କାହାକୁ ଅଛପା ଅଛି, ମାନବ ସମାଜେ
ସେ ଅତି ନାସ୍ତିକ ଜଣେ ମନେ ବାକ୍ୟେ କାର୍ଯ୍ୟେ?
ବ୍ରାହ୍ମଣ କୁଳେ ତା ଜନ୍ମ, ନାହିଁ ଉପବୀତ;
ମ୍ଳେଛ ଅନ୍ନ ନ ଭୁଞ୍ଜିଲେ, ତୃପ୍ତ ନୁହେଁ ଚିତ୍ତ।
ହରି ନାମ ମୁଖେ ଦିନେ ନ ଧରେ ସ୍ୱପନେ,
ଧ୍ୟାନେ ନାହିଁ ମତି, ନାହିଁ ଦେବ-ଆରାଧନେ।
ଆପଣ ବିବେକ ବୁଝି କରିଯାଏ କର୍ମ;
ତହିଁ ତା ସନ୍ତୋଷ, ତାକୁ ମଣେ ଶ୍ରେଷ୍ଠ ଧର୍ମ।
ରାଜ୍ୟ ନୃପ ପାଶେ ହାତ ନ ଯୋଡିଛି ତାର,
ଶାସକେ ପଦସ୍ଥେ ଦୂରୁଁ କରଇ ଜୁହାର।
ସେହି ସେ ନାସ୍ତିକେ ଦିନେ ଦେଖି ଅକସ୍ମାତ,
ଅବିଶ୍ୱାସ ନିଜ ନେତ୍ରେ ହେଲା ମୋର ଜାତ।
ନୀଳାଚଳେ ଜଗନ୍ନାଥ ମନ୍ଦିରେ ଏକାକୀ,
ପ୍ରଣମେ ସେ ଏକଧ୍ୟାନେ ମୁଦି ବେନି ଆଖି।
ଚିତ୍ତେ କୌତୂହଳ ତିଳେ ନ ସମ୍ଭାଳି ପାରି,
‘‘ଏ କି କର, ହେ ନାସ୍ତିକ?’’ ଦେଲି ମୁଁ ପଚାରି;
‘‘ଭଣ୍ଡ ତୁମେ, ଝିଙ୍ଗାସିଲି, ପ୍ରତାରକ ଅତି,
ତୁଣ୍ଡେ ଦେବେ ନାହିଁ ମାନ, ନ ଦେଖାଅ ଭକ୍ତି।
ଏତେ ମିଥ୍ୟାଚାରେ କିପାଁ ଗଢିଛ ଜୀବନ,
ନ ଜାଣ କି, ସତ୍ୟ ଅଟେ ଭବେ ମହାଧନ?
ବୃଥା ଏତେ ଆସ୍ଫାଳନ, ମିଛେ ଏତେ ଗର୍ବ;
ନତ ଶିରେ ଦେବେ ଯେବେ ମାଗିପାର ସର୍ବ।’’
ଶୁଣି କର୍ଣ୍ଣେ ନାସ୍ତିକ ସେ କରିଲା ଉତ୍ତର,
‘‘କେବେ ମୁଁ କି ନ ମାନିଛି ଏଭଳି ଈଶ୍ୱର?
କାଠେ ଗଢ଼ା ଜଗନ୍ନାଥ, ନ ଅଛି ଜୀବନ;
ନ ଦେଇ ପାରିବେ କାରେ ଧନ, ମାନ, ଜନ।
ଗଛ ମଧ୍ୟ ଗଢ଼ା କାଠେ, ଅଛି ଜୀଅ ତାର;
ଦେଇପାରେ ଫୁଲ ଫଳ ବିପୁଳ ସମ୍ଭାର।
ଏ ଅଟେ ନିର୍ଜୀବ ଦେବ ଗଢ଼ା ନର ହାତେ,
ନିମିଷକେ ଭାଙ୍ଗିଯିବ ଅଳପ ଆଘାତେ।
ନିଷ୍କାମ ଅର୍ଚ୍ଚନା ସେହୁ ଲୋଡ଼ିବ ସଂସାରେ,
ଏ ବିନା କେ ପୂଜାଯୋଗ୍ୟ, କଛି ତାରେ?
ଭକ୍ତି ବିଶ୍ୱେ ଉଚ୍ଚ ଧର୍ମ, ବୁଝେ ମୁଁ ନିକର;
ତେଣୁ ପୂଜେ କାଠ ଦିଅଁ, ଅର୍ଚ୍ଚଇ ପଥର।
ନାସ୍ତିକ ମୁଁ ବଡ଼ ପାଶେ, ସାନର ଭକତ,
ମାଗେ ନାହିଁ ଧନ, ମାନ, ପଦ ବା ମହତ୍ତ୍ୱ।’’

