ଜୀବନ ଧରି ହେ ଢାଳିଲୁ ରକ୍ତ, ତୋଳିଲୁ ସଉଧମାଳା
ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା।
ଝାଞ୍ଜି ପବନ ସହିରେ ସଘନ, ଗହିରେ ରୋଇଲୁ ଧାନ
ବରଷା କାଦୁଅ ଚକଟି କେତେରେ, ଖିନ୍ନ କରିଲୁ ପ୍ରାଣ।

ପଉଷ ପ୍ରଭାତେ କାଟିଲୁ ଶସ୍ୟ, ହସିଲେ ନିଖିଳବାସୀ
ଶକ୍ତିଶାଳୀର କରାଳ କବଳ, ନେଲାରେ ସକଳ ଗ୍ରାସୀ।

କେତେ ଯେ ଦେଏଣା, କେତେ ଯେ ପାଉଣା, ମହାଜନ ଜମିଦାର
ନେଲେଟି ଶୋଷିରେ, ଚାହିଁଲୁ ନୀରବେ ଘେନି କଙ୍କାଳମାଳ,
ସନ୍ତାନ ଆମ, ଆମରି ଆଗେରେ, ଶମଶାନେ ପଡ଼େ ଟଳି
ମୂକ ପାଷାଣର ପରାଣ ବହିରେ, ରହିଛୁ ସଭୟେ ଥରି।

ଯେ ଯୁଗେ ମାନବ ଉଡ଼ଇ ଆକାଶେ, ବୁଡ଼ଇ ସାଗର ଜଳେ
ସେ ଯୁଗେ ଆମେରେ ‘‘ହା ଅନ୍ନ ହା ଅନ୍ନ’’ ଡାକି ବୁଲୁ ନତ ଶିରେ।
ଭାଗ୍ୟ ଆଦରି ଦେଉଳ ଦୁଆରେ, ମୁଣ୍ଡ ପିଟୁରେ ବସି
କରଭାର ସହି ହୀନ ଦୁର୍ବଳ, ନ ପାରୁ ଜୀବନେ ହସି।

ଆମେଇ ଗଢ଼ିଲୁ ବନ୍ଧୁକ, ତୋପ, ତରବାରୀ ଆମ ପାଇଁ
ଆମେଇ ତୋଳୁରେ କାରାର ପ୍ରାଚୀର, ବନ୍ଧନ ଗୀତ ଗାଇ
ସମାଜର ଶତ ଶୃଙ୍ଖଳ ଜାଲେ, ଛନ୍ଦି ଆପଣା ଛାଏଁ
ଆଲୋକର ପଥ ରୁଦ୍ଧ କରୁରେ, ଯୁଗ ଯୁଗାନ୍ତ ଯାଏ।

ପୁଞ୍ଜିତ ରୋଷେ ବଞ୍ଚିତ ଆମେ, ଦୀପ୍ତ ଚେତନା ବହି
ନ ବୁଲିବୁ ଆଉ ଭିକ୍ଷୁକ ବେଶେ, ଦୁଃଖ ବେଦନା ସହି,
ପ୍ରାପ୍ୟ ଆମର ନେବୁରେ ମୁକର, ଆମେ ଶ୍ରମିକର ଜାତି
ଫୁଟାଇବୁ ଆଜି ରକ୍ତ ପ୍ରଭାତ, ଚିରି ଅନ୍ଧାର ରାତି।

ନିଶ୍ବ ଯେତେକ, ବିଶ୍ବର କୋଳେ ସକଳ ଶ୍ରମିକ ଚାଷୀ
ମିଳିତ ହୁଅରେ ଆମରି ସଙ୍ଗେ, ଶଙ୍କା ଜଡ଼ତା ନାଶି।
ଥରୁ ରେ ଧରଣୀ ଆକାଶ ପବନ, ଥରୁ ରେ ଶୋଷକ କୁଳ।
ହସିଉଠୁ ଆଜି ସମତା ଜଗତେ, ଭାଜୁରେ ପାହାଡ଼ ଚୂଳ।