର ତ ମାଟିର କୁଟୁମ୍ବ
ତେଣୁ ତାର ନୁହେଁ ବଂଶ ନାଶ।

– 0 –

ଏହି କବିତାଟି ୧୯୬୬ ମସିହାରେ ପ୍ରକାଶିତ,ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକଭାବେ ପ୍ରଚଳିତ ‘ସାହିତ୍ୟ ପ୍ରସୂନ’ ପୁସ୍ତକରୁ ଆନୀତ