
ତଥାପି କହୁଛି ମୁଁ- “ଇଗଲର ହିଂସ୍ର ପ୍ରବୃତ୍ତି ଅନେକଟା ମରି ଆସିଲାଣି।” ମୁଁ ଅନେକ ସମୟ ନୀରବ ଥିଲି।
ଖାଲି ଚା’କପ୍ ଥୋଇଦେଇ ସେ ଚାଲିଗଲା ବେଳକୁ କେବଳ କହିଲା, “ଅନ୍ୟାୟ ହବ ଲେଖକ। ସେମାନେ ପରସ୍ପରକୁ ଏତେ ଭଲ ପାଉଥିଲେ-ତା’ର ଅନ୍ତତଃ ଗୋଟାଏ କିଛି ସମାଧାନ ଆପଣଙ୍କର କରିବା ଉଚିତ୍।”
“ହୁଏତ ଦେବି”- ମୁଁ କହିଲି। ସୁଜାତା ଗଲାବେଳେ କେବଳ କହିଗଲା, “ଆଶାକରେ ସମାଧାନ କରିବେ।”
x x x x x
ପୁଣି ଗପଟାକୁ ବଢ଼ାଇବାକୁ ବସିଲି।
ତା’ପରେ ଆଉ ପାରିଲା ନାହିଁ ଇଗଲ। ଶିକାର ପ୍ରବୃତ୍ତି ତା’ ଭିତରେ ଚେଇଁ ଉଠିଲା ବାରମ୍ବାର। ତାକୁ ଯିବାକୁଇ ହେବ। ଦିନେ କୃଷ୍ଣସାରର ଅଜାଣତରେ ଇଗଲ ଯାଇଛି ଉଡ଼ି।
କୃଷ୍ଣସାର ଉପରକୁ ଚାହିଁଲା। ଇଗଲ ପ୍ରାୟ ଅର୍ଦ୍ଧଆକାଶରେ। ତା’ର ମନେହେଲା, ଯେପରି ଇଗଲ ଉଡ଼ିଉଡ଼ି ତାକୁ ଉପହାସ କରି ଯାଉଛି-ହାଣିଦେଇ ଯାଉଛି ଶାଣିତ ବ୍ୟଙ୍ଗ ବାରମ୍ବାର ସେହି ତିକ୍ତ ଶ୍ଳେଷ, “ତୁମେ ହାରିଗଲ କୃଷ୍ଣସାର, ତୁମେ ହାରିଗଲ, ମୁଁ କିନ୍ତୁ ଝଡ଼ର ଇଗଲ, ଝଡ଼ରେ ଯାଉଛି ମିଶି।”
ତା’ପରେ ବିତିଗଲା ଅନେକ ଦିନ-
ଇଗଲ ମନେହୁଏ ଝଡ଼ରେ ଅନେକ ସମୟ ଯୁଦ୍ଧ କରି ଆନନ୍ଦ ପାଇଲା। ଆହୁରି ଅନେକ ନିରୀହ ମେଷଶିଶୁ ବୋଧହୁଏ ଶିକାର କଲା। ବେଳେବେଳେ କିଏ ଜାଣେ, ହୁଏତ ଇଗଲ ଭାବୁଥିବ-“ହାୟ କୃଷ୍ଣସାର-ତୁମକୁ ଯାହା ମୁଁ ଶିକାର କରି ନ ପାରିଲି।”
ଇଗଲ ପୁଣି ଦିନେ କ୍ଳାନ୍ତ ହୋଇପଡ଼ିଲା। ଧରଣୀର ସବୁଜିମା ଯେପରି ତାକୁ ହାତ ଠାରି ଇସାରା କଲା- “ଝଡ଼ର ଇଗଲ-ଝଡ଼ ଭିତରେ ସବୁ ମିଳିପାରେ ନାହିଁ- ତୁମେ ଫେରିଆସ।”
ଇଗଲ ଓହ୍ଲେଇଲା ଧରଣୀକୁ। କିନ୍ତୁ କୃଷ୍ଣସାର ସେତେବେଳକୁ ଯାଇଛି ମରି।
ଇଗଲ ଦୁଃଖ କଲା, ନିଜକୁ କେତେ ଧିକ୍କାର କଲା। ଆପଣାର ଆତ୍ମଗ୍ଲାନିରେ ସେ କ୍ଷୀଣରୁ କ୍ଷୀଣତର ହେବାକୁ ଲାଗିଲା। ଖାଲି ବସି ବସି ଅଶ୍ରୁ ଗଡ଼ାଇଲା କୃଷ୍ଣସାରର ସମାଧି ଉପରେ।
ସେଦିନ ମଧ୍ୟ ସେହିପରି ବିଳମ୍ବିତ ଚନ୍ଦ୍ରୋଦୟ-ନୀରବ କରୁଣ ଶିଶିର-ସିକ୍ତ ସନ୍ଧ୍ୟା।
ଇଗଲ ଅତି ମନୋଯୋଗ ସହକାରେ ବସି ବସି ଭାବୁଛି ତାର କୃଷ୍ଣସାରକୁ। କେତେ ଭଲ ପାଉଥିଲା ତାକୁ ସେ। ତା’ର ମନେହେଲା, ଯେପରି ସେହି ଅଶ୍ରୁରେ ତିଳେ ତିଳେ ଜୀବନ୍ତ ହୋଇ ଉଠୁଛି କୃଷ୍ଣସାର, କିନ୍ତୁ ହାୟ! କୃଷ୍ଣସାର ଯାଇଛି ମରି। ଇଗଲ ସେହିଦିନ ପ୍ରଥମ କରି ଶୁଣିଲା-ମାଟିର ବାଣୀ ଓ ଧରଣୀର ସଙ୍ଗୀତ- ଶେଷଥର ପାଇଁ ଅନୁଭବ କଲା କୃଷ୍ଣସାରର ନିବିଡ଼ ଚୁମ୍ବନ।
କିନ୍ତୁ ଠିକ୍ ସେହି ମୁହୂର୍ତ୍ତରେ ଏକ ସୁନ୍ଦର ସୌଷ୍ଠବାନ୍ବିତ କୃଷ୍ଣସାର ଆସ୍ତେ ଆସ୍ତେ ପାଲଟି ଯାଉଛି ଫସିଲ୍, ମାଟିର କେଉଁ ନିଭୃତ ସ୍ତରରେ। ଦୀର୍ଘ, ଦୁର୍ବୋଧ୍ୟ ଦେବଦାରୁ ଚୂଡ଼ାରେ କ୍ଷୀଣ ବଙ୍କିମ ଶଶିଲେଖା ଯେପରି ସ୍ଥିର ହେଇଯାଇଛି ମୁହୂର୍ତ୍ତକ ପାଇଁ।
-୦-
ଏହି ଗଳ୍ପଟି ୧୯୬୪ ମସିହାରେ ପ୍ରକାଶିତ ଲେଖକଙ୍କର ‘ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର’ଗଳ୍ପ ସଙ୍କଳନରୁ ଆନୀତ।