ଯନ୍ତ୍ର ତତେ କି ମନ୍ତ୍ର ଦେଉଛି ମାଟିର ମଣିଷ ଆରେ,
ମୁଗ୍ଧ ତୋହାର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ?
ମଥା ତୋଳି ସେଇ ଯନ୍ତ୍ର ଯେ ସଦା ରୁଦ୍ର ଦାନବ ପରି
ଛିଡ଼ା ହୋଇଅଛି ଚାରିପାଶେ ତାର ଲୁହାର ଫଉଜ ଧରି।
ଗର୍ଜ୍ଜି ଉଠୁଛି ଥରେ ଥରେ ପୁଣି ଭୀମ ଭୈରବ ରବେ
ନିଃଶ୍ବାସ-ଧୂମ-ଉଛ୍ୱାସ ତାର ଛାଡ଼ଇ ମୌନ ନଭେ।
ଦେଖି ପାରୁନୁ କି ତୁ ରେ,
ଚିହ୍ନିପାରୁନୁ ବହ୍ନିଶିଖା ଯେ ଜଳୁଛି ତାହାର ମୂଳେ।
ମଳିନ ଏ ମାଟି ତୋହରି ମା’ଟି ଜୀବନଧାତ୍ରୀ ତୋର
ଉତ୍ତାନେ ପଡ଼ି ରହିଚି ଦିବସ ରଜନୀ ସଞ୍ଜ ଭୋର।
ବିପୁଳ ଏହାରି ସ୍ତନ୍ୟ ଦାନେରେ ବିପୁଳ ଏହାରି ସ୍ନେହେ
ପୁଷ୍ଟ ହୋଇଚି ଅଙ୍ଗ ତୋହର ବର୍ଣ୍ଣ ଫୁଟିଛି ଦେହେ।
ଏ ତୋହ ମାଆର ବକ୍ଷ-ଉଛୁଳା ଗଭୀର ସେନେହ ଭୁଲି
କେଉଁ ପରି ଆଜି ଭରସା କରିଚୁ ଯନ୍ତ୍ର ଚିତାର ଚୁଲି।
ଅନା ଅନା ଫେରି ଥରେ,
ଅନା ଅନା ତୋର ଦୃଷ୍ଟି ଫେରାଇ ମଳିନ ଏ ମାଟି ପରେ।
କାନ୍ଦୁଚି ତୋର ମାଟିର ଲକ୍ଷ୍ମୀ, କାନ୍ଦୁଚି ତୋର ଘର
ରୁକ୍ଷ ଉରସେ ପଡ଼ି ରହିଅଛି ଖେତର ଜାତକ ତୋର।
ସରଳ ତୋହର କାଲିର ଜୀବନ ଭାବୁଅଛୁ କିରେ ସତେ
ଦୟାକରି ଟିକେ ଆଣୁଅଛୁ କି ରେ ତାହାର ସ୍ମୃତି ପଥେ।
ଜଳ-ବର୍ଷିତ ହଳ-କର୍ଷିତ ଜମିର ସୁରଭି ବାସ
ଘଡ଼ିକ ପାଇଁକି ଅନ୍ତରେ ତୋର ଭରୁନାହିଁ ଉଲ୍ଲାସ?
ସ୍ବର୍ଣ୍ଣ-ଧାନର ବିଭା,
ଦଣ୍ଡକ ଲାଗି ଚକ୍ଷେ ତୋହର ଦିଶି ଯାଉନାହିଁ କିବା?
ଦିଗନ୍ତ-ଭରା ପକ୍ବଧାନର ମନମତାଣିଆ ଗନ୍ଧ
ହୃଦୟେ ତୋହର, ପରାଣେ ତୋହର ଜଗାଉନାହିଁ କି ସ୍ପନ୍ଦ?
ଆଖୁ କିଆରୀର ଛାଇତଳେ ବସି କୈଶୋରର ଖେଳହସ,
ପଉଷ ମାସର ଅମିୟ ସମାନ ମଧୁର ଦୋରୁଅ ରସ।
ଗାଆଁ ବାଡ଼ିତଳେ, କପା ତଇଲାରେ କପା ଫୁଟିବାର ଶୋଭା
ତାରା ଫୁଟିବାର ମଉଛବ ପରି ହେଉନାହିଁ ମନ ଲୋଭା?
ସୋରିଷ ଖେତର ବର୍ଣ୍ଣ
ଦଣ୍ଡକ ପାଇଁ ଅନ୍ତର ତୋର କରୁନାହିଁ ମୋହାଚ୍ଛନ୍ନ?
ମନେପଡ଼ୁନାହିଁ ତମରି ଗାଆଁର ଛଇଳ ଚପଳ ନଈ
ପଲ୍ଲୀବଧୂର ସ୍ନିଗ୍ଧ ମଧୁର ପାଣି ବୋହିବାର ଛାଇ।
ମନେ ପଡ଼ୁନାହିଁ ତାଳବନତଳେ ଗୋଷ୍ଠ-ବିହାରୀ ଧେନୁ
ମନେ ପଡ଼ୁନାହିଁ ଗୋପାଳ ପୁଅର ଧୀର-ମୂର୍ଛିତ ବେଣୁ।
ଲଙ୍ଗଳ ଆଜି ଡାକୁଅଛି ତତେ ତୋର ସନ୍ତକ ସମ
ମଙ୍ଗଳ ଜାଣି ଡାକୁଅଛି ଆରେ ମାଟିର ପତଙ୍ଗମ।
ଉର୍ବର ତୋର ପ୍ରାଣ,
ଯନ୍ତ୍ରପୁରୀର ଇସ୍ପାତ ପରି ହୋଇଯାଇଅଛି ଟାଣ।
ଯନ୍ତ୍ର ତଳେ ତ ପରାଣ ନାହିଁରେ ମରଣର ତହିଁ ଘର
ଦିନରାତି ତହୁଁ ଚିତାର କୁହେଳି ହେଉଅଛି ଉତ୍ଥଳ।
ଆଗାମୀ ଯୁଗର ଦ୍ରଷ୍ଟା ମୁଁ ଆଜି ଡାକୁଅଛି ଏଇ କୂଳେ
ପତଙ୍ଗ ପରି ଝାସ ଦେ ନାହିଁ, ଦେ ନାହିଁ ତାର ମୂଳେ।
ମାଟିର ଅଙ୍କେ ଜନ୍ମ ପାଇଚୁ ଝର୍ରେ ତାହାରି ପରେ
ମାଟିର ବକ୍ଷେ ଜନ୍ମ ଲଭିବୁ ନବ ଜନ୍ମାନ୍ତରେ।
ଫେରିଆ ପୂରୁବ ପଥେ,
ଅକାରଣେ ଆଉ ଧୂଆଁ ହୁଅ ନାହିଁ ଯନ୍ତ୍ର-ଧୂଆଁର ସାଥେ।
-0-
(‘ମାଟିର ମଣିଷ’ କବିତାରେ ମାଟିର ମଣିଷକୁ କବି କୃଷି ସଭ୍ୟତାକୁ ପରିହାର କରି ଆଶୁ ଅର୍ଥଲାଭ ପାଇଁ ଯନ୍ତ୍ର ସଭ୍ୟତାର ଉପାସନା କରିବାକୁ ବାରଣ କରିଛନ୍ତି।) ଏହି କବିତାଟି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୯୨ ମସିହାରେ ପ୍ରକାଶିତ ‘ସାହିତ୍ୟ ବିତାନ’ ପୁସ୍ତକରୁ ସଂଗୃହୀତ।

