ଦୂରେ ତାଳବଣ ଆକାଶେ ଶୁଣାଏ
ମାଟିର କବିତା କି ସେ
ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ।
କ୍ଷେତ ପରେ କ୍ଷେତ କାଶଫୁଲ ଆଉ
ବେଣାରେ ଜଟିଳା ପାଟ,
ପାଟ ପରେ ବଣ, ବଣ ପାରି ହେଲେ
ମାମୁଁଘର ଗାଆଁ ଦିଶେ। ।୧।

ପଥର ସେ ପାଖେ ବୁଣା ହରଡ଼ ଓ ବୁଟ
ଆଗରେ ଚାରଣ ପଡ଼ିଆ ଗୋରୁର ଗୋଠ
ଶିମୁଳି ଶାଖାରେ, ବାହୁନେ କପୋତୀ,
‘ଉଠ୍‌ ପୁତ ଉଠ୍‌-ଉଠ୍‌ ପୂରିଲାଣି ମାଣ’
ଏ ପାଖେ କଇଁର ପୋଖରୀ ଗାଧୁଆ ତୁଠ। ।୨।

ଭୁଆସୁଣୀ ମାଜେ ପାଦର ପାହୁଡ଼ ଏଥି
ମୁକୁଳା ବେଣୀରେ ପଖାଳେ ଦେଇଣ ମେଥି,
ନଣନ୍ଦ ତାହାର ଅଧିକ ଚାତୁରୀ
ଗାଲରେ ଅଧିକ ମାଖେ
ହଲିଲା ପାଣିରେ ମୁହଁର ଛାଇକି ଦେଖି। ।୩।

ପୋଇଶାଗ ଆଉ ପାଣିକଖାରୁ ଲତା
ମାଡ଼ି ମାଡ଼ି ଆସି ଟପିଲାଣି ଘର ମଥା
ସଜନାର ଶାଖୁଁ, ଝରିପଡ଼େ କେତେ ଫୁଲ
ବାଡ଼ ଦେହେ ପୁଣି ଅପରାଜିତାର ଛଟା। ।୪।

ସେଇ ପଥେ ଫେରେ ଗ୍ରାମବଧୂ ସାରି
ସକାଳ ସ୍ନାହାନ ଏକା
ଧୂଳିରେ ଆଙ୍କି ସଜଳ ଚରଣ ରେଖା
ମାଆ ବୋଲି ଥରେ ଡାକିବାକୁ ପ୍ରାଣ ଲୋଡ଼େ,
ପୃଥିବୀର ସମ ସହନଶୀଳା ସେ,ଅସୀମ କରୁଣାବତୀ
ନୟନେ ଶତେକ ଯୁଗର ବେଦନା ଲେଖା। ।୫।

ଏ ପଥେ ଗ୍ରାମର ତରୁଣ ବିଦେଶେ ଯାଏ
ଲେଉଟ ପଥକୁ ନୂତନା ଘରଣୀ
ଆକୁଳ ଅନାଇ ଥାଏ।
କି ବାରତା ତାରେ ଆଣେ, କିଏ ଜାଣେ,
ଆଧାର ଲୋଭୀ ଏ କାକ!
ଏ ଗ୍ରାମଦେବତୀ, ସେ ବ୍ୟଥା ବୁଝେ କି ହାୟ! ।୬।

ଏ ପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୂ
ବିତରି ବୁକୁର ମମତା ମୁଖର ମଧୁ
ପୁଅ ଝିଅ ନାତି ନାତୁଣୀରେ ରଖି
ମଶାଣି ଏ ପଥେ ଫେରେ
ଆସିବା ଜନର ସାକ୍ଷୀ ଏ ପଥ,ଫେରିବା ଜନର ବନ୍ଧୁ। ।୭।

ଜହ୍ନ ଏ ପଥେ ଢାଳଇ ରଜତ ମାୟା
କୁମାରୀ ଦଳର ମିଳିତ କଣ୍ଠୁ
ସଙ୍ଗୀତ ଉଠେ ଆହା,
ଧାନକ୍ଷେତ ଚଳେ, କୃଷକ ତରୁଣ
ରାତ୍ରି ଶୟନ ପାଇଁ
ପ୍ରାନ୍ତର ଡେଇଁ ଧାଏଁ ଦେଖେ,
ଦେଖେ ଭସାଣୀ ମେଘର ଛାୟା। ।୮।

ଧୂଳିଘର ଛାଡ଼ି ଏ ପଥେ ଚଳଇ
ଶାଶୁଘର ଗାଆଁ ଝୁଅ
ମାଆର ପଣତେ ବନ୍ୟା ରଚଇ,
ଅମାନିଆ ଆଖି ଲୁହ
ଏ ପଥର ସ୍ମୃତି ଚେତନା ଲେଖଇ
ସେ କେଉଁ ଜନମ କଥା।
ଛାତି ଫାଟିଯାଏ କ୍ରନ୍ଦନେ ତାର
ବିଧାତା କିପାଇଁ ଏ ବିଧାନ କଲା କୁହ। ।୯।

ଶ୍ୟାମ ପ୍ରାନ୍ତରେ ଉଲଙ୍ଗ ଶିଶୁ ସମ,
ଏ ପଥ ଘୁମାଏ, ନୀଳନଭେ ଯଥା ଛାୟାପଥ ମନୋରମ।
ଗ୍ରାମ ଝରଣାରେ ଲଙ୍ଘି ଏ ପଥ, ସରଗ ସୀମାକୁ ଧାଏଁ,
ସନ୍ନ୍ୟାସୀ ସେ କି ବିତରି କରୁଣା ଧନ। ।୧୦।

ବନ୍ଦନା ତତେ କଇଁ’ରେ ଗ୍ରାମପଥ!
ବାଳକ ବେଳର ହେ ମୋ ପ୍ରିୟ ସାଥି,ଅୟୁତ ଦଣ୍ଡବତ,
ତରୁଣ ଦିନର କେଳି କୁଞ୍ଜ, ତୋ-ତନୁ କର୍ପୂର ରେଣୁ,
ତୋର ବେଣୁବନ ବିତାନେ ମୁଁ ଆଜି
କ୍ଳାନ୍ତ ଦିବସ ଯାପନରେ ଉପଗତ। ।୧୧।

ଭିକ୍ଷାଶୀ ପ୍ରାଣ ପିଡ଼େ, ମତେ ଅହରହ
ପାଥେୟ ବିହୀନ ପଥିକ ମୁଁ ମଣେ,ଯାତ୍ରା ଦୁରୁବହ,
ଖଇ ଓ ତୂଳାରେ ଶୁଭ୍ର କରି ତୋ ତନୁ
ରାମ ନାମ ସତ ମନ୍ତ୍ରେ ଚଳିବି, ତୋ ତୀର ଶ୍ମଶାନେ
କେବେ କହ କେବେ କହ। ।୧୨।