ଘେନାକର ସରକାର
କିଣିଖିଆ ଗୁହାରି
କିଣିଖିଆ ଗୁହାରି । ଘୋଷା ।
ଅଖା ପଟ ବୋହି ବୋହି କୁରୁମ ଆମେ,
ପଶୁଠୁଁ ହୀନ ବହିଛୁଁ ମଣିଷ ନାମେ
ଝାଳ ପୋଛି ଗୋଡ଼ ଭାଙ୍ଗିପଡ଼ି ଭିଖାରି ।୧।
କିଏ ଖଟିଲା କିଏ ସେ ଖାଇଲା ଲାଭ
ତେଲି ତେଲଙ୍କର ଏବେ ଲାଗିଛି ଭାବ
ଥୋଡ଼ିଆ ବଳଦ ମଲୁଁ ପିଡ଼ିଆହାରୀ ।୨।
ସଉକେ ହୋଇଛୁଁ ମାଛିମରା କିରାନି
ବେକରେ ବାନ୍ଧିଛୁଁ ପାଞ୍ଚ ଛଅ ପରାଣି
ପେଟେ ଭୋକ ମୁହେଁ ଲାଜ ଭଗାରି ।୩।
ବଳକା ପ୍ରଦେଶ ବୋଲି ଉଡ଼ିଲା ବାନା
ବିଦେଶେ ଠେଲିଲ ଆମ ପରାଣ-ଦାନା
ପାଖକେ ଖଳା ପାଖକେ ଛତରଖାନା
ପାଦୁକା ଦାନ ଲଭିଲ ଗୋଧନ ମାରି ।୪।
୰ ମନମୋହନ ମିଶ୍ର
ପରାଧୀନ ଭାରତକୁ ସ୍ବାଧୀନ କରିବା ପାଇଁ ଏବଂ ତତ୍କାଳୀନ ସାମନ୍ତବାଦୀ ଓ ଔପନିବେଶିକ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ହାସଲ କରିବା ଲକ୍ଷ ନେଇ ମନମୋହନ ମିଶ୍ର(୧୯୨୦-୨୦୦୦) କବିତା ଲେଖିବା, ସ୍ବର ସଂଯୋଜନା କରିବା ଏବଂ ସ୍ବରଚିତ କବିତାଗୁଡ଼ିକୁ ଆବୃତ୍ତି କରି ଦେଶର ଅଗଣିତ ଖଟିଖିଆ, ମୁକ୍ତିକାମୀ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିପାରୁଥିଲେ। କବି ମନମୋହନ ଦୀର୍ଘ ୬୬ ବର୍ଷ ଧରି ଅସଂଖ୍ୟ ବିଳ୍ପବୀ କବିତା ରଚନା କରି ଯାଇଛନ୍ତି।
ପୀଡ଼ିତ ଲୋକ ପ୍ରାଣର ସ୍ବର ଓ ମର୍ମବେଦନା ତାଙ୍କ କବିତାର ଏକ ପ୍ରମୁଖ ଉପାଦାନ। ଜଣେ ବାମପନ୍ଥୀ ନେତା, ସ୍ବାଧୀନତା ସଂଗ୍ରାମୀ ସହିତ ଆଜୀବନ ଶୋଷଣ, ଅତ୍ୟାଚାର ଓ ଅବିଚାର ବିରୋଧରେ ଲଢ଼େଇ କରିଥିବା ନିଜ ଜୀବନର ଅଭିବ୍ୟକ୍ତିକୁ ହିଁ ସେ କବିତାରେ ରୂପ ଦେଉଥିଲେ। କବିତା ବ୍ୟତୀତ ‘ଚଳନ୍ତି ଭାଷାର ପ୍ରୟୋଗ’ ଓ ‘ଚଳନ୍ତି ଭାଷାର ବିଜ୍ଞାନ’ ହେଉଛି ତାଙ୍କ ରଚିତ ଓଡ଼ିଆ ଭାଷାର ଦୁଇ ଉପାଦେୟ ପୁସ୍ତକ।
କ୍ରମେ ସବିଶେଷ →