ମାତୃଭାଷା ମାତୃସମା, ଏହା ତଥ୍ୟ ମଣି
ସେବ ତାଙ୍କୁ ଭକ୍ତିଭରେ ଦିବସ ରଜନୀ।
କେତେ ଥାକ-ସ୍ନେହମୟୀ ଜନନୀ ତୁମ୍ଭର,
ବାଲ୍ୟେ ଶିଖାଇଲେ ପାଞ୍ଚି ତୁମ୍ଭର ମଙ୍ଗଳ।
ସେହି ବାଣୀଯୋଗେ ପିତା-ଭ୍ରାତା-ବନ୍ଧୁଜନେ
ଆହା କେତେ ହିତକାରୀ ଲଭିଲ ଭୁବନେ।
ବାକ୍ଶକ୍ତି ସ୍ଫୁରଣ ସଙ୍ଗେ ଲଭି ଯେଉଁ ବାଣୀ
ଶିଶୁ ଗଣ୍ଡୁ ଉଦ୍ଦରିଲ, ତାକୁ ବଡ଼ ଜାଣି।
ରୋଗେ ଶୋକେ ବିପଦରେ ଅବା-ଅନ୍ତ-କ୍ଷଣେ
ଯେ ବାଣୀ ନାଚଇ ଆସି ରସନା-ପ୍ରାଙ୍ଗଣେ।
ଯେ ଭାଷାରେ କର ସଦା ଧ୍ୟାନ ବା ମନନ
ସେ ଆଦିଜନନୀ ସହ ନିଗୂଢ଼ ବନ୍ଧନ।
ଯେ ବାଣୀ ଶରଣ ପଶି କେତେ କୃତୀ ଜନେ
ଅକ୍ଷର ଅମର କୀର୍ତ୍ତି ରଖିଲେ ଭୁବନେ।
ଯେ ଭାଷା ଅମୃତ ମୁଖୁଁ ନୋହିଲେ ନିସୃତ
ଜାତିପଣ ତବ କେଣେ ହୋଇବଟି ହୃତ।
ତହୁଁ ବଳି ଶ୍ରେଷ୍ଠ ଆଉ କି ଅଛି ଭୁବନେ?
ତାହାର ମଙ୍ଗଳେ ସଦା ଲାଗ ପ୍ରାଣପଣେ।
-O- -O- -O-
ବି.ଦ୍ର: ଉକ୍ତ କବିତାଟି ୧୯୧୮ ମସିହାର ‘ସାହିତ୍ୟପାଠ’ ପଠ୍ୟପୁସ୍ତକରୁ ଆନୀତ। ଲେଖକ ପରିଚୟ ଅନୁପଲବ୍ଧ।