(ରାଗ-ବଙ୍ଗଳାଶ୍ରୀ)
ତୁହି ମା ଧରଣୀ ଜନନୀ ମୋହର
ଧରିଛୁ ମା ମୋତେ କୋଳେ,
ଲୋଟୁଅଛି ସିନ୍ଧୁ ଚରଣେ ତୋହର
ଆହା କି ଉଲ୍ଲାସ-ଭୋଳେ।
ରହିଛୁ ଅନାଇ ଅନନ୍ତ ଗଗନେ
ଆନନ୍ଦରେ ଅନୁକ୍ଷଣ,
ସେ ମହାଗଗନ ମହା ଆନନ୍ଦରେ
ନିରେଖଇ ତୋ ଆନନ।
ବିମଳ ପ୍ରଭାତେ ପୁଣ୍ୟ ସାୟଂକାଳେ
ଦିବାନିଶି ଅବିରଳ,
ତୋ ଶିରେ ଗଗନ ଢାଳେ ଶୁଭ୍ରାଲୋକ
ଅବା ଛାୟା ସୁଶୀତଳ।
ତୋହରି ସନ୍ତାନ ଅଟେ ମୁଁ ଜନନୀ,
ତୋର ଦରଶନେ ପ୍ରାଣ,
ଉଛୁଳି ପଡ଼ଇ ଆନନ୍ଦ-ଉଲ୍ଲାସେ
ମଣଇ ମୁଁ ଭାଗ୍ୟବାନ।
କେତେ କେତେ ଶୋଭା ଧରିଛୁ ଜନନୀ
ତୋହର ବିପୁଳ ଦେହ,
ମାତୃସନ୍ତନ ସମ ନୀଳ ପର୍ବତରୁ
ନିର୍ଝର ଝରଇ ସ୍ନେହେ।
ସୁଧାଧାରା ସମ ସରିତର ସ୍ରୋତ
ବହୁଅଛି ତୋ ବକ୍ଷରେ,
ସେ ଅମୃତ ପାନ ସ୍ଥାବର ଜଙ୍ଗମ
କରୁଛନ୍ତି କି ସୁଖରେ।
ନର ପଶୁ ପକ୍ଷୀ କୀଟ ତରୁ ଲତା
କାମଧେନୁ ତୁ ସବୁରି,
ତୋହରି ପ୍ରସାଦେ ସକଳ କାମନା
ଯାଉଅଛି ମା ଗୋ ପୁରି!
ସ୍ନେହେ ରୋମାଞ୍ଚିତ ଦୁର୍ବାଦଳମୟ
ତୋ ଶ୍ୟାମଳ ଅଙ୍କସ୍ଥଳ,
ସେ କୋମଳ କୋଳ ଦେଖିଲେ ନୟନେ
ହୃଦ ହୁଏ ସୁଶୀତଳ।
ସୁଚାରୁ କୁସୁମ ସୁଧାମୟ ଫଳ
ରଖିଛୁ ମା ବସୁମତି !
ବନେ ଉପବନେ ତରୁ ଲତା ଡାଳେ
ସଜାଇ ଯତନେ ଅତି।
କାହାର ଆଦେଶେ କରିଛୁ ମା ଏତେ
ଜୀବ ପାଇଁ ଆୟୋଜନ,
ସେ ଆଦି-ଜନନୀ ଦରଶନ ଲାଗି
ବ୍ୟାକୁଳ ସଦା ମୋ ମନ।
-୦-
ଉକ୍ତ କବିତାଟି କଟକ ଷ୍ଟୁଡେଣ୍ଟ୍ସ ଷ୍ଟୋର୍ ଦ୍ୱାରା ୨୦୦୯ ମସିହାରେ ପ୍ରକାଶିତ ‘ମଧୁସୂଦନ ଗ୍ରନ୍ଥାବଳୀ’ ପୁସ୍ତକରୁ ଆନୀତ।

