ମଳୟ ପ୍ରିୟାର ନିଃଶ୍ୱାସ ବୋଲି
ପଛକୁ ଦେଲି ମୁଁ ଚାହିଁ,
ବକ୍ଷେ ବାଜିଲା ବୈଶାଖ ଶ୍ୱାସ
ଫେରିଲା ଲଜ୍ଜା ପାଇ।
ଚମ୍ପକେ ପ୍ରିୟା ଗୌର କାନ୍ତି
ବଧୂଲି ଅଧର ଶୋଭା,
ଆଦ୍ୟ ନିଶାରେ ମଳିନ ଭସ୍ମ
କାନ୍ତି ମାନସ ଲୋଭା।
ପ୍ରଥମ ଆସାର ବାରିବାହ ବହେ
କୃଷ୍ଣ ତା’ କେଶ ଦାମ,
ବିଦ୍ୟୁତେ ପ୍ରିୟା ଦୀପ୍ତି ଛଟକ
ପରଶେ ଜନମ କାମ।
ବାଧିଲା ଭାଦରେ ପଳିତ କାନ୍ତି
ଦାମିନୀ ଦୃପ୍ତ ପୀଡ଼ା!
କୁହେଳି ସମାନ ଶୂନ୍ୟ ସଘନ
କବି କୌତୁକ କ୍ରୀଡ଼ା।
ଗୋଲାପ ପ୍ରିୟାର ପୂଣ୍ୟ ମାଧୁରୀ
ଭାଳିଲି କରିଛି ଚୋରି,
ଜଡ଼ିତ ବକ୍ଷେ କଣ୍ଟକ ପୀଡ଼ା!
ନ ସରଇ ଗୁଣ ଘୋରି।
କୌମୁଦି ଭରା ମାଧବୀ ନିଶି ତା’
ସ୍ନିଗ୍ଧ ଚାହାଣୀ ପରା!
ସନ୍ଧ୍ୟାରେ ଆଦି-ଅନୁରାଗ-ବ୍ରୀଡ଼ା
ଭାଳି ମୁଁ ଆତ୍ମହରା।
ପଶ୍ଚାତେ ତା’ର ଅମା ଅନ୍ଧାର
ମୃତ୍ୟୁ ଅଟ୍ଟହାସ!
ଅବଶ କଲା ମୋ ସର୍ବ ଅଙ୍ଗ
ଜଡ଼ୀଭୂତ ଯେତେ ପ୍ରାସ।
ମଲ୍ଲିକା ଦାମେ ନାହିଁ ପ୍ରିୟା-ହାସ
ମୃତ୍ୟୁ ଦନ୍ତ ସତ,
ଭାଳିଲି କି ଘେନି ରଚିଲେ କାବ୍ୟ
କବିଏ ଇଚ୍ଛା ମତ?
କାବଳେ ସ୍ୱକୀୟା ପରକୀୟାଠାରେ
ଉପମାକୁ କଲେ ଶେଷ,
ମୂର୍ଖ ମାନବ ଲାଗି ସାଇତିଲେ
ଭ୍ରାନ୍ତି ଯାତନା କ୍ଳେଶ।
ରୁକ୍ଷ ଏ ମରୁ ବୃନ୍ଦାବନେ
ଉପମାର କାହିଁ ସ୍ଥାନ?
ଗୋଲକରେ ରାସ! କାହିଁ ବା ପ୍ରଣୟ
କଠିଣ ଧରିବା ପ୍ରାଣ।
x x x x
ପ୍ରଭାତ ଭମଣୁଁ ଫେରୁଥିଲି ଦିନେ
ସଂସାର-କାରା-ଗେହେ,
କ୍ଷୀଣ କଣ୍ଠେ ଡାକିଲା ଦୂର୍ବା
ବ୍ୟଥିତା-ପ୍ରିୟାର ସ୍ନେହେ।
ଦେଖିଲି କ୍ଷୁଦ୍ର କୁସୁମେ ଜଡ଼ିତ
ସ୍ନିଗ୍ଧ ଶିଶିର ବିନ୍ଦୁ,
(ମୋର) ସାର୍ଥକ ପ୍ରୀତି-ଉପମା-ପିପାସା
ଉଛୁଳେ ଅଶ୍ରୁ-ସିନ୍ଧୁ।
ଦଗ୍ଧ ହୃଦୟେ ରୋପି ସେ ଅଶ୍ରୁ
ଗର୍ବେ ଉଠିଲି ଗାଇ-
ପଢ଼ିଛି ଯେତେ ମୁଁ କାବ୍ୟ କବିତା,
ଏ ଉପମା କାହିଁ ନାହିଁ।

