କାଳିଅନ୍ଧାରୁଁ ସେ ଚାଲି ଯେ ଅଇଲା,
ଦେଖି ତ ନାହିଁଛି ତାକୁ;
ଭାରି ଖ୍ୟାତ ନଈ, ନାଆଁଟି ତା’ର ଲୋ,
ତିନି କୋଡ଼ି କୋଶେ ଡାକୁ।

ମାଆ ଭଗବତୀ ପୀଠ କୂଳେ ତା’ର,
‘ଜଗତତାରିଣୀ’ ନାଆଁ,
ଡାକି କହିଥାନ୍ତି, ନୋହିଲା ଆଉ ଲୋ,
‘ସାହା ମୋ ଥିବୁଟି, ମାଆ!’

ନାଆ ଆସି ହେଲା ଦଣ୍ଡକେ ପ୍ରବେଶ
ଚଢ଼େଇହଗା ପାହାଡ଼େ,
ଘଣ୍ଟଶିଳା ଆଉ ନ ଦିଶେ, ଲୁଚି ଲୋ,
ରହିଲା ଶାଳିଆ ଦୂରେ।

ଚାହୁଁ ଚାହୁଁ ଆସି ଛୁଇଁଲା ତ ନାଆ
ଗଣ୍ଡ ତଡ଼ କଳା ପାଣି;
ଝରେ ଝିଅ ଦୁଇ ଆଖିରୁ ଲୁହ ଲୋ,
ତିନ୍ତେ ପିନ୍ଧା ଛିଟ କାନି।

‘ପାରିକୁଦ ବୋଲି ରାଇଜ ପୁଣି ସେ
ଚିଲିକା ମଝିରେ କାହିଁ;
କେମନ୍ତେ ମୂର୍ଛିଲ ଝିଅକୁ, ବାପା ହେ,
ଏତେ ଦୂରେ ଦେବା ପାଇଁ?
ବର ବୋଲି ଯାର ଧରାଇଲ ହାତ
କି ତା’ର ଦେଖିଲ ଶିରୀ?
ରୂପ ବିଦ୍ୟା ଆଉ ବିଭବ, ବାପା ହେ,
ତିହ୍ନିଏ ତିହ୍ନିକି ବଳି୤
ମହୀମଣ୍ଡଳେ ତ ନଥିବ କେ କାହିଁ
ମୋ ଭଳି ନିରେଖ ଜନ;
ଏ ମହାସମୁଦ୍ର ମଝିରେ, ବାପା ହେ,
କେମନ୍ତେ ବଞ୍ଚିବି ଦିନ?

ଏଡ଼େ ହୀନିମାନ କରିବାକୁ ଯେବେ
ମନରେ ଥିଲା ବିଚାର,
ଏନ୍ତୁଡ଼ିଶାଳେଟି, କିପାଇଁ, ବାପା ହେ,
ତଣ୍ଟି ଚିପି ନ ମାରିଲ?
ଝିଅକୁ ନିଶ୍ଚିନ୍ତେ ଦେଇଛ ପଠାଇ
ବନସ୍ତକୁ ଜାଣୁ ଜାଣୁ;
କପାଳ ଆଦରି ଯାଉଛି, ବୋଉ ଲୋ,
ପାସୋରି ନ ଦେବୁ ମନୁଁ।

ନାଆ ଉଡ଼ିଯାଏ ପବନ ସମାନେ,
ନାହିଁ କ୍ଷଣେ ହୁଏ ଥୟ;
ଝିଅ ବସିଅଛି ତୁନିଟି ହୋଇ ଲୋ,
ନେତ୍ରୁ ବୋହିଯାଏ ଲୁହ।
‘ନାଆ ଚାଲିଅଛି ପବନ ସମାନେ,
ନ ମାନେ ପାଣି ପଥର;
ତୁନି ହୁଅ, ଜାଇ, ନ କାନ୍ଦ ଆଉ ଲୋ,
ଏଇ ଦିଶିଲାଣି ଗଡ଼।’

Pages: 1 2 3 4