ଚନ୍ଦ୍ର ନୁହଇ ରମଣୀ ମୁଖର ମଞ୍ଜୁଳ ଉପମାନ,
ଚନ୍ଦ୍ର ନୁହଇ ସୁଧାନିଧ ଅବା ରୋଟି,
ବିଜ୍ଞାନୀ ଆମେ ପୃଥିବୀର ନାଗରିକ,
ଅନ୍ତରେ ଆଜି ବୁଝି ପାରିଅଛୁ ନୂତନ ତତ୍ତ୍ବ ଗୋଟି।
ପୃଥିବୀ ପରାଏ ଚନ୍ଦ୍ର ସେ ଏକ ଦେଶ,
ବକ୍ଷରେ ତାର ତୁଙ୍ଗ ପାହାଡ଼, ଘନ ବନାନୀର ରେଖା,
ନ ବୁଝି ନ ସୁଝି ଏତେ ଦିନ ଯାଏ ଆମେ
କହୁଥୁଲୁ ତାହା ଶଶାର ଚିତ୍ରଲେଖା।
ଦୂର ସରଣୀର ଦୁର୍ଗମ ତମସାରେ
ଯୁଗର ଯାତ୍ରୀ ବିଜୟୀ ଆମେ ଏ ପୃଥିବୀର ସନ୍ତାନ,
ଚନ୍ଦ୍ର ରାଇଜେ ପଠାଇଛୁ ସ୍ଫୁଟ୍ନିକ୍
ଚନ୍ଦ୍ର ରାଇଜେ କରିଅଛୁ ଅଭିଯାନ।
ଲାଇକାରେ ତୁହି ପୃଥିବୀର ସାରମେୟ,
ଚନ୍ଦ୍ରମୁଲକେ ପ୍ରଥମେ ତତେରେ ପଠାଇ ଦେଉଚୁ ତତେ,
ପ୍ରଥମ ଯାତ୍ରୀ, ପ୍ରଥମ ସହିଦ ତୁହି
ବାଞ୍ଛିତ ଆମ ଦିଗ୍ବିଜୟର ପଥେ।
ଦୃପ୍ତ ପତାକା ଉଠାଇ ଊର୍ଦ୍ଧ୍ୱ ନଭେ
ଦିଗ୍ବିଜୟର ଉଲ୍ଲାସେ ଆଜି ମତ୍ତ ଧରଣୀବାସୀ,
ମାତ୍ର ଲାଇକା କରୁଣ ତୋ ଚିତ୍କାର
ଗଭୀରତର ମୋ ମର୍ମେ ବାଜୁଚି ଆଜି।
-୦-
(୧୯୫୭ ମସିହାରେ ଋଷିଆ ଦ୍ୱାରା ମହାକାଶକୁ ପଠାଯାଇଥିବା ପ୍ରଥମ ପଶୁ-ଲାଇକା ଯାହା ଏକ ବୁଲା କୁକୁର ଥିଲା, ଆଧାରରେ ଏହି କବିତାଟି ଲିଖିତ।)
ଗଡ଼ନାୟକ ଗ୍ରନ୍ଥାବଳୀ ଭାଗ-୧(୨୦୦୭), ଗ୍ରନ୍ଥମନ୍ଦିର ଦ୍ୱାରା ପ୍ରକାଶିତ ପୁସ୍ତକରୁ ଏହି କବିତାଟି ଆନୀତ

