ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେ
ବିସ୍ତୀର୍ଣ୍ଣ ପ୍ରକୃତି ଜହିଁ ଦିଗମ୍ବର ବେଶେ
ବୃକ୍ଷହୀନ-ହେମକାନ୍ତ-ସିକତା ବିସ୍ତାର
ମହୋଦଧି ତଟ-ପ୍ରାନ୍ତେ।
ସିନ୍ଧୁ ସିକତାରେ
କ୍ରୀଡ଼ନ୍ତି ନିଶୀଥେ ତହିଁ ଜଳକନ୍ୟାଗଣ
କିଆକୁଞ୍ଜେ ଲୁଚକାଳି, କୋମଳ ଚରଣ
ବୁଡ଼େନାହିଁ ବାଲୁକାରେ।
ବର୍ଷାରମ୍ଭେ ତହିଁ
ପୁନ୍ନାଗ କୁଶୁମ ଗନ୍ଧ ପ୍ରାଣଦିଏ ଦହି
ବିରହୀ ତରୁଣଙ୍କର।
କ୍ଷୁବ୍ଧ ପାରାବାର
ଢାଳେ ଚୁର୍ଣ୍ଣ-ମରି-ଚୁଡ଼ ଦୀର୍ଘ ଊର୍ମିବାର
ସେ ଭୂମିର ପଦତଳେ,
ତା ଗୁରୁ ଗର୍ଜନ
ରଚେ ତହିଁ ଶାଶ୍ବତିକ ମୃଦଙ୍ଗ ଘୋଷଣ।
ସେହି ଭୂମେ ମୋ କୁଟୀର, ସେ ଦେଶେ କୁରଙ୍ଗୀ
ଚାଲ ସଖି, ତୁମ୍ଭଠାରୁ ଶିଖିବେ ଭ୍ରୂଭଙ୍ଗୀ।
୰ ମାୟାଧର ମାନସିଂହ
ଓଡ଼ିଆ ସାହିତ୍ୟରେ ପ୍ରେମ ଓ ପ୍ରଣୟର କବି ଭାବେ ପରିଚିତ ମାୟାଧର ମାନସିଂହ(୧୯୦୫-୧୯୭୩) ଜଣେ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ। ବିପୁଳ କାବ୍ୟକୃତି ବ୍ୟତୀତ ବହୁ ନାଟକ ନାଟିକା, ମନନଶୀଳ ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ଜୀବନୀ, ଆତ୍ମଜୀବନୀ, ଭ୍ରମଣବୃତ୍ତାନ୍ତ ଇତ୍ୟାଦି ରଚନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି।
କବିଙ୍କ ଦ୍ବାରା ରଚିତ ‘ଧୂପ’, ‘ହେମପୁଷ୍ପ’, ‘ହେମଶସ୍ୟ’, ‘କୋଣାର୍କ’ ଆଦି କାବ୍ୟ ଗୋଟିଏ ଗୋଟିଏ ଚର୍ଚ୍ଚିତ ସୃଷ୍ଟି ଓଡ଼ିଶା ବାହାରେ ଓଡ଼ିଆସାହିତ୍ୟ ଓ ସଂସ୍କୃତିକୁ ପରିଚିତ କରିବା ନିମନ୍ତେ କବିଙ୍କ ଇଂରାଜୀ ଭାଷାରେ ଲେଖନୀ ଚାଳନା ଉଦ୍ୟମ ବେଶ୍ ପ୍ରଶଂସନୀୟ ହୋଇପାରିଥିଲା।
କ୍ରମେ ସବିଶେଷ →