ପର ମୂଲ ଖଟି ଖଟି ଗୋକୁଳିଟି ରାତିକୁ ଫେରେ
ଅରଜନଯାକ ଭାତକୁ ନଅଣ୍ଟ, ଚାଉଳ ସେରେ।
ବୁଲି ବାରବାଡ଼ି ବୁଢ଼ୀକାଳେ, ଖୁଡ଼ି ଖୋଜନ୍ତି ଶାଗ
କାନିସିରି କଣ୍ଟା ମରିଷ, ଚାକୁଣ୍ଡା ଲହଙ୍ଗା ଅଙ୍ଗ।

ଗୋକୁଳି ଅରଜେ ଚାଉଳ ସେରକ ତୋରାଣି ପାଇଁ
ଖୁଡ଼ି ଅରଜନ ଅନାବନାତକ ତୁଣ ହୁଅଇ।
ପୁଅଟିକି ପାଇଁ ତେଲ ହଳଦୀ କିଅ ପଚାରେ
ପଗଡ଼ ଲୁଣ ତ ନ ମିଳଇ ତାଙ୍କୁ ତିନି ଦିନରେ।

କରମ ଆଦରି ନିଉଛୁଣା ପ୍ରାଣେ ସେ ଚାରି ପ୍ରାଣୀ
ଦିନକୁ ଦିନ ତ କଟେଇ ଦିଅନ୍ତି ପ୍ରମାଦ ଗଣି।
କେବେ କେବେ ଖୁଡ଼ି କରମକୁ ନିନ୍ଦି ମନକୁ ମନ
କହନ୍ତି ମୋ ଯୋଗୁଁ ଦୁଃଖ ପାଇଲା ମୋ ରଙ୍କରତନ ।

ପର ଝିଅଗୋଟି ଆଣିଲି ତା ଦୁଃଖ ମୋ ଦୁଃଖୂଁ ବଳି
କେତେଦିନ ଛିଣ୍ଡା ଦରଭା ପିନ୍ଧିବ ମୋ ଧନମାଳୀ।
ନିଉଛୁଣା ଚଷା ଜନମ କିପାଇଁ ଦିଏ ବିଧାତା
ଜମିଖଣ୍ଡି ଥିଲା ସେ ତ ପର ନେଲା ହେଲି ହୀନସ୍ଥା।

ନ ଦେଖନ୍ତି କିଛି ଯାଆନ୍ତା ବାହାରି ପୋଡ଼ା ପରାଣ
କିସ ପୁଣି ଦେଖା ନ ଯାଏ ବଞ୍ଚିଲେ, ଦଇବ ଟାଣ।
ଖୁଡ଼ୀ ଦୁଃଖ କେବେ କେବେ ଯେବେ ଶୁଣେ ବୋହୁଟି କାନେ
କହେ ମାଆ ତୁମେ କିପାଁ ଦୁଃଖ କର ଯା’ ଥିବ କର୍ମେ।

ଆଖିଲୁହ ତା’ର ଆଖିରେ ମିଶଇ ନ ଜାଣେ କେହି
ହସହସ ମୁହଁ ପାଇଟିପତର ସବୁ କରଇ।
ସାଇ ପଡ଼ିଶାଏ ଯେଝା ଦୁଃଖେ ଯେଝା ହୁଅନ୍ତି ଧନ୍ଦି
ସାଉକର ଋଣ ସୁଝିବାକୁ ଯାଆନ୍ତି କନ୍ଧିକି କନ୍ଧି।

ରଜା କର ଦାଉ ବେଠି କାଠ-ଫାଉ ଫଟାଏ ବୁକୁ
ପଚାରେ କେ ସାଙ୍ଗ-ସରିସା, ପରାଣ ଯା ଦୁକୁ ଦୁକୁ?