
(ରାଗ-ଆଷାଢ଼ ଶୁକ୍ଳ)
ଅମ୍ବର ସର ଦିଶଇ ମଞ୍ଜୁଳ।
ମାମୁଁ ତହିଁରେ ତ ପଙ୍କଜ ଫୁଲ।
ଉଜ୍ଜ୍ବଳ କୁମୁଦ ତାରା ସଙ୍କୁଳ।
ଗ୍ରହ ଗ୍ରାହରେ ହୋଇଛି ଆକୁଳ।
ଚନ୍ଦିକ୍ରା ଲହରୀ।
ଘନ ଘନ ତହିଁ ଅଛି ବିହରି ।୧।
ମାମୁଁ ଅପଘନ ବଡ଼ ଧବଳ।
ଦୁଗ୍ଧଧାରା ପରି କିରଣ ଜାଳ।
ହାଣ୍ଡିରେ ପଡ଼ି ଦିଶୁଛି ମଞ୍ଜୁଳ।
ବିରାଡ଼ିମାନେ ଆନେନ୍ଦ ଚଞ୍ଚଳ।
ଦୁଗ୍ଧ ମନେ କରି।
ଚାଟୁ ଅଛନ୍ତି ରସନା ପ୍ରସାରି ।୨।
ଦିନେ ଉପବନେ ଦେଖିଲି ଯାଇ।
ଅତି ସରାଗରେ ଫୁଟିଛି ଜାଇ
ତୋଳିବାକୁ ମନ ହୋଇଲା ବାଇ।
ସରସର ହୋଇ ଗଲି ମୁଁ ଧାଇଁ।
ଦେଖିଲି ଗଛର।
ଛିଦ୍ରରୁ ପଡ଼ିଛି ମାମୁଁର କର ।୩।
ମାମୁଁ ହୋଇଛି ସଂସାର-ପ୍ରଦୀପ୍ତ।
ପ୍ରକାଶ କରୁଛି ସପତ ଦ୍ବୀପ।
ଧୋବ କରିଦେଲା ଅନ୍ଧାର ରାତି।
ଛାଡ଼ି ଦେଇଥିବା ଦେହରୁ କାତି
ରଜନୀ ସର୍ପିଣୀ।
ମଥାମଣି ପରି ବିରାଜେ ପୁଣି ।୪।
ହିରଣ୍ୟ ଗର୍ଭଙ୍କ ସୁବର୍ଣ୍ଣ ପିଠା।
କରିବ ବୋଲିକି କାଞ୍ଚନ ଅଟା।
ଚଳାଉଅଛି ମାମୁଁ ଚାଲୁଣିରେ।
ତହୁଁ ଚୁନା ଗଳିପଡ଼େ ଧରାରେ।
ତାକୁ ଆମ୍ଭେମାନେ।
ମାମୁଁ କରବୋଲି ଭାବୁଛୁ ମନେ ।୫।
‘‘ବ୍ରହ୍ମାଣ୍ଡ ହାଣ୍ଡିରେ ଆକାଶ ପଣା।
ତାରକାମାନେ ହୋଇଛନ୍ତି ଛେନା
ତହିଁରେ ମାମୁଁ ତ ଅଟନ୍ତି ସାଚି।
ଅଧେଗୋଳି ହୋଇ ଅଧେକ ଅଛି’’
ତୃଷାରେ ତାପିତ।
ତପନ, କରେ ପିଉଛି ସନ୍ତତ ।୬।
ଦେଖ ମାମୁଁର କିରଣ ପ୍ରକାର।
ହୋଇଛି କତକ ଗୁଣ୍ଡା ଆକାର।
ଅନ୍ଧାର ମହା ସାଗରରେ ପଡ଼ି।
ମଳିକି ଦେଉଛି ତଳକୁ ତଡ଼ି।
ଛାଇଯାକ ମିଛ।
ପଙ୍କ ଗୁଡ଼ାକ ବସିଛି ଦେଖୁଛ ।୭।
ଦେଖିଲି ମାମୁଁର କର କର୍ତ୍ତରୀ।
ଆକାଶ କଳାକୁ ଦେଲା କତୁରି।
ନାନାସ୍ଥାନେ ଘର ବୃକ୍ଷର ଛାଇ।
ବୋଲନ୍ତି ଯେହୁ ନିଶ୍ଚୟ ସେବାୟୀ।
ଜାଣିଲି ଜାଣିଲି।
ପଡ଼ିଛି ତଳରେ ଆକାଶ ଛାଲି ।୮।
ଚନ୍ଦ୍ରିକା ପାଉଁଶ ବୋଳି ଦେହରେ।
ତାରକା ଅସ୍ଥି ଲମ୍ବାଇ ଗଳାରେ
କପାଳ କରି ଧରିଛି ମାମୁଁଙ୍କୁ।
ତହିଁ ରଖିଛି ସିଦ୍ଧ ଅଞ୍ଜନକୁ।
ରଜନୀ କାପାଳୀ।
ଭ୍ରମୁଛି ଏଦ୍ବୀପ ସେଦ୍ବୀପ ମିଳି ।୯।
କେହି କେହି ଦେଖି ମାମୁଁ କଳଙ୍କ।
କହୁଥାନ୍ତି ଏହା ସାଗର ପଙ୍କ।
କେ କହେ ଧରିଛି କୁରଙ୍ଗ ବର।
ଭୂମିର ଛାଇ ବୋଲନ୍ତି ଅପର।
ସବୁ ମିଛ ମାଳା।
ଅମୃତ ହାଣ୍ଡିର ନିଶ୍ଚୟ କଳା ।୧୦।
ଦିନେ ଗିଳୁଥିଲା ରାହୁ ମାମୁଁଙ୍କୁ।
ସେକାଳେ ମେଘ ଧାଉଁଛି ପୂର୍ବକୁ
କୁତୁହଳୀ ହୋଇ ଦେଖିଲି ଯାଇ।
ହାତୀପରି ଏକ କଳା ବିଲାଇ।
ଉଦ୍ଦେଶି ପ୍ରତିଚୀ।
ପିଠା ଗୋଟେ ଚାବି ପଳାଉଅଛି ।୧୧।
ପୂର୍ବ ଅଚଳେ ମାମୁଁ ଉଭାହୋଇ।
ଲହରୀ ସଦୃଶ୍ୟ କର ବଢ଼ାଇ।
କୁମୁଦ ଦଳ କବାଟ ଫିଟାଇ।
କର କାକର ଦିଅନ୍ତେ ଲଗାଇ।
ଚମକି ଉଠିଲା।
କୁମୁଦିନୀ ମନ୍ଦେ ମନ୍ଦେ ହସିଲା ।୧୨।