
ଏତେ ବୋଲି ବାପା ଝିଅର ଆଖିରୁ
ଦେଲେ ଲୁହଧାର ପୋଛି,
ଯେତେ ପରି ତାକୁ ବୁଝାନ୍ତି ବସି ଲୋ,
ଜାଇ ବୁଝୁ ନାହିଁ କିଛି।
‘ଭଲ କରି ନାଆ ବୁହା, ରେ ନାଉରି,
ଝିଅକୁ ମାଡ଼ୁଛି ଡର;
ଏତେ କାଳେ ଜାଇ ନାଆରେ ବସିଛି,
ଯିବ ବୋଲି ଶାଶୂ ଘର।’
ଭଲ କରି ନାଆ ବାହୁଛି ନାଉରି,
ଭିଡ଼ି ମାରୁଅଛି କାତ;
ସୁଲୁ ସୁଲୁ ବାଆ ବୋହି ଆସୁଛି ଲୋ,
ଜଣା ନ ପଡ଼ଇ ବାଟ।
ନାଆ ଭାସି ଆସି ଦଣ୍ଡକ ଭିତରେ
ମଝି ଗଣ୍ଡେ ହେଲା ଯାଇ;
ଥିର ହୋଇ ହେଲା ନାଉରି ଠିଆ ଲୋ,
କାତ ଆଉ ପାଉ ନାହିଁ।
ଭାଲେରି-ଶିଖାରୁ କଳା ମେଘ ଖଣ୍ଡେ
ଉଠେଇ ଆସିଲା କାହୁଁ;
ଲୁଚିଗଲେ ତହିଁ ସୂର୍ଯ୍ୟ ଦେବତା ଲୋ,
ଖରା ନପଡ଼ଇ ଆଉ।
ମାଡ଼ି ଆସୁଅଛି ଅତି ବେଗେ ମେଘ,
ଜଟିଆ ନାସିକ ଧରି;
ବରଷା ବତାଷି ଗରଜୁ ଅଛି ଲୋ,
ଦିନ ଦିଶେ ରାତି ପରି।
ନାଆ ପଡ଼ିଅଛି ମଝି ଗଣ୍ଡେ ଆସି,
ବୁଡ଼ିଯିବ ହାତୀ ଛତି;
ଟଳମଳ ହୋଇ ଟଳୁଛି ନାଆ ଲୋ,
ନାଉରିର ବଡ଼ ଭୀତି।
‘ଭଲ କରି ବେଗେ ବୁହାରେ ନାଉରି,
ନାଆ ହେଲା ଟଳମଳ;
ବରଷା ବତାଷି ଗରଜି ଆସୁଛି,
ଝିଅକୁ ମାଡ଼ୁଛି ଡର।
ବରଷା ବତାଷି ଗରଜି ଆସିଲା,
ନାଆ ନୁହେଁ ଥୟ କରି;
ଏକା ପବନକେ ପାହାଡ଼େ ଯାଇ ଲୋ,
ପିଟି ହୋଇଗଲା ଚୂରି।
ମେଘ ଚାଲିଗଲା ମେଘର ବାଟେ ସେ,
ବତାସି ହୋଇଲା ଥିର;
ପଡ଼ିଗଲା ଖରା ନିର୍ମଳହୋଇ ଲୋ,
ପାଣି ହୁଏ କଳ କଳ।
ବାପା ପଚାରନ୍ତି ଖୋଜି ନାଉରିରେ
‘ଝିଅ ମୋର ଗଲା କାହିଁ ?’
ବୁଜି ଆଖି ଠିଆ ନାଉରି ନିଜେ ଲୋ,
ତୁଣ୍ଡ ତା’ ଫିଟଇ ନାହିଁ।


ପଢିବାକୁ ବହୁତ ଭଲ ଲାଗୁଛି। ସ୍କୁଲ୍ ସମୟର କଥା ମନେ ପଡୁଛି। ଏହା ପ୍ରକାଶ କରିଥିବାରୁ ଅନେକ ଅନେକ ଧନ୍ୟବାଦ୍।
ଗୋଦାବରୀଶ ଙ୍କ ଏକି କବିତାର ବିକଳ୍ପ ନାହିଁ । ଏହାକୁ ପଢିଲେ ସ୍କୁଲ ବେଳର କଥା ମନେ ପଡିବ ସହ ଆଖିରେ ଲୁହ ଆସିଯାଏ । ଏହା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ସହାୟକ ହୋଇଛି ।ଧନ୍ୟବାଦ
ଅତ୍ୟନ୍ତ ମର୍ମସ୍ପର୍ଶୀ କବିତା । ପଢିବା ସମୟରେ ଜୀବନ୍ତ ହୋଇଗଲା ସେ କାହାଣୀଟି ମୋ ମନ ଭିତରେ । ଅନୁଭବ କରିପାରିଲି ନାଉରି ମନର ଶଙ୍କାକୁ, ଝିଅର ସେ କାରୁଣ୍ୟ ଚାହାଣୀ, ମନର ଅଥୟତା କୁ ଏବଂ ବାପର ଅସରନ୍ତି ସ୍ନେହଁକୁ ।
ପିଲାବେଳେର କଥା ମନେପଡିଲା।ଯେତେବେଳେ ଏହାକୁ ଆମେ ପଢି ମୁଖସ୍ଥ କରୁଥିଲୁ।ସତରେ ଇଣ୍ଟରନେଟରୁ ପଢି ଖୁସି ଲାଗୁଛ।ପ୍ରସିଦ୍ଧ କବିତାଗୁଡିକ ଉପଲବ୍ଧ ହେଲେ ବହୁତ ଭଲ ହେବ।