ସେତେବେଳକୁ ବେଳ ରତରତ ହୋଇଆସୁଛି। ନିକଟବର୍ତ୍ତୀ ପାହାଡ଼ ଉଢ଼ାଳରେ ସୂର୍ଯ୍ୟ ଲୁଚିଯାଇଛି, କିନ୍ତୁ ତା’ର ରକ୍ତିମ ଆଭା ପଶ୍ଚିମାକାଶରେ ଖେଳେଇ ହୋଇପଡ଼ିଛି। ଶିକାରୀ ଦ୍ବୟ ଜୀବଦେହର ଲାଲ ରକ୍ତ ଦେଖିବାର ଅଭିଳାଷୀ, ଏ ଦିଗରେ ନଜର ନାହିଁ। ତେଣେ କିନ୍ତୁ ପୂର୍ବଦିଗ ମେଘାଚ୍ଛନ୍ନ କରି ଅନ୍ଧାର ଘୋଟିଆସିଲାଣି। ପୃଥିବୀ ଉପରେ ଏମାନଙ୍କର ଦୃଷ୍ଟି, ଆକାଶ ସହିତ ସମ୍ପର୍କ କ’ଣ? ଚାକର ତିନିଜଣ ଏ ଦୂର୍ଯ୍ୟୋଗ ଦେଖି ହସଖୁସିରୁ ବିରତ ହୋଇ ଶିକାରୀଙ୍କ ଅନ୍ବେଷଣରେ ବାହାରିଲେ। ଗଭୀର ଜଙ୍ଗଲରେ ଦିବସରେ ମଧ୍ୟ ସେମାନଙ୍କୁ ଖୋଜି ପାଇବା ଅସମ୍ଭବ। ଅନ୍ଧାରରେ ଶିକାରୀ ଦ୍ବୟ ଏକାବେଳେ ଦୁଷ୍ପ୍ରାପ୍ୟ ହୋଇ ଉଠିଲେ।
ଭାବୀ ବୃଷ୍ଟିର ଶୀତ ପବନ ଯେତେବେଳେ ଦେହରେ ଲାଗିଲା, ଶିକାରୀ ଦ୍ବୟ ଫେରି ଚାହିଁଲେ, ଅକସ୍ମାତ୍ ବୃଷ୍ଟିର ଆୟୋଜନ। ତମ୍ବୁ ନିକଟରୁ ତିନି ଚାରି ମାଇଲ ଦୂରବର୍ତ୍ତୀ ହୋଇପଡ଼ିଛନ୍ତି। ସୁତରାଂ ବର୍ଷା ପୂର୍ବରୁ ତମ୍ବୁ ଧରିବା ଅସମ୍ଭବ। ଅଗତ୍ୟା ବନ୍ଧୁକ-ସ୍କନ୍ଧ ହୋଇ ଦୁଇବନ୍ଧୁ ମିଲିଟାରୀ ଡବଲ୍ ମାର୍ଚ୍ଚ ଆରମ୍ଭ କରିଦେଲେ। ଗୁଳି ସମ୍ମୁଖରେ ମୃଗର ତ୍ରସ୍ତକାତର ପଳାୟନ ଏବଂ ଶିକାରୀର ଆହ୍ଲାଦ ଧ୍ବନି ଓ ଅନୁଧାବନ ଏ ସମୟରେ ସେମାନଙ୍କର ଅନୁଭୂତି ହେଲା ନାହିଁ, କିନ୍ତୁ ଠିକ୍ ସେହିପରି ହୁ-ହୁ ଆନନ୍ଦଧ୍ବନି କରି ମେଘ ସେମାନଙ୍କୁ ଆକ୍ରମଣ କଲା। କୌଣସି ଦିଗରେ ନିକଟରେ ଆଶ୍ରୟ ନାହିଁ। ଚତୁର୍ଦ୍ଦିଗ ଅନ୍ଧକାରାଚ୍ଛନ୍ନ। ଘୂର୍ଣ୍ଣିବାୟୁ ସନ୍ନିକଟ ଅରଣ୍ୟାନୀ ମଧ୍ୟରେ ମହାକ୍ରନ୍ଦନରୋଳ ଉପୁଜାଇ ଦେଲା। ଅତି କଷ୍ଟରେ ସନ୍ତର୍ପଣରେ ଦୁଇଜଣ ବାଟ ଖୋଜିଖୋଜି ଚାଲିଲେ। ପରିଚ୍ଛଦ ସବୁ ଓଦା ହୋଇ ଚାରିମହଣ ଭାରି ହୋଇଗଲା। ଦୀର୍ଘନିଃଶ୍ବାସ ଛାଡ଼ି ତମ୍ବୁରେ ପହଞ୍ଚିଲାବେଳକୁ ରାତି ଆଠଟା।
ନୈଶଭୋଜନର କୌଣସି ବନ୍ଦୋବସ୍ତ ନାହିଁ, ତାହାହିଁ ବର୍ତ୍ତମାନ ବିଶେଷ ଭାବନାର ବିଷୟ ହୋଇପଡ଼ିଲା। ଶିକାର ତ କିଛି ହେଲା ନାହିଁ। ଆଉ ମଧ୍ୟ ପରଦିନ ପ୍ରାତଃରୁ ଏ ସ୍ଥାନ ଛାଡ଼ିବାର ବରାଦ ଥିବାରୁ ଏବଂ ଶିକାର ପାଇବା ବିଷୟରେ କୌଣସି ସନ୍ଦେହ ନ ଥିବାରୁ ପୂର୍ବରୁ ନୈଶଭୋଜନ ପାଇଁ କୌଣସି ଆୟୋଜନ କରାଯାଇ ନଥିଲା। ବର୍ତ୍ତମାନ ଆଉ ଉପାୟ ନାହିଁ। ଜମିଦାରଙ୍କ ଉଆସ ଏଠାକୁ ବାର ଚୌଦମାଇଲ ଦୂର। ମଟର ରାସ୍ତା ତ ବର୍ଷାଜଳରେ ଅଗମ୍ୟ ହୋଇପଡ଼ିଥିବ। ନିକଟବର୍ତ୍ତୀ ସେପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ସାହେବ ଓ ଜମିଦାରବାବୁଙ୍କ ଆହାରୋପଯୋଗୀ କିଛି ହେଲେ ମିଳିବ, ମାଂସ ନ ହେଲେ ଯେ ଅନାହାର। ଆଜି ପୁଣି ଏତେ ବିପଦ ସହ୍ୟ କରାଯାଇଛି। ସମସ୍ତଙ୍କର ଭାବନା ପଡ଼ିଗଲା।
ଜମିଦାର ବାବୁଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କଲେ ହେଁ ସାହେବଙ୍କର ମଧ୍ୟ ଭାବନା ପଡ଼ିଲା। କାରଣ ଶିକାର କରିବାକୁ ଯିବାବେଳେ ଜମିଦାରବାବୁ ଲୋକ ପଠାଇ ମାଂସର ଆୟୋଜନ କରିବାକୁ ଯାଉଥିଲେ। ସାହେବ କିନ୍ତୁ ଶିକାର ନିଶ୍ଚୟ ମିଳିବ କହି ତାଙ୍କୁ ସେ ସବୁ ଆୟୋଜନରୁ ନିବୃତ୍ତ କରାଇଥିଲେ। କରାଯାଏ କ’ଣ? ଜମିଦାରବାବୁ ଅଯଥା ବେଠିଆ ଚାକରଗୁଡ଼ାକ ଉପରେ କ୍ରୁଦ୍ଧ ହେଲେ।
ଏସବୁ ଦେଖି ସାହେବ ଟିକିଏ ମୁରୁକିହସା ଦେଇ କହିଲେ, ‘Well, let me device some means of the dinner’. (ଆଚ୍ଛା, ରାତ୍ରିଭୋଜନର ଗୋଟାଏ ବ୍ୟବସ୍ଥା କରାଯାଉ।)
ଜମିଦାରବାବୁ ସେହି ହାସ୍ୟର ଉତ୍ତର ହାସ୍ୟରେ ପ୍ରଦାନ କରି କହିଲେ, ‘Well’ I ସାହେବ କହିଲେ, ‘Won’t you mind to spare your heart? I will make a sumptuous feast and you can have a lot of them from the jungles. Don’t you like idea?’
(ଆପଣଙ୍କ ହରିଣଟିକୁ ଦେବାକୁ କିଛି ଆପତ୍ତି ଅଛି କି? ଏହା ବେଶ୍ ସୁନ୍ଦର ଆହାର ହେବ ଏବଂ ଜଙ୍ଗଲରୁ ଆପଣ ସେଥିରୁ ଅନେକ ପାଇପାରିବେ। କିପରି କଥାଟା ଭଲ ଲାଗୁନାହିଁ?)
ଜମିଦାରବାବୁ କ’ଣ ଭାବୁଥିଲେ। ସାହେବଙ୍କ ବାକ୍ୟ ଶେଷ ହେବାର ଦେଖି ହଠାତ୍ ଚମକି ପଡ଼ି ଉତ୍ତର କଲେ, ‘Oh, yes, it’s a fine idea!’ (ଠିକ୍ କହିଛନ୍ତି)। ଜମିଦାରବାବୁ ସମ୍ଭ୍ରାନ୍ତ ବନ୍ଧୁ ଓ ଅତିଥିଙ୍କ କଥାରେ ଅମତ ହୋଇପାରିଲେ ନାହିଁ, କିନ୍ତୁ ଜଲି କଥା ଶୁଣି ହୃଦୟଟା କାହିଁକି ଦପ୍କରି ପଡ଼ିଗଲା। ଜଲି ପ୍ରତି ତାଙ୍କର ଟିକିଏ ବିଶେଷ ମମତା ଜନ୍ମିବାର କାରଣ ଅଛି। ଦିନେ ଅନ୍ୟ ଏକ ବିଦେଶୀୟ ବନ୍ଧୁଙ୍କ ସମକ୍ଷରେ ନିଜ ଶିକାର-କୌଶଳର ତାରିଫ୍ ଦେଖାଇବାକୁ ଯାଇ ସେ ଜଲିକୁ ପାଇଥିଲେ। ସେତେବେଳେ ତା’ର ମା’ ତାକୁ ସ୍ତନ୍ୟପାନ କରାଉଥିଲା। ଜମିଦାରବାବୁଙ୍କର ଗୁଳି ବସି ମାଆଟି ଢ଼ଳିପଡ଼ିଲା, କିନ୍ତୁ ନିର୍ବୋଧଶିଶୁ ନିର୍ଭୟରେ ଠିଆହୋଇ ରହିଲା। ଜମିଦାରବାବୁଙ୍କ ଲୋକ ଯେତେବେଳେ ତାକୁ ଧରିବାକୁ ଗଲେ, ମା’ ନିକଟରେ ଅଛି ବୋଲି ସେ ନିଃଶଙ୍କ ଭାବରେ ଦଣ୍ଡାୟମାନ ରହିଲା। ବିଦେଶୀୟ ବନ୍ଧୁଙ୍କଠାରୁ ଏହି ଶିକାର-କୌଶଳରେ ଯଥେଷ୍ଟ ବାହାବା ପାଇଲେ ହେଁ, ଏହି କ୍ଷୁଦ୍ର ଶିଶୁର ନିର୍ବୋଧ ଆଖି ଦିଓଟିକି ଚାହିଁ ତା’ର ମାତୃହନ୍ତା ଜମିଦାରବାବୁଙ୍କର ତା’ ପ୍ରତି ସେହିଦିନୁ ଗୋଟିଏ କିପରି ବାତ୍ସଲ୍ୟ ଓ ଶ୍ରଦ୍ଧା ଜନ୍ମି ଯାଇଥିଲା।
ଜଲିକୁ ହତ୍ୟା କରି ଦିନେ ତା’ର ମାଂସ ଭକ୍ଷଣ କରିବାକୁ ହେବ, ଏକଥା ସେ କେବେ କଳ୍ପନା କରି ପାରି ନଥିଲେ। ବର୍ତ୍ତମାନ ସେହି ପରାମର୍ଶ ଶୁଣି ଜମିଦାରବାବୁଙ୍କ ଶିକାରୀ ଅନ୍ତର ମଧ୍ୟ କିପରି ଟିକିଏ ଦବିଗଲା। ତାହା ବୋଲି ଏତେ ବଡ଼ ସମ୍ଭ୍ରାନ୍ତ ଅତିଥିଙ୍କୁ କ’ଣ ନାହିଁ କରି ଦିଆଯାଇପାରେ? ଜମିଦାରବାବୁଙ୍କର ସମ୍ମତି ପାଇ ସାହେବ ମହାନନ୍ଦରେ ନିଜେ କାଟିବାକୁ ଉଦ୍ୟତ ହେଲେ। ନିଜ ହାତରେ କିଛି ହେଲେ ଶିକାର ନ କଲେ ସେଦିନ ସାହେବଙ୍କ ମନଟା ଭଲ ରହେ ନାହିଁ। ଯୁଦ୍ଧରେ ବହୁତ ଲୋକଙ୍କର ପ୍ରାଣ କ୍ଷୟ କରିଥିଲେ ବୋଲି ତାଙ୍କର ବଡ଼ ସୁଖ୍ୟାତି ଅଛି। ଶୁଣାଯାଏ, କୌଣସି ଦିନ ଶିକାର ନ ମିଳିଲେ ସେହି ଉଦ୍ଦେଶ୍ୟରେ ପାଳିତ କୁକ୍କୁଟ ପ୍ରଭୃତି ଗୋଟାଏ କିଛି ଜୀବ ବଧ କଲେ ଯାଇ ତାଙ୍କ ମସ୍ତିଷ୍କ ଥଣ୍ଡା ରହେ। ଏହି ଅଭ୍ୟାସକୁ ତାରିଫ କରି ତାଙ୍କ ସ୍ତ୍ରୀ କୁଆଡ଼େ ବହୁବାର କହିଛନ୍ତି ଯେ, ଦିନେ କିଛି ଶିକାର କରିବାକୁ ନ ପାଇ ସାହେବ ନିଜର ବେକ କାଟିବାକୁ ଉଦ୍ୟତ ହେଉଥିଲେ।
ଜଲି ଓ ଡୋରା ଏକ ଅପରର କୋଳରେ ମୁହଁ ଗୁଞ୍ଜିଦେଇ ମହା ଆରାମରେ ନିଦ୍ରା ଯାଇଛନ୍ତି। ସେ ସମୟରେ ଅପରିଚିତ କୌଣସି ଲୋକ ଡୋରା ନିକଟକୁ ଯିବାକୁ ସାହସ କରିବା ବଡ଼ ଦୁରୂହ। ବିଶେଷତଃ ଡୋରା ଓ ଜଲି ଏକସଙ୍ଗରେ ଥିବାବେଳେ ଜମିଦାରବାବୁଙ୍କ ମାଧିଆ ଚାକର ବ୍ୟତୀତ ଅନ୍ୟ କାହାରି ସେମାନଙ୍କ ପାଖ ପଶିବାର ଉପାୟ ନାହିଁ। ଜମିଦାରବାବୁଙ୍କର ଇଙ୍ଗିତରେ ଜଲିକୁ ଆଣିବା ଲାଗି ମାଧିଆକୁ ଯିବାକୁ ହେବ। ତା’ ପଦଶବ୍ଦ ଶୁଣି ଡୋରା ଚେଇଁଉଠି ଭୁକିଲା।
ମାଧିଆ ଚୁପ୍ କହିବାରୁ ସ୍ବର ବାରିପାରି ସେ ସ୍ଥିର ହୋଇ ରହିଲା, କିନ୍ତୁ ମାଧିଆ ଯେତେବେଳେ ଜଲିକୁ ଉଠାଇ ତାକୁ ସଙ୍ଗରେ ଆଣିବାକୁ ଗଲା, ସେତେବେଳେ ଡୋରା ତା’ ସହିତ ଆସିବାଲାଗି ଅସ୍ଥିର ହୋଇଉଠିଲା।
ଅଗତ୍ୟା ମାଧିଆକୁ ଜଲି ସଙ୍ଗେ ସଙ୍ଗେ ଡୋରାର ଶିକୁଳି ଧରି ଆଣିବାକୁ ହେଲା। ଡୋରାର ବୁଦ୍ଧି ଅସମ୍ଭବ ରୂପେ ପ୍ରଖର ହେଲେହେଁ ଏ ସମୟରେ ଜଲିକୁ ତା’ ନିକଟକୁ ଧରିନେବାର କାରଣ ସେ ପ୍ରଥମେ ବୁଝିପାରିଲା ନାହିଁ। ମାଧିଆ ନିଜେ ଡୋରାକୁ ଧରି ଜଲିକୁ ଖାନ୍ସମାମାନଙ୍କୁ ଦେଲା। ଡୋରାର ମନରେ ସନ୍ଦେହ ହେଲା। ତଥାପି ସେ ତୁନି ହୋଇଥାଏ। ସାହେବ ସ୍ବୀୟ ଆତତାୟୀ ପ୍ରକୃତିର ତର୍ପଣ କରିବାଲାଗି ଉଦ୍ୟତ ହେଲେ। ଛୁରିର ଫଳକ ଆଲୋକପାତରେ ଚକ୍ମକ୍ ହୋଇଉଠିଲା।
ଖାନ୍ସମା ଦୁଇଜଣ ଜଲିର ଗୋଡ଼ ବାନ୍ଧି ତାକୁ ସ୍ଥିର କରି ଠିଆ କରାଇଲେ, ଯେପରି ଛୁରି ଚାଲିବା ସମୟରେ ସେ କୌଣସି ରକମ ହଲଚଲ ହୋଇ ସାହେବଙ୍କର ଅସୁବିଧା ନ ଘଟାଏ। ଜଲିର ଭାବନା କ’ଣ? ସେ ତା’ର ଜୀବନର ପ୍ରଭୁ ଜମିଦାରବାବୁ ଏବଂ ସକଳ ଦୁଃଖ-ବିପଦରେ ଆବାଲ୍ୟ ପରମ ବନ୍ଧୁ ଡୋରାକୁ ଦେଖି ନିର୍ଭୀକଭାବେ ଠିଆ ହୋଇଥାଏ ଏବଂ ପାଦଦିଓଟି ବନ୍ଧା ହେବାକୁ ଥରେ ତା’ର ଦୁଃଖସୁଖର ସାଥୀ ଡୋରା ଏବଂ ଥରେ ତା’ର ଆଶୈଶବ ବିଶ୍ବାସୀ ପ୍ରଭୁଙ୍କ ପ୍ରତି ଦୃଷ୍ଟି ପକାଉଥାଏ। ଜମିଦାରବାବୁ ବନ୍ଧୁଙ୍କ ପତ୍ନୀ ଓ କନ୍ୟାଙ୍କ ନିକଟରେ ଖୁସିଗଳ୍ପରେ ନିମଗ୍ନ ଥାଆନ୍ତି।
ତଥାପି ତାଙ୍କ ଭିତରୁ କିଏ କହିଦେଇଥାଏ, ଜଲି ପ୍ରତି ଟିକିଏ ଦୃଷ୍ଟି ପକାଇବାକୁ। ସେ ଚାହିଁ ନ ଚାହିଁଲା ହୋଇ ହସଖୁସିରେ ନିମଗ୍ନ ଥାଆନ୍ତି। ତାକୁ ଚାହିଁଲେ ସେ ମନୁଷ୍ୟ ଭାଷାରେ ଯେପରି କିଛି ପ୍ରକାଶ କରିଦେବାକୁ ଯିବ ଏବଂ ସେଥିରେ ସେ ଦୋଷୀ ସାବ୍ୟସ୍ତ ହେବେ, ଆଉ ତାଙ୍କ ସୁନାମରେ ବାଧା ଘଟିବ। ସାହେବଙ୍କ ହାତରେ ଛୁରି ଦେଖି ଡୋରାର ସନ୍ଦେହ କ୍ରମେ ଦୃଢ଼ୀଭୂତ ହେବାକୁ ବସିଲାଣି।
ସାହେବଙ୍କ ହାତରେ ଛୁରି ପରିଷ୍କାର କରି ଯେତେବେଳେ ଆସନରୁ ଉଠିଲେ, ଜମିଦାରବାବୁଙ୍କ ଦୃଷ୍ଟି ହଠାତ୍ କାହିଁକି ଜଲି ଉପରେ ପଡ଼ିଲା ଏବଂ ତାଙ୍କର ମନେହେଲା, ଜଲି ଅନେକ କ୍ଷଣ ହେଲା ତାଙ୍କୁ ଏହିପରି କାତର ଦୃଷ୍ଟିରେ ଚାହିଁ ଜୀବନଭିକ୍ଷା କରୁଚି। ଜମିଦାରବାବୁ କ’ଣ ଗୋଟାଏ ବାହାନାରେ ଆସନ ଛାଡ଼ି ତମ୍ବୁ ମଧ୍ୟକୁ ଚାଲିଗଲେ, ଡୋରା କିନ୍ତୁ ଜଲିର ମିନତି ଶୁଣିଲା। ଆବାଲ୍ୟ ଆଶ୍ରୟଦାତା ପ୍ରଭୁଙ୍କଠାରୁ ହତାଶ ଦୃଷ୍ଟି ଫେରାଇ ଜଲି ଯେତେବେଳେ ତା’ର ପ୍ରିୟ ସହଚର ଡୋରାକୁ ଚାହିଁଲା, ଡୋରା ପ୍ରାଣରେ ତାହା ବାଜିଲା। ସାହେବଙ୍କ ହାତରେ ନୃଶଂସ ଛୁରିକା ଦେଖି ଡୋରାର ଆଉ ବୁଝିବାକୁ ବାକି ରହିଲାନାହିଁ। ଏହି ସ୍ଥଳୀରେ କେତେ ଛେଳି, ହରିଣ କଟାଯାଇଥିବାର ନିଜେ ଦେଖିଛି। ତା’ର ପ୍ରାଣପ୍ରିୟ ଜଲିର ଦଶା ତାହା ହିଁ ହେବ, ଏଥିରେ ଆଉ ତା’ର ସନ୍ଦେହ ନାହିଁ।
ସାହେବ ଯେତେବେଳେ ଛୁରି ଧରି ଓହ୍ଲାଇ ଆସିଲେ, ତତ୍କ୍ଷଣାତ୍ ଡୋରା ଗୋଟାଏ ଝିଙ୍କାରେ ମାଧିଆ ହାତରୁ ମୁକ୍ତି ପାଇ ସଙ୍ଗେସଙ୍ଗେ ଜଲିକୁ ଧରିଥିବା ଜଣେ ଖାନ୍ସମାକୁ ଆଘାତ କଲା। ସାହେବ, ଚାକର, ଖାନ୍ସମା ପ୍ରଭୃତି ଇତସ୍ତତଃ ହୋଇ ଦ୍ରୁତଗତିରେ ତମ୍ବୁ ମଧ୍ୟରେ ପ୍ରବେଶ କଲେ। ଜମିଦାରବାବୁ ତମ୍ବୁ ମଧ୍ୟରେ ଅନ୍ୟମନସ୍କ ଥିଲେ। ସାହେବଙ୍କର ଏ ଦୁର୍ଦ୍ଦଶା ଦେଖି, ସଙ୍ଗେ ସଙ୍ଗେ ତାଙ୍କୁ କ୍ଷମା ମାଗିଲେ ଏବଂ ମାଧିଆ ଉପରେ କ୍ରୋଧରେ ଜଳିଉଠିଲେ। ତଥାପି ଅନ୍ତରର କି ଗୋଟିଏ ଅବ୍ୟକ୍ତ ବ୍ୟଥା ତାଙ୍କ କଥାରୁ ପ୍ରକାଶ ପାଉଥିଲା।
ମାଧିଆ ଅତି କଷ୍ଟରେ ନିଜେ ଡୋରାଦ୍ବାରା ଆଘାତପ୍ରାପ୍ତ ହୋଇ ଗୋଟାଏ ଗଛରେ ନେଇ ତାକୁ ଉତ୍ତମରୂପେ ବାନ୍ଧିଦେଲା। ସାହେବ ହସିହସି ଛୁରି ହାତରେ ପୁନଶ୍ଚ ତମ୍ବୁ ମଧ୍ୟରୁ ବାହାରିଲେ। କୌତୁକ କରିବା ଛଳରେ ଆବଦ୍ଧ ଡୋରାକୁ ଛୁରି ଦେଖାଇ ଜଲି ଅଭିମୁଖରେ ଚାଲିଲେ। ଜମିଦାରବାବୁ ଦେଖିଲେ, ଜଲି ପୂର୍ବପରି ସେହି କାତର ଦୃଷ୍ଟିରେ ତାଙ୍କ ପ୍ରତି ଚାହିଁ ସାହାଯ୍ୟ ଭିକ୍ଷା କରୁଛି। ସେ ହଠାତ୍ ଉଠିପଡ଼ି ସାହେବ ବନ୍ଧୁଙ୍କୁ କ’ଣ କହିବାକୁ ଯାଉଥିଲେ। ଇସ୍, ‘ମୁଁ କ’ଣ ପାଗଳ’ କହି ପୁଣି ଆସନ ଗ୍ରହଣ କଲେ।
ସେ ସ୍ଥାନରୁ ଉଠି ଦୂରକୁ ଯିବାକୁ ତାଙ୍କର ଇଚ୍ଛା ହେଉଥିଲେ ହେଁ, ସାହେବ କିଛି ମନେ କରିପାରନ୍ତି, ଏହି ଆଶଙ୍କାରେ ସେ ଚେଷ୍ଟାରୁ କ୍ଷାନ୍ତ ହେଲେ। ସାହେବ ଜଲି ନିକଟକୁ ଆସିବାର ଦେଖି ଜମିଦାରବାବୁ ରୁମାଲ କାଢ଼ି ମୁହଁ ଘୋଡ଼ାଇଲେ। ଡୋରାର ଭୀତ ବ୍ୟାକୁଳ କ୍ରନ୍ଦନ ତାଙ୍କ କର୍ଣ୍ଣରେ ପ୍ରବେଶ କରୁଥାଏ। ତାହାରି ମଧ୍ୟରେ ସେ ଶୁଣିପାରିଲେ ଗୋଟିଏ ଋଦ୍ଧକଣ୍ଠର ବିଳାପ। ସେ ଧ୍ବନି କେବଳ କର୍ଣ୍ଣରେ ନୁହେଁ, ମର୍ମସ୍ଥଳୀରେ ପ୍ରବେଶ କଲା। ସେ ସ୍ବର ଜଲିର। ରୁମାଲ କାଢ଼ ଚାହିଁ ଦେଖିଲେ ସବୁ ଶେଷ।
ଖାନା-ଟେବୁଲରେ ବସିବସି ଜଲିର ମାଂସ ଭକ୍ଷଣ କଲାବେଳେ ଜମିଦାର ବାବୁଙ୍କର ଅନ୍ତରାତ୍ମା ‘ନାହିଁ ନାହିଁ’ କରି ଉଠିଲା। ସେ ପ୍ରାଣପଣେ ଚେଷ୍ଟା କରି ବନ୍ଧୁମାନଙ୍କ ସାଙ୍ଗରେ ଯୋଗଦେଲେ। ବଡ଼ କଷ୍ଟରେ ଯତ୍ସାମାନ୍ୟ ଆହାର କଲେ। ଭିତରର କି ଗୋଟିଏ ଅବ୍ୟକ୍ତ ବ୍ୟଥାରେ ପ୍ରାଣ ଆକୁଳ ହୋଇଉଠିଲା। ରକ୍ଷା ଏତିକି, ଅତିଥିମାନଙ୍କ ମଧ୍ୟରୁ କେହି ତାହା ଲକ୍ଷ୍ୟ କରିପାରି ନଥିଲେ। ଶୋଇବାକୁ ଯିବାବେଳେ ମାଧିଆ ଆସି ଖବର ଦେଲା, ଡୋରାକୁ ମାଂସ ଆଦି ଯେତେ ଯାହା ଦିଆଗଲା, ସେ ତାହା ସ୍ପର୍ଶ କଲାନାହିଁ।
ଜମିଦାରବାବୁ ଅନ୍ୟମନସ୍କ ହୋଇ ଶୟନକକ୍ଷକୁ ଗଲେ। ନିଦ୍ରା ଆସୁ ନ ଥାଏ, ବିଛଣାରେ ପଡ଼ି କେତେ କଅଣ ଭାବୁଥାନ୍ତି। ଏ ଜଙ୍ଗଲ ସେ ଜଙ୍ଗଲ ବୁଲୁଛନ୍ତି, ହଠାତ୍ ମେଘର ଆକ୍ରମଣ ଓ ଚତୁର୍ଦ୍ଦିଗ ଅନ୍ଧକାରଚ୍ଛନ୍ନ-ପୁଣି ସେହି ମଧ୍ୟାହ୍ନ ସମୟ, ଗୁଳି ଖାଇ ମାଆଟି ତା’ର ଭୂତଳଶାୟୀ ହେଲା, ଆଉ ନିର୍ବୋଧ ଶିଶୁ ଅବାକ୍ ହୋଇ ଅନାଇ ରହିଲା, ଟିକିଏ ହଲଚଲ ନାହିଁ, ସ୍ବେଚ୍ଛାରେ ଆତ୍ମସମର୍ପଣ କଲା, ପୁଣି ସେହି ଘନ ଅନ୍ଧକାର-ଦୁଇବନ୍ଧୁ ସ୍କନ୍ଧରେ ସଙ୍ଗିନ୍ ରଖି ତମ୍ବୁ ଅଭିମୁଖରେ-ଛୁରି ଧରି ସାହେବଙ୍କର ନୃଶଂସ ହାସ୍ୟ, ଆଉ ସେ ହରିଣ ଶିଶୁଟିର କରୁଣ ଦୃଷ୍ଟିରେ ଜୀବନଭିକ୍ଷା, ମନୁଷ୍ୟ-ଭାଷାରେ ବାକ୍ୟ ଉଚ୍ଚାରଣ- ‘ମୁଁ ପରା ମୋ ମା’କୁ ଛାଡ଼ି ତୁମକୁ ଆଶ୍ରୟ କରି ଧରିଥିଲି’? ଜମିଦାରବାବୁ ଚମକି ଉଠି ଭାବିଲେ, ଏ ସ୍ବପ୍ନ। ପୁଣି ନିଦ ଆସିଲା, ପୁଣି ସେହି କାକୁତିଭରା ଚାହାଣି, ପୁଣି ସେହି ମର୍ମବିଦାରକ ବିଳାପ। ଥରକୁଥର ନିଦ ଭାଙ୍ଗିଯାଏ, କିନ୍ତୁ ସେହି ଏକା ସ୍ବପ୍ନ।
ପ୍ରଭାତରୁ ଉଠି ଫେରିଯିବାର ବନ୍ଦୋବସ୍ତ କରାଗଲା। ମଟରରେ ବନ୍ଧୁ ଓ ବନ୍ଧୁ ପରିବାରଙ୍କ ସହିତ ଜମିଦାରବାବୁ ଆଗ ଚାଲିଗଲେ। ହସଖୁସିରେ ମନଟାକୁ ଭୁଲାଇବାର ଯେତେ ଚେଷ୍ଟା କଲେ ମଧ୍ୟ ଜମିଦାରବାବୁଙ୍କ ଅନ୍ତରରେ ହରିଣ ଶିଶୁର ସେହି ରୁଦ୍ଧ କ୍ରନ୍ଦନର ବିରାମ ନାହିଁ। ବନ୍ଧୁ ପରିବାର ସେହିଦିନ ବିଦାୟ ଘେନି ଚାଲିଗଲେ।
ମାଧିଆ ଡୋରାକୁ ଟାଣିଟାଣି ବହୁ କଷ୍ଟରେ ଧଇଁସଇଁ ହୋଇ ଆସି ପହଞ୍ଚିଲା ଏବଂ ବାବୁଙ୍କୁ କହିଲା, ‘ଡୋରା ସେ ସ୍ଥଳକୁ ଆସିବାକୁ ଏକାବେଳକେ ନାରାଜ।’ ଜମିଦାରବାବୁ ସେତେବେଳେ ଏକାକୀ ବସି ମନେ ମନେ କ’ଣ ଭାବୁଥିଲେ। ମାଧିଆ ଆଉ କିଛି ନ କହି ଚୁପ୍ ହୋଇ ଚାଲିଗଲା। ସେତେବେଳକୁ ଜମିଦାର ବାବୁଙ୍କର ପ୍ରବଳ ଆତ୍ମଗ୍ଳାନି ଉପସ୍ଥିତ। ବଡ଼ ସଂଯମରେ ସେ ନିଜକୁ ସ୍ଥିର କରି ରଖିଛନ୍ତି, ନହେଲେ ଲୋକମାନେ ତାଙ୍କୁ ପାଗଳ ବୋଲି ଭାବି ସାରନ୍ତେଣି। ଏହି ଜ୍ଞାନଶୂନ୍ୟ କୁକୁରଟାର ପାଦତଳେ ପଡ଼ି କ୍ଷମା ଭିକ୍ଷା କରିବାଲାଗି ତାଙ୍କ ପ୍ରାଣ ଭିତରୁ ଯେପରି କିଏ ବାଧ୍ୟ କରୁଛି। କାରଣ ସେ ନିଜକୁ ତା’ଠାରୁ ବହୁ ନିମ୍ନରେ ଦେଖୁଛନ୍ତି। ‘କାହିଁ, ମାଂସାଶୀ କୁକୁରଟାଠାରୁ କ’ଣ ମୋ ଅନ୍ତର ଏତେଦୂର ନୃଶଂସ! ଛି ଛି, ସଂସାରଟାରେ କ’ଣ କେବଳ ସବଳ ଦୁର୍ବଳକୁ ଅଧୀନସ୍ଥ ରଖି, ଆତ୍ମସାତ୍ କରି ଜୀବନଧାରଣ କରିବାକୁ ଜାତ ହୋଇଛି?
ଜଣେ ବଞ୍ଚିବ ବୋଲି ଆଉ ଜଣକର ମୃତ୍ୟୁ ଏକାନ୍ତ ଆବଶ୍ୟକ! ମନୁଷ୍ୟ ଯେ ବିଶ୍ବ ଗ୍ରାସ କରିବାକୁ ବସିଛି, ଏହାର ଯୁକ୍ତି କ’ଣ ନା’ ସେସବୁ ଜୀବଠାରୁ ବୁଦ୍ଧିମାନ ଓ ବିବେକବାନ୍!’ ସତ୍ୟ ସତ୍ୟ! ଜମିଦାରବାବୁଙ୍କର ଭୀଷଣ ବିରାଗ ଓ ବିକାର ଜାତ ହେଲା। ଯେଉଁ ଜିହ୍ବା ଜଲିର ମାଂସ ସ୍ବାଦ ପରୀକ୍ଷା କରିଥିଲା, ତାହା କିପରି ଅବଶ ହୋଇଆସିଲା, ଜଲିର କଲିଜା ଯେଉଁ ଗଳା ମଧ୍ୟରେ ଯାଇଥିଲା, ତାହା ସଙ୍କୁଚିତ ହୋଇ କିପରି ରୁଦ୍ଧ ହୋଇଆସିଲା। ଜମିଦାରବାବୁ ମନେକଲେ, ସେ ଗଳା ଯଦି ଚିରଦିନ ପାଇଁ ରୁଦ୍ଧ ହୁଏ ଏବଂ ସେ ଜିହ୍ବା ଯଦି ଅବଶ ହୋଇ ଛିନ୍ନ ହୋଇପଡ଼େ, ତେବେ ତାଙ୍କର ମର୍ମନ୍ତୁଦ ଯାତନାର ଟିକିଏ ଅବା ଉପଶମ ହୋଇପାରନ୍ତା!
ଏହି ସମୟରେ ପଛରୁ କିଏ ଡାକିଲା, ‘ଜଲି କାଇଁ?’
ଜମିଦାରବାବୁ ଫେରି ଚାହିଁ ଦେଖିଲେ, ତାଙ୍କର ସେହି ଚାରିବର୍ଷର ଶିଶୁ କନ୍ୟାଟି। ସେ ଉତ୍ତର ଦେବାକୁ କିଛି ନ ପାଇ ତତ୍କ୍ଷଣାତ୍ ଉଠିଯାଇ କନ୍ୟାକୁ ନିଜର ଉତ୍ତପ୍ତ ବକ୍ଷରେ ଚାପିଧରି କହିଲେ, ‘ଅଛି ମା’ ଅଛି।’ ସେହି କଥାରେ କର୍ଣ୍ଣପାତ ନ କରି ମୁହଁ ଫୁଲାଇ, ଆଖି ଛଳଛଳ କରି ସେ କହିଲା, ‘ମିଛ କଥା, ମାଧିଆ କହିଲା, ସେ ସାହେବ ତାକୁ ମାଲିଚି, ମୁଁ ସେ ସାହେବକୁ ମାଲିବି।’ କନ୍ୟାର ରାଗ ଓ ଅଭିମାନ ଦେଖି ଜମିଦାରବାବୁଙ୍କ ଚକ୍ଷୁରୁ ଲୋତକ ବର୍ଷିବାକୁ ଲାଗିଲା।
ସେ ତାହା କନ୍ୟା ନିକଟରୁ ଲୁଚାଇବାକୁ ଯାଇ ଧାଈ ହାତରେ କନ୍ୟାକୁ ଦେଇ ଚାଲିଗଲେ ଏବଂ ହୃଦୟର ଆବେଗ ଅସହ୍ୟ ହେବାରୁ ବିଛଣାରେ ପଡ଼ି ଶିଶୁପରି ଭୋ-ଭୋ କାନ୍ଦିବାକୁ ଲାଗିଲେ, କିନ୍ତୁ କନ୍ୟାର ସେହି ପ୍ରଶ୍ନ ‘ଜଲି କାଇଁ’ ତାଙ୍କର ବାରମ୍ବାର ମନେପଡ଼ିଲା। ସେ ନିଜକୁ ସେହି ପ୍ରଶ୍ନ କରି ସ୍ବୀୟ ଅଙ୍ଗପ୍ରତ୍ୟଙ୍ଗକୁ ଚାହିଁଲେ। ହରିଣ ଶାବକର ପ୍ରତ୍ୟେକ ଖଣ୍ଡ ଭୁକ୍ତ ମାଂସର କ୍ରନ୍ଦନ ତାଙ୍କର ପ୍ରତ୍ୟେକ ଲୋମକୂପରୁ ଫୁଟି ବାହାରିବାର ସେ ଶୁଣିଲେ। ତାଙ୍କର ପ୍ରତ୍ୟେକ ଶିରାରେ ଏ କ୍ରନ୍ଦନ ବିଜୁଳିଗତିରେ ଚମକିବାକୁ ଲାଗିଲା। ଜମିଦାରବାବୁ ରୁଗ୍ଣ ହୋଇପଡ଼ିଲେ -ଦୁଇ ସପ୍ତାହ ଜ୍ବର ଓ ଅନାହାର। ସମସ୍ତେ ଭାବିଲେ, ଜମିଦାରବାବୁ ଏ ଘାଟିରୁ ପାର ପାଇବେ ନାହିଁ, କିନ୍ତୁ ସେ ସୁସ୍ଥ ହେଲେ, ଅଥଚ ନୂଆ ଲୋକ ହୋଇ। ସାହେବଙ୍କ ଉପଯୋଗୀ ଅତିଥିଶାଳା ଦରିଦ୍ରମାନଙ୍କ ପାନ୍ଥନିବାସରେ ପରିଣତ ହେଲା। ଜମିଦାର ଉଆସରେ ଆମିଷ ପ୍ରବେଶ ନିଷିଦ୍ଧ ହେଲା ଏବଂ ଜମିଦାରି ମଧ୍ୟରେ କେହି ମୃଗ ଶିକାର କି ବଧ କରିପାରିବେ ନାହିଁ ବୋଲି ହୁକୁମ ଜାରି ହୋଇଗଲା।
ଡୋରା କୌଣସିମତେ ଆହାର କଲାନାହିଁ। ଦିନମାନ ନିରାହାରରେ ପଡ଼ିରହିଲା ଏବଂ ଜମିନାରବାବୁଙ୍କ ପ୍ରଥମ ଅସୁସ୍ଥତା ଦିନ କୌଣସିମତେ ମୁକ୍ତିପାଇ ଖସି ଚାଲିଗଲା। ମାଧିଆ ଖୋଜିଖୋଜି ଯାଇ ତାକୁ ସେହି ତମ୍ବୁ ପଡ଼ିଥିବା ଜାଗାରେ ଜଲିର ବଧଭୂମିକୁ ଆଘ୍ରାଣ କରୁଥିବାର ଦେଖିଲା। ଏହିଠାରେ ସେ ତା’ର ପ୍ରିୟ ସଖାକୁ ହରାଇଛି- କୌଣସିମତେ ଯେବେ ସନ୍ଧାନ ପାଏ! ସେଥିଲାଗି କରୁଣ ବିଳାପ କରି ସେ ତାକୁ ଖୋଜି ବୁଲୁଛି। ମାଧିଆ ତାକୁ ଧରିଆଣିଲା। ଯେତେ ଯତ୍ନ କରାଗଲା, ସମସ୍ତ ବିଫଳ ହେଲା। ପୁଣି ଦିନେ କିପରି ସେ ଅଦୃଶ୍ୟ ହୋଇଗଲା। ଆଉ ଯେତେ ଯହିଁ ଖୋଜିଲେ ମିଳିଲା ନାହିଁ। କେହି କେହି କୁହନ୍ତି, ସେ ସେହି ତମ୍ବୁ ପଡ଼ିଥିବା ଦିଗରେ ଯାଇଛି। କାଠୁରିଆମାନେ କହନ୍ତି, ନିବିଡ଼ ଜଙ୍ଗଲ ମଧ୍ୟରେ କାଠ କାଟିଲାବେଳେ ସେମାନେ ବହୁବାର ରୁଦ୍ଧ ପଶୁକଣ୍ଠର ଗୋଟିଏ ଆର୍ତ୍ତ ବିଳାପ ଶୁଣିପାରନ୍ତି। ସେ କିନ୍ତୁ ଜଲିର ନା’ ଡୋରାର?
-୦-