ତୁମର କରୁଣାର ଯୋଗ୍ୟ ନୁହେଁ ମୁଁ ଯେ-
ତୁମ କରୁଣା କିପାଁ ମାଗିବି,
ଦେଇଛ ଯେଉଁ ଦୁଃଖ ନିବିଡ଼ ଦାବ-ଦାହ,
ନୀରବେ ପ୍ରାଣେ ପ୍ରାଣେ ଭୋଗିବି।
ତୁମର ଲୋକ ଯେତେ ସୁଭଗ ଗରୀୟାନ,
ତାଙ୍କୁ ମନୋମତ କରୁଣା କର ଦାନ,
ତିଳେହେଁ ଅଭିମାନ କରିବି ନାହିଁ ନାଥ,
ଆପଣା ଶାସ୍ତିରେ ମିରିବି।
ତୁମର ସୁଖ ଲାଗି ସହି ମୁଁ ପାରେ ଯଦି
ତୁମ କୁଳିଶ-ବାଣ-କଷଣ,
ସେଇତ ଏ ଦୀନରେ ପରମ କରୁଣା ହେ,
ସୁଖଦ, ହୃଦ-ଦାବ-ଦହନ।
ଅହଙ୍କାର ମମ ଶରତ ମେଘ ସମ
ରିକ୍ତ ଆଜି ନାଥ, ଶୁଦ୍ଧ ସଚେତନ
ପରମ ବିନୟରେ ଶାସନ ନେବି ମାନି,
ତୁମରି ବିଧି-ଜୟ ଗାଇବି।
-୦-
ଉକ୍ତ କବିତାଟି ବିଦ୍ୟା ପ୍ରକାଶନ ଦ୍ୱାରା ପ୍ରକାଶିତ ତଥା ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ସଂକଳିତ ଓ ସମ୍ପାଦିତ-‘ଆଧୁନିକ ଓଡ଼ିଆ କବିତା ସମ୍ଭାର’ (୨୦୦୬), ପୁସ୍ତକରୁ ଆନୀତ।
