ଅଠାନବେ ମସିହାର
କେଉଁ ଏକ ପଉଷ କାଳର ଭିଜା ଶୀତୁଆ ସଞ୍ଜରେ
ଭେଟିଥିଲି ତାକୁ,
ଇବ୍ ନଈ ଆରପାରି ବନ୍ଧପାଲି ଗାଁ ମୁଣ୍ଡ
ଶାଳବଣ ଉହାଡ଼ରେ ବାଣ୍ଟି ଚାଲିଥିଲା
ଦନା ଦନା ହାଣ୍ଡିଆ, ମହୁଲି।
ଆଠହାତି କସ୍ତା ଖଣ୍ଡିକରେ
ଦେହ ତାର ଅଧା ଅନାବୃତ୍ତ
କଙ୍ଗାରୁ ଶାବକ ପରି
କାଖତଳେ ଲଟ୍କି ରହିଥିଲା ତା’ ବର୍ଷକର ଛୁଆ
ଜୁଳୁଜୁଳୁ ରହିଥିଲା ଚାହିଁ।
ପଚାରି ବୁଝିଲି-
ନାଁ ତାର ମାରିୟମ୍ ଲାକ୍ରା,
ପାଞ୍ଚଟି ସନ୍ତାନ ତାର
ବନ୍ଦ ହେବାପରେ ସିମେଣ୍ଟ କାରଖାନା
ସ୍ବାମୀ ତା’ର ହେଇଚି ବେକାର
ମଦରନ୍ଧା ବେଉସାରେ
ଦୁଃଖ କଷ୍ଟେ ଚଳାଏ ସଂସାର।
ଆଜି ତାର କଚ୍ଚେବାର
ସୁନ୍ଦରଗଡ଼ରୁ କେଉଁ ବାବୁ ଆସି
ସାତଦିନ ହେଲା ଦେଇଯାଇଛନ୍ତି ଟଙ୍କା ଦି’ହଜାର
ଯୋଗାଇ ଦେବାକୁ ମଦ
ଯାହାର ବା ଯେତେ ପ୍ରୟୋଜନ,
ପରଦିନ ସକାଳୁ ଯେ ଭୋଟ୍ ଗ୍ରହଣ।
ବୁଝିହେଲା ନାହିଁ,
ଇଏ ମାରିୟମ୍ ଲାକ୍ରା, ନା ମାଣିକ ଗୌଡ଼ୁଣୀ।
ବିଚରା ଦହିବାଲୀ କ’ଣ ବା
ବୁଝିଥିଲା ଗଜପତିର ଫିକର
କଳା ଧଳା ଘୋଡ଼ା ଚଢ଼ି
ଯାଉଥିବା ଦୁଇ ଅଶୁଆର ସତରେ କାଳିଆ ବଳିଆ
ନା ସୁନାମୁଦି ଆଣିଥିବା
କପଟୀ ରାଜାର ବଶମ୍ବଦ ପାଇକ?
ଜଗନ୍ନାଥଙ୍କ ଦ୍ବାହି ଦେଇ
କ୍ଷତାକ୍ତ ଓ ରଣନିବୃତ୍ତ ପାଇକ କୁଳକୁ
ପରାସ୍ତ ପୁରୁଷୋତ୍ତମ
କେଉଁ ସ୍ବାର୍ଥରେ ବା କରୁଥିଲେ
କାଞ୍ଚି ଅଭିଯାନ, ବୁଝିଥିଲା କି ମାଣିକ?
ନା ଏବେ ବି ବୁଝିପାରୁଚି ମାରିୟମ୍?
ବାସ୍ ଗୋଟେ ରତ୍ନମୁଦିରେ କି ନୋଟ୍ ବିଡ଼ାକରେ
ଏମାନେ ତ ଚିର ପ୍ରତାରିତା,
କ୍ଷମତା ଓ ବିଳାସର ସହଜପ୍ରାପ୍ତି ପାଇଁ
ଶାସକ ତ ଲୋଡ଼ୁଥାଏ
ମାଣିକ ଓ ମାରିୟମ୍ର ଦୈନ୍ୟ, ସରଳତା।
ତେବେ କାହାକୁ କହିବା ଇତିହାସ?
ବଦଳିଯାଇଚି କି ଆକାଶର ରଙ୍ଗ?
ସ୍ଥିର ହେଲାଣି କି ଏଯାଏଁ ଟଳମଳ ସୂର୍ଯ୍ୟ?
କେବଳ ଦହିର ନାଁ ହେଉଚି ମଦ୍ୟ,
ମାଣିକପାଟଣାର ନାଁ ହେଇପାରେ
ମାରିୟମ୍ ପାଲି,
କାଞ୍ଚି ଅଭିଯାନର ନାଁ ବଦଳି
ହେଇଚି ନିର୍ବାଚନ।
ନା ମାଣିକର ଭାଗ୍ୟ ବଦଳିଚି
ନା ମାରିୟମ୍ର ଜୀବନ।