ଦିନ ଭଳି
ଜହ୍ନ ପଡ଼ିବା କଥା
ଆଦୌ ଗୁଜବ୍‌ ନୁହଁ॥
ଖରାଭଳି
ଜହ୍ନରେ ବି ଛାଇ ପଡ଼େ।

ମୁର୍ଦ୍ଦାର ହସିବା କଥା
ଆଦୌ ଗୁଜବ୍‌ ନୁହେଁ,
ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା
କରିଥିବା ତରୁଣୀ ପ୍ରିୟମ୍ବଦାର
ମୁହଁ ମୁଁ ଦେଖିଛି ପୂର୍ଣ୍ଣିମା ରାତିରେ;

କୋକେଇରେ ଚିତ୍‌କରି ଶୁଆଇବା ବେଳେ
ସେ ଯେମିତି ମୁଚ୍‌କି ମୁଚ୍‌କି ହସି
ଉଡ଼ାଇ ଦେଉଥିଲା ସଂଭାବ୍ୟ ପୁରୁଷର ମୁହଁ;

ଏତେ ସୁନ୍ଦର ବିମଳ ହସ
ଏତେ ଦୀର୍ଘ ସମୟ ପାଇଁ
ତା’ ଓଠରେ, ତା ଆଖିରେ

ଏବଂ ସର୍ବୋପରି ତା’ ମୁଖମଣ୍ଡଳରେ
ଏତେ ଜୀବନ୍ତ ହୋଇ ରହି ନଥିଲା
ତା’ ଜୀବିତାବସ୍ଥାରେ॥

କୁହୁଡ଼ି ଭଳି
ଛାଇ ଘୋଟିବା କଥା
ଆଦୌ ଗୁଜବ୍‌ ନୁହଁ।

ଟିକେ ଆଗେ ମା’ କୋଳରେ
ହଇଚଇ ସୃଷ୍ଟି କରି ଏବେ
ଝୁଲଣାରେ ନିଶ୍ଚିନ୍ତରେ ଶୋଇଥିବା
ଦକ୍ଷିଣା ରଞ୍ଜନର ମୁହଁକୁ ଚାହିଁ;

ସ୍ୱପ୍ନରେ ସ୍ୱପ୍ନରେ ଆସେ ଭାସି
ଅଯାଚିତ ସ୍ମୃତିର କୁହୁଡ଼ି
କେଉଁ ସୁଦୂର ଜନ୍ମର ଓ ଛୁଆଟିର

ମୁହଁ ମୋତେ ଦିଶୁଥାଏ
ନିରନ୍ଦ୍ର ଅନ୍ଧାର ଭିତରେ
ସ୍ୱଳ୍ପାଲୋକିତ ପ୍ରାଚୀନ ମନ୍ଦିର॥

ପାଣିରେ ତ ଯିଏ ନାଇଁ ସିଏ
ପାରିବ ପହଁରି,
ପବନର ଢେଉ କାଟି
କେତେଜଣ ଆସନ୍ତି ଉତୁରି?

ଗର୍ଭବତୀ ନଈ ହେଉ ବା
ପ୍ରଚଣ୍ଡ ଝଡ଼ର ବିଷାଦ ହେଉ
କେତେଜଣ ସମ୍ମୁଖୀନ ହୋଇଛନ୍ତି ସ୍ମୃତିକୁ ତାଙ୍କର
ସାଦାସିଧା ମଣିଷ ଭାବରେ??

ବିରହର ସ୍ମୃତି ଯେ
ଅଯଥା ବିଷାଦ ହେବ
ଏ ଗୁଜବ୍‌ ବିଶ୍ୱାସ କରିବା ଭଳି
ମୁଁ ନୁହେଁ ମୁର୍ଖ କି ପାମର॥