ସନ୍ଧ୍ୟାର ଆକାଶ
ଗୁଜରାଟୀ ରମଣୀର ପାଲଟା ଶାଢ଼ୀପରି
ସଫେଦ ଛାୟାପଥ
ଅତିପରିଚ୍ଛନ୍ନ,
ଦିଗତଳେ ବାଇଗଣୀ ସ୍ୟାହିପରି ସ୍ବଳ୍ପ ମେଘ
ଛାୟା କଫି ଓ ବାଦାମ ବନ
ପରିବ୍ୟାପ୍ତ ଗୋଦାବରୀ ତଟ ଯାଏ।
ବହୁଦୂରେ ସ୍ଲେଟ୍ଖଣିରୁ
ମାନ୍ଦ୍ରାଜୀ କୁଲିର ବସ୍ତିରୁ
ନୀଳ ଲଣ୍ଠନର
ଈଷତ୍ ଆଲୋକ ଆସେ।
ହଠାତ୍ ଦେଖିଥିଲି ସଖୀ
ତୁମ ପୃଷ୍ଠ ତଟର ସଫଳ ଗୌରବ
ତୈଲଙ୍ଗୀ ଖୋଷାର ତଳେ ଗ୍ରୀବାଚୁମ୍ବୀ
ବିରଳ କୁଞ୍ଚିତ କେଶ
ଋଜୁ ବାହୁଲତା ଫାଙ୍କେ ପରିପୁଷ୍ଟ ସ୍ତନର
ସୁସ୍ପଷ୍ଟ ଆଭାସ,
ଗୁରୁ ନିତମ୍ବର ଆମନ୍ତ୍ରଣ।
ଉପରେ ରିଠାବୃକ୍ଷର ପରିଣତ ଶାଖା
ତଳେ ସାଜି ମାଟିର ନୀଳ ଆସ୍ତରଣ,
ଏଇ ପରିସ୍ଥିତି ମଧ୍ୟେ
ଆଦିମ ସରୀସୃପର ସାନ୍ନିଧ୍ୟ କ୍ଷୁଧା ନେଇ
ପରସ୍ପରର ପରିଚୟ ହେଲା।
ତୁମ ନଗ୍ନ ସ୍ବାସ୍ଥ୍ୟର ସ୍ବାଦ ନିବିଡ଼ ତୁମର
ମସୃଣ ଉଗ୍ରତା ଦେଇଥିଲା
ଗଭୀରତା ଆଉ ପରିତୃପ୍ତି।
ନିଷ୍କାଷିତ କାମନା ଏ ତନୁତଟ ସଖୀ
ବୋଧକଲି ଆଦ୍ୟ ଥରପାଇଁ
ଲଘୁସ୍ପଷ୍ଟ ଆଉ ଚିରନ୍ତନ
ଉପରେ ସଫେଦ ଜହ୍ନ
ପରି ଅତି ପରିଚ୍ଛନ୍ନ।
ତୁମରି ଖୋଷାର
ଶୀତକାଳୀନ କୌଣସି ରଙ୍ଗୀନ ଫୁଲର ଗଭା
ଦେଇଥିଲା ମଧୁର ଗନ୍ଧର ମାଦକତା।
ହୁଏ ତ ମୁଁ ଦେଖିନାହିଁ ବିରଳ ଆଲୋକେ
ଓଷ୍ଠ ଗାତ୍ରେ ନୟନ ଯୁଗ୍ମରେ
ସାବଲୀଳ ଶୋଭାଯାତ୍ରା
ସେଇ ଆଦିମ କ୍ଷୁଧାର ସ୍ପର୍ଶ
ଅବହେଳା କରିଥିଲା
ଉଭୟର ବାହ୍ୟିକ ଓ ସାମାଜିକ ପରିଚୟ
ପ୍ରଥମ ପୃଥିବୀର ଅବିଭାଜ୍ୟ ଶ୍ରେଣୀ
ସରୀସୃପର ପରି
କେଉଁ ସମ୍ଭାବ୍ୟ ଭ୍ରୂଣର ବିକାଶ ଆକାଂକ୍ଷା
ଉଭୟ ମାଂସ ଆଉ ରକ୍ତ
ପଲସ୍ତରା ତଳେ
ଅଙ୍କୁରିତ ହେଲା।
ତାହାର ପ୍ରତିଧ୍ବନି
ସେଇ ଜୈବିକ ପ୍ରକୃତିର ଉଦଗ୍ର
ପ୍ରକାଶ ଆକାଂକ୍ଷା
ନିଜ ମଧ୍ୟେ କରିଥିଲି ଅନୁଭବ
ଲଘୁ ସ୍ପଷ୍ଟ ଆଉ ଚିରନ୍ତନ
ଆଦିମ ପୃଥିବୀ ପରି ଅତି ପରିଚ୍ଛନ୍ନ।
ଆଜି ପୁଣି ଆକାଶରେ ଅନୁରାଧା ନକ୍ଷତ୍ରର
ଜହ୍ନ ଅତି ପରିଚ୍ଛନ୍ନ।
ଦୂର ବାର୍ଲି କ୍ଷେତେ ପୁଷ୍କର ମେଘର ଛାୟା।
ମନେ ପ୍ରଶ୍ନ ଆସେ
ଏଇ ଯେ ସମ୍ଭାବ୍ୟ ଭ୍ରୂଣର ସଂସ୍ଥାନ ହୋଇଲା
ତାର ପରିଣତି କଣ ଅତି ମାନବର ଆବିର୍ଭାବ?
ଏଇ ପ୍ରଶ୍ନ
ସମାଧାନ ହୀନ,
ଏ ପ୍ରଶ୍ନ ହୁଏତ ସମ୍ପର୍କ ବିହୀନ।
ପ୍ରାଗୈତିହାସିକ ସରୀସୃପର
ଯୌନ ପ୍ରକାଶ ଆକାଂକ୍ଷା
ଆଜି ଆନୁଭବ କରେ
ନିଜ ମେରୁଦଣ୍ଡ ତଳେ,
ଆଉ ଖୋଜି ବୁଲେ-
ତୁମ ନଗ୍ନ ଆଭରଣ ହୀନ ଅଙ୍ଗ
ତରୁ ତଳେ ନଦୀକୂଳେ
ସେଇ ନଗ୍ନ ସ୍ବାସ୍ଥ୍ୟବତୀ ଅଙ୍ଗ
ତାହାରେ ମୁଁ କରେ ନମସ୍କାର
ସେଇ ସ୍ପଷ୍ଟ ସେଇ ଚିରନ୍ତନ
ଉପରେ ସଫେଦ୍ ଜହ୍ନ ପରି ଅତି ପରିଚ୍ଛନ୍ନ।