(ରାଗ-ଚୋଖି)
ତୁହି ମା ଜନମଭୂମି ପବିତ୍ର ଭାରତଭୂମି
ତୋହର ସନ୍ତାନ ଆମ୍ଭେ ଅଟୁଁ ସରବେ,
ତୋର ଶ୍ରୀଚରଣ ସେବା ପାଇଁ ମନ ପ୍ରାଣ ଦେବା
ଗାଇବା ତୋହର ନାମ ଆନନ୍ଦ ରବେ।
ତୋ ଆନନ୍ଦେ ହୋଇବା ସୁଖୀ,
କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ।
ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର
ମସ୍ତକରେ ହିମାଳୟ ପର୍ବତବର,
ଦୁଇ ପାରୁଶେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁନଦୀ
ଚରଣରେ ବିରାଜିତ ମହାସାଗର।
ବିନ୍ଧ୍ୟ ଗିରିବର କଟିରେ,
ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ।
ଜନମିଲେ ତୋ କୋଳରେ କେତେ ସୁର ବୀର ନରେ
ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜ୍ଜୁନ,
ମହାକବି ବେଦବ୍ୟାସ, ବାଲମୀକି, କାଳିଦାସ
ଗାଇଲେ ପବିତ୍ରକଣ୍ଠେ ତୋହରି ଗୁଣ।
ଚୈତନ୍ୟାଦି ମହାତ୍ମାଜନେ,
ପଚାରିଲେ ବିଭୁନାମ ଆନନ୍ଦ ମନେ।
କେତେ କେତେ ପୁଣ୍ରବତୀ କେତେ ପତିବ୍ରତା ସତୀ
କେତେ ବୀରନାରୀ କେତେ ବୀରଜନନୀ,
ସମସ୍ତେ ତୋର ଦୁହିତା, ପଦ୍ମିନୀ, ସାବିତ୍ର, ସୀତା
ଦୁର୍ଗାବତୀ ଆଦି ଯେତେ ବୀରରମଣୀ।
ନମଇ ମା ଭକତିଭରେ,
ଅଧମ ଅକ୍ଷମ ସୁତ ତୋ ଚରଣରେ।
-୦-
ଉକ୍ତ କବିତାଟି କଟକ ଷ୍ଟୁଡେଣ୍ଟ୍ସ ଷ୍ଟୋର୍ ଦ୍ୱାରା ୨୦୦୯ ମସିହାରେ ପ୍ରକାଶିତ ‘ମଧୁସୂଦନ ଗ୍ରନ୍ଥାବଳୀ’ ପୁସ୍ତକରୁ ଆନୀତ।

