ସାରା ସୃଷ୍ଟିର ଅନନ୍ତଲୀଳା ଆମ୍ଭେମାନେ ଦେଖୁଅଛୁଁ। ଦିନ ପରେ ରାତି, ବର୍ଷା ପରେ ଶୀତ, ବର୍ଷ ପରେ ବର୍ଷ ସବୁ ନିୟମିତ ରୂପେ ଚାଲି ଯାଉଅଛି। ମଞ୍ଜି ପୋତିଲେ ଗଜା ବାହାରୁଅଛି। ଗଛ ବଢ଼ି ପୁଣି ଫଳ, ଫୁଲ ଓ ମଞ୍ଜି ପ୍ରସବ କରୁଅଛି। ଟେକାଟିଏ ଉପରକୁ ପକାଇଦେଲେ ପ୍ରକୃତିର ଆଜ୍ଞା ପାଳନ କରି, ବିଶ୍ୱନିୟନ୍ତାଙ୍କ ଆଦେଶ ଶିରୋଧାର୍ଯ୍ୟ କରି ତାହା ଯେପରିକି ତଳକୁ ପଡ଼ିଯାଉଛି, ଏହିପରି କାଷ୍ଠପାଷାଣ, ବୃକ୍ଷଲତା, ଜଡ଼ଜୀବନନ୍ତ ସମସ୍ତେ ପ୍ରକୃତି ନିୟମର ଅଧୀନ। ସେମାନେ ଯେପରିକି ବିଶ୍ୱପିତାଙ୍କର ଅଭ୍ରାନ୍ତ ଆଦେଶମାନ ପାଳନକରି ଚଳୁଅଛନ୍ତି। କାହାରି ସୃଷ୍ଟି, ସ୍ଥିତି, ଗତିବିଧି କିଛି ମାତ୍ର ବ୍ୟତିକ୍ରମ ନାହିଁ, କିନ୍ତୁ ମନୁଷ୍ୟର ଅବସ୍ଥା ସ୍ବତନ୍ତ୍ର। ଯେଉଁ ଭୂ-ଖଣ୍ଡର ଜଳବାୟୁରେ ଯେଉଁ ବୃକ୍ଷାଦି ବଢ଼ିବାର କଥା, ତାହା ବିଧିର ନିୟମରେ ସେହି ଭୂମିରେ ବଢ଼ୁଅଛି। ଶୀତରେ, ଗ୍ରୀଷ୍ମରେ, ବର୍ଷାରେ ଜୀବଜନ୍ତୁମାନେ ଈଶ୍ୱରଙ୍କ ନିୟମରେ ନିୟତ ଚଳୁଅଛନ୍ତି। ସେମାନଙ୍କୁ ଚିନ୍ତାକରିବାକୁ ପଡ଼ୁନାହିଁ। ପକ୍ଷୀର ଡିମ୍ବ ପାରିବାର ସମୟ ହେଲେ, ସେ ପ୍ରକୃତିବଶରେ କାଠିକୁଟା ସଂଗ୍ରହ କରି ବସା କରୁଅଛି। ଇଲିଶିମାଛ ନୂଆପାଣି ପଡ଼ିଲା କ୍ଷଣି ବିଧିର ନିର୍ଦ୍ଦେଶ ମାନି ଯେପରିକି ମଞ୍ଜି ଛାଡ଼ିବାକୁ ସମୁଦ୍ରରୁ ନଦୀମୁହାଣ ବାଟେ ନଦୀର ଉତ୍ପତ୍ତି ସ୍ଥାନକୁ ଉଠିଯାଏ, କିନ୍ତୁ ମନୁଷ୍ୟ ନିଜପାଇଁ ନିଜେ ଘର କରେ, ଚାଷ କରେ, ବୁଦ୍ଧିର ବିକାଶପାଇଁ ବିଦ୍ୟାଶିକ୍ଷା କରେ ଏବଂ ତାବତୀୟ କାର୍ଯ୍ୟରେ ବହୁ ପରିମାଣରେ ନିଜ ବୁଦ୍ଧି ଖେଳାଇ ନିଜକୁ ସାହାଯ୍ୟ କରି ନ ପାରିଲେ, ସଂସାରରେ ରହିବା ତା’ ପକ୍ଷରେ ଅସମ୍ଭବ ହେବ।

ମନୁଷ୍ୟର ସ୍ୱାଧୀନ ବୃତ୍ତି ଅଛି। ସେହି ସ୍ୱାଧୀନ ବୃତ୍ତି ବଳରେ ସେ ନିଜ କାର୍ଯ୍ୟ ସର୍ବଦା ନିଜ ଭାବିଚିନ୍ତି କରୁଅଛି। ଯାହା ଇଚ୍ଛା ତାହା କରିବାର ଅଧିକାର କେବଳ ମନୁଷ୍ୟର ଅଛି। ମନୁଷ୍ୟ ଜୀବନରେ ପଶୁପକ୍ଷୀ ଓ ଇତର ଦ୍ରବ୍ୟପରି ବିଧିର ଆଦଶରେ ସର୍ବତୋଭାବରେ ଚଳୁ ନାହିଁ। ତାହାର ଶାସନ ପାଇଁ ସୁପରିଚାଳନା ପାଇଁ ଶୈଶବରୁ ମରଣ ପର୍ଯ୍ୟନ୍ତ ନାନା ବିଧି ଓ ଆଦେଶ ତାକୁ ଘେରି ରହିଅଛି। ତଥାପି ମନୁଷ୍ୟ ସମସ୍ତ ଆଦେଶ ପଥରୁ ବିଚଳିତ ହୋଇ ସ୍ୱେଚ୍ଛା ଅବଲମ୍ବନ କରେ। ଶିକ୍ଷକ ତୁମ୍ଭକୁ ଯାତ୍ରା ଦେଖିବାକୁ ନିଷେଧ କରିଅଛନ୍ତି। ତଥାପି ତୁମ୍ଭେ ଯାତ୍ରା ହେଉଥିବାର ଦେଖିଲେ ସେଠାରେ ବେଳେ ବେଳେ ରହିଯାଉଅଛ। ଏହିପରି କେତେ ଅବାଧ୍ୟତା ତୁମ୍ଭ ଜୀବନରେ ରହିଅଛି। କେତେ ଅଜ୍ଞା ଆଦେଶ ନ ମାନି, ତୁମ୍ଭେ ନିଜର ଅମଙ୍ଗଳ ନିଜେ ସୃଷ୍ଟି କରୁଅଛ। ମନୁଷ୍ୟର ଆଜ୍ଞାନୁବର୍ତ୍ତୀ ହେବା ଏକାନ୍ତ ଆବଶ୍ୟକ। ବାଲ୍ୟବୟସରୁ ଅତି ସଂଯମର ସହିତ ସେ ଗୁଣଟି ଅଭ୍ୟାସ କରିବା ନିତାନ୍ତ ପ୍ରୟୋଜନ। ପିତା, ମାତା, ବନ୍ଧୁ, ସ୍ୱଜନ, ଶିକ୍ଷକ, ସହାଧ୍ୟାୟୀ ସମସ୍ତେ ସର୍ବଦା ସେମାନଙ୍କର ନାନା ଆଦେଶ, ଉପଦେଶ ଓ ଅନୁରୋଧ ଦ୍ୱାରା ଆମ୍ଭମାନଙ୍କୁ ପ୍ରକୃତ ମନୁଷ୍ୟ ହେବା ମାର୍ଗରେ ଟାଣୁଅଛନ୍ତି।

ବାଲ୍ୟଜୀବନରୁ, ଅଜ୍ଞାନ ଅବସ୍ଥାରୁ, ଏହି ଆଦେଶସବୁ ଆମ୍ଭାମାନଙ୍କୁ ମନୁଷ୍ୟ କରୁଅଛି। ଏହି ଆଜ୍ଞାର ଅନୁବର୍ତ୍ତୀ ହୋଇ ଆମ୍ଭେମାନେ ମନୁଷ୍ୟତା ଲାଭ କରୁଅଛୁ। ଯେ ଯେଉଁ ପରିମାଣରେ ଏହି ଆଜ୍ଞାନୁବର୍ତ୍ତୀ ହେଉଅଛି, ସେ ସେହି ପରିମାଣରେ ଜୀବନରେ ଉନ୍ନତ ମନୁଷ୍ୟ ହେଉଅଛି। ଏହି ଆଜ୍ଞା ପ୍ରଭାବରେ ବାଲ୍ୟକାଳରୁ ଏ ପର୍ଯ୍ୟନ୍ତ ନାନା ସ୍ୱେଚ୍ଛା ପ୍ରବୃତ୍ତି, ଆଳସ୍ୟ, ବିଳାସ ମଧ୍ୟରେ ଆମ୍ଭେମାନେ କ୍ରମେକ୍ରମେ ଆତ୍ମାର ଉନ୍ନତି ସମ୍ପାଦନ କରୁଅଛୁ। ଏହି ଆଜ୍ଞାନୁବର୍ତ୍ତିତା ତୁମ୍ଭମାନଙ୍କ ଶିକ୍ଷାଦୀକ୍ଷାର ପ୍ରଧାନ ଉପାଦାନ ହୋଇଅଛି। ତୁମ୍ଭେମାନେ ବିଦ୍ୟାଳୟରେ ରହି ଦେଖୁଥିବ, ପ୍ରତି ମୁହୂର୍ତ୍ତରେ ଆଜ୍ଞାନୁବର୍ତ୍ତୀ ହେବା ହିଁ ଜୀବନର ସର୍ବୋତ୍ତମ ଶିକ୍ଷା। ଜୀବନରେ ପିତାମାତା, ଗୁରୁଜନ, ଶିକ୍ଷକ, ହିତାର୍ଥୀମାନଙ୍କ ଆଦେଶ, ଉପଦେଶ, ଅନୁରୋଧ, ଉପରୋଧ ବିନା ମାନବର ଶିକ୍ଷା ଆଉ କିଛି ନାହିଁ। ଜୀବନ ଗଠନରେ ଏହି ଆଜ୍ଞାନୁବର୍ତ୍ତିତା ଶତ ପ୍ରକାରରେ ମନୁଷ୍ୟକୁ ମନୁଷ୍ୟ କରୁଅଛି।

ପ୍ରାଗୈତିହାସିକ କାଳରେ ମେଘ ଯେପରି ବରଷୁଥିଲା, ଆଜି ଠିକ୍ ସେହିପରି ବରଷୁଅଛି। ସୃଷ୍ଟିର ଆଦ୍ୟ ଦିନ ଗଛ ଯେପରି ବଢ଼ିଥିଲା, ଫୁଲ ଯେପରି ବାସିଥିଲା, କୋଇଲି ଯେପରି କୁଆବସାରେ ଡିମ୍ବରଖି ଚାଲି ଯାଇଥିଲା, ବରଫସ୍ରୋତରେ ଯେପରି ଗ୍ରାବସ୍ଖଳନ ହୋଇଥିଲା, ନଦୀମୁହାଣରେ ପଟୁପଡ଼ି ଯେପରି ତ୍ରିକୋଣଦ୍ୱୀପ ଉଠିଥିଲା, ଆଜି ତାହା ଠିକ୍ ସେହିପରି ହେଉଅଛି। କିନ୍ତୁ ମନୁଷ୍ୟ ସେସବୁ ପରି ଏକାବେଳକେ ପ୍ରକୃତିର ଅଧୀନ ନୁହେଁ। ସେ ନିଜେ ବୁଦ୍ଧି ଖେଳାଇ ଦିନକୁ ଦିନ ଉନ୍ନତି କରୁଅଛି। ଏତେ ସ୍ୱାଧୀନ ବୃତ୍ତି ଓ ସ୍ୱତନ୍ତ୍ର ଅଧିକାର ଦେଇ ମଧ୍ୟ ପରମପିତା କରୁଣାନିଧାନ ତାହାକୁ ଜଗତରେ ଏକାକୀ କରି ଛାଡ଼ିଦେଇ ନାହାନ୍ତି। ତୁମ୍ଭଙ୍କୁ ସ୍ୱେଚ୍ଛା ଦେଇ ଅଛନ୍ତି ସତ୍ୟ, କିନ୍ତୁ ସଙ୍ଗେସଙ୍ଗେ ପିତାମାତା, ଗୁରୁ, ଶିକ୍ଷକ, ବନ୍ଧୁ, ହିତାର୍ଥୀରୂପରେ ଚତୁର୍ଦ୍ଦିଗରେ ଦଣ୍ଡଘେନି ତୁମ୍ଭ ଜୀବନକୁ ନିୟମରେ ରଖିବାକୁ ଯେପରିକି ଉଦବିଗ୍ନ ରହିଅଛନ୍ତି। ସେହି ବିଶ୍ୱବିଧାତାଙ୍କ ନିୟମରେ ପିତାମାତା, ଗୁରଜନ, ଶିକ୍ଷକ ପ୍ରଭୃତି ତୁମ୍ଭଙ୍କୁ ଆଦେଶ ଦ୍ୱାରା ମନୁଷ୍ୟ କରିବାକୁ ଚାହିଁ ବସିଅଛନ୍ତି। ତୁମ୍ଭେ ବେନିୟମରେ ଚଳିଲେ ଆଦେଶ ଦ୍ୱାରା ତୁମ୍ଭଙ୍କୁ ନିୟମକୁ ଆଣିବାକୁ ଯତ୍ନ କରୁଅଛନ୍ତି।

ଏସବୁ ସତ୍ତ୍ୱେ ତୁମ୍ଭର ମନ ଚଞ୍ଚଳ। ତୁମ୍ଭେ ସବୁ ଭୟଭକ୍ତି ସତ୍ତ୍ୱେ ସେମାନଙ୍କ ଆଦେଶରୁ ବିଚଳିତ ହେଉଅଛ। ସେମାନେ ପ୍ରାଣର ବ୍ୟାକୁଳତାରେ ସର୍ବଦା ତୁମ୍ଭଙ୍କୁ ଜଗିବସି ଅଛନ୍ତି। ଆଦେଶ ଦ୍ୱାରା ତୁମ୍ଭଙ୍କୁ ଈଶ୍ୱରଙ୍କର ଶାସନ, ତୁମ୍ଭ ପ୍ରତି ପରମପିତାଙ୍କର ସାଧୁ ଆଦେଶ ଓ ସଦିଚ୍ଛା ଜଣାଉ ଅଛନ୍ତି। ତଥାପି ତୁମ୍ଭେ ବେଳେବେଳ ହୃଦୟର ଏକାନ୍ତ ଇଚ୍ଛା ଥିଲେ ମଧ୍ୟ ସେମାନଙ୍କ ସାଧୁ ଆଦେଶରୁ ବିଚ୍ୟୁତ ହେଉଅଛ। ସେ ଆଦେଶ ସର୍ବଦା ତୁମ୍ଭର ସ୍ମରଣ ରହୁ ନାହିଁ। ସେମାନେ ତୁମ୍ଭଙ୍କୁ ଜଗି ବସିଅଛନ୍ତି ସତ୍ୟ; କିନ୍ତୁ ବାହାରକୁ ସେମାନେ ତୁମ୍ଭର ମନକୁ କେତେ ବା ଜଗିବେ! ତୁମ୍ଭର ସମ୍ପୂର୍ଣ୍ଣ ଇଚ୍ଛା ନ ଥିଲେ ତୁମ୍ଭର ମନକୁ କିପରି ବା ଅଧିକାର କରିବେ! ତୁମ୍ଭେ ମନେମନେ ସ୍ୱେଚ୍ଛାଚାରୀ ହେବାକୁ ସ୍ଥିରକରି ବସିଲେ, କିଏ ତୁମ୍ଭଙ୍କୁ କେଉଁ ତାଡ଼ନା ଦ୍ୱାରା, କି ଆଦେଶ ଉପେଦଶ ଦ୍ୱାରା କିପରି ବା ଶାସନ କରିବ! ସେଥିପାଇଁ ପରମପିତା ସୁନ୍ଦର ବ୍ୟବସ୍ଥା କରିଅଛନ୍ତି। ସମସ୍ତ ଆଦେଶ ଉପଦେଶ ସତ୍ତ୍ୱେ ମନୁଷ୍ୟ ସ୍ୱେଚ୍ଛାଚାରିତା ବଳରେ ପ୍ରଥଭ୍ରଷ୍ଟ ହେବାକୁ ବସିଲେ, ତାହାର ଅବ୍ୟକ୍ତ ଶାସନପାଇଁ ଯେ, ସୁଚାରୁ ବିଧାନ ବିଶ୍ୱନିୟନ୍ତା ତା’ ଭିତରେ ରଖିଅଛନ୍ତି, ତାହା ଯେ ଥରେ ଦୃଢ଼ଭାବରେ ଅନୁଭବ କରି ଧାରଣା କରିଅଛି ସେ ଧନ୍ୟ, ସେ ମନୁଷ୍ୟ ହେବାର ପନ୍ଥା ପାଇଅଛି।

ମନୁଷ୍ୟ ନିଜର ଇଚ୍ଛା ଅନୁସାରେ ନିଜର କାର୍ଯ୍ୟ କରିଯାଉଅଛି। ମନୁଷ୍ୟର ସ୍ୱାଧୀନ ବୃତ୍ତି ଓ ନିଜେ ଭାବିଚିନ୍ତି ଇଚ୍ଛାନୁସାରେ ନିଜକାର୍ଯ୍ୟ କରିଯିବାର ଅଧିକାର ମଧ୍ୟରେ ଆମ୍ଭମାନଙ୍କୁ ଗୋଟିଏ କଥା ଦେଖିବାକୁ ହେବ। ଏହି ସ୍ୱାଧୀନତା ସଙ୍ଗେ ସଙ୍ଗେ ସ୍ୱେଚ୍ଛାଚାରିତା ବୋଲି ଗୋଟିଏ କଥା ତୁମ୍ଭେମାନେ ଶୁଣିଥିବ। ମନୁଶ୍ୟର ମନର କ୍ରିୟାସବୁ ସ୍ୱାଧୀନ, କିନ୍ତୁ ମନ ନିଜେ ବଡ଼ ଚଞ୍ଚଳ, କଦାପି ସ୍ଥିର ନୁହେଁ। ଏହା ସର୍ବଦା ଏକପ୍ରକାର ପନ୍ଥା ଅବଲମ୍ବନ କରି ଚଳେ ନାହିଁ। ଶ୍ରେୟ ଖୋଜି ଖୋଜି ମନୁଷ୍ୟ ଯେଉଁ ପନ୍ଥା ଅବଲମ୍ବନ କରି ଚଳିବାର ସ୍ଥିର କରେ, ପ୍ରୀତିକର ଇନ୍ଦ୍ରିୟ ତୃପ୍ତି ଓ ବିଳାସବ୍ୟସନାଦି ତାହାକୁ ବଳପୂର୍ବକ ସେ ପନ୍ଥାରୁ ଟାଣି ଘେନି ଆସନ୍ତି। ଏହି ପରିଣତି ମଧ୍ୟରେ ସର୍ବଦା ଦୁଇଟା ପନ୍ଥା ରହିଅଛି। ଗୋଟିଏ ଯେପରିକି କହୁଅଛି, “ମୋର ଯାହା ଇଚ୍ଛା, ମୋତେ ମୁହୂର୍ତ୍ତକ ପାଇଁ ଯାହା ସୁଖ ଲାଗୁଛି, ମୁଁ ତାହା ହିଁ କରିବି।” ଅନ୍ୟଟି କହୁଛି, “ନା, ଯାହା ଉଚିତ, ଯାହା କଲେ ପରିଣାମରେ ନିଜର ତଥା ଜଗତର ମଙ୍ଗଳ ହେବ, ତାହା ହିଁ କରଣୀୟ। “ଯାତ୍ରା-ହେବାର କଥା ଶୁଣିଲେ, ଦେଖିବାକୁ ଯିବାକୁ ତୁମ୍ଭର ଇଚ୍ଛା ହୁଏ। ତୁମ୍ଭେ ଶିକ୍ଷକ, ଗୁରୁଜନଙ୍କ କଥା ନ ମାନି ବେଳେବେଳେ ଗୋପନରେ ଚାଲିଯିବାକୁ ଇଛାକର। କିନ୍ତୁ ଟିକିଏ ଭିତିରକୁ ଦେଖ, ବୁଝିପାରିବ ଯେପରିକି ସେତେବେଳେ କିଏ ତୁମ୍ଭକୁ ନିଷେଧ କରୁଥାଏ।

ମନେହୁଏ, ଶିକ୍ଷକଙ୍କ ଆଦେଶ ତୁମ୍ଭ ଭିତରେ ରହି ଶତଗୁଣ ଆଧିପତ୍ୟରେ ଅନ୍ତରର ମନ୍ଦ୍ରବାଣୀରେ ସର୍ବଦା ଶୟନେ, ସ୍ୱପନେ, ଜାଗରଣେ ତୁମ୍ଭଙ୍କୁ ମନ୍ଦଆଡ଼ୁ ଟାଣିନେଇ ଭଲ ପନ୍ଥା ଦେଖାଇ ଦେଉଅଛି; ତୁମ୍ଭର ସ୍ୱେଚ୍ଛାଚାରିତାକୁ ଘୋର ବିକ୍ରମରେ ସଂଯତ କରିବାକୁ ଚେଷ୍ଟା କରୁଅଛି। ମନେରଖ, ବିଶ୍ୱପିତା ସର୍ବଦା ଏହି ଅନ୍ତରାତ୍ମାରୂପରେ ରହି ତୁମ୍ଭର ସ୍ୱେଚ୍ଛାଚାରିତାକୁ ଶାସନ କରୁଅଛନ୍ତି। ପିତାମାତା, ଗୁରୁଜନ, ଶିକ୍ଷକାଦିଙ୍କର ଆଜ୍ଞାରେ ଯେ ଶାସନର ମନ୍ତ୍ର ଅଛି, ସେ ସମସ୍ତଙ୍କର ମୂଳସ୍ୱରୂପ ଏହି ଅନ୍ତରାତ୍ମା, ତୁମ୍ଭ ଭିତରେ ରହିଅଛି। ଥରେ ଯେଉଁ ବିଷୟରେ ତୁମ୍ଭଙ୍କୁ ମନା କରାଯାଇଅଛି, ଯେଉଁ ବିଷୟରେ ତୁମ୍ଭେ ଥରେ ଆଜ୍ଞା ପାଇଅଛ, ତାହା ତୁମ୍ଭଙ୍କୁ ବୁଝାଇ ଦିଆଯାଇଛି, ତୁମ୍ଭର ଏହି ବିମଳ ଅନ୍ତରାତ୍ମାରେ ତାହାର ଗୋଟିଏ ଗୋଟିଏ ପ୍ରତିବିମ୍ବ ପଡ଼ି ଯାଇଅଛି। ସେହି ନିର୍ମଳ ବ୍ରହ୍ମରୂପୀ ଅନ୍ତରାତ୍ମା ସେହି ପ୍ରତିବିମ୍ବ ସବୁ ଧରି ତୁମ୍ଭର ସ୍ୱେଚ୍ଛାଚାରୀ ଆତ୍ମାକୁ ସର୍ବଦା ଶାସିତ ଓ ସଂଯତ କରୁଅଛି। ତୁମ୍ଭର ଯଦି ଆଜ୍ଞାନୁବର୍ତ୍ତୀ ହେବାର କାମନା ଥାଏ, ତେବେ ଗୁରୁଜନମାନଙ୍କ ଆଦେଶ ପାଳନ ସଙ୍ଗେସଙ୍ଗେ ଏହି ଅନ୍ତରାତ୍ମାର ଶାସନରେ ଆତ୍ମସମର୍ପଣ କରିପାରିଲେ କୃତାର୍ଥ ହେବ। ଭଗବାନ୍ ଶ୍ରୀକୃଷ୍ଣ ଗୀତାରେ କହିଅଛନ୍ତ, “ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯୋନତ୍ମୈଜାତ୍ମନା ଜିତଃ।” ଯେ ଆତ୍ମାଦ୍ୱାରା ଆତ୍ମାକୁ ଜିଣିଅଛି ଆତ୍ମା ତାହାର ବନ୍ଧୁ। ଅର୍ଥାତ୍ ଯେ ଆଦେଶରୂପୀ ଏହି ଅନ୍ତରାତ୍ମା ପ୍ରଭାବରେ ସ୍ୱେଚ୍ଛାଚାରିତାକୁ ସଂଯତ କରିଅଛି, ସେ ଜୀବନରେ ପ୍ରକୃତ ଆଜ୍ଞାନୁବର୍ତ୍ତୀ ହେବାକୁ ଶିଖିଅଛି। କେବଳ ତାହାରି ଆତ୍ମା ମିତ୍ରପରି କାର୍ଯ୍ୟ କରେ। ପରମାତ୍ମା ପରମପିତା ତାହାରି ଉପରେ ସନ୍ତଷ୍ଟ।

ଆତ୍ମାର ଏହି ଦ୍ୱିବିଧ ବିଭାଗ ମଧ୍ୟରୁ ଗୋଟିକରେ ଅପରଟିକୁ ଜାଣିବା ହିଁ ପ୍ରକୃତ ପନ୍ଥା। ବିମଳ ବିବେକବାଣୀରେ ସ୍ୱେଚ୍ଛାଚାରିତାକୁ ସଂଯତ କରିପାରିଲେ ମନୁଷ୍ୟ ପ୍ରକୃତ ମନୁଷ୍ୟତା ଲାଭ କରିପାରିବ। କିନ୍ତୁ ଆତ୍ମାକୁ ଆତ୍ମାରେ ଜଣିବା ବଡ଼ ସହଜ ବା ସୁଖସାଧ୍ୟ ନୁହେଁ। ସଂସାରରେ ଆଜ୍ଞାନୁବର୍ତ୍ତୀ ହେବା ପ୍ରକୃଷ୍ଟ ନୀତି। କଠୋର ସାଧନାଫଳରେ ମନୁଷ୍ୟର ସେ ଆତ୍ମସଂଜମ ଆସେ। ସେହିପରି ଆତ୍ମାର ଆଦେଶପାଳନ କରିବାକୁ ହେଲେ ଅବିଚଳିତ ସାଧନାରେ ନିୟତ ମନୋନିବେଶ କରିବା ପ୍ରୟୋଜନ।

ପରମାତ୍ମା ସମସ୍ତ ଆଦେଶର ମୂଳାଧାର। ତୁମ୍ଭର ଅନ୍ତରେଦଶରେ ରହି ସେ ତୁମ୍ଭଙ୍କୁ ସର୍ବଦା ଅସତ୍ ମାର୍ଗରୁ ରହିତ କରୁଅଛନ୍ତି। ପିତା, ମାତା, ବନ୍ଧୁକୁଟୁମ୍ବ, ଶିକ୍ଷକ, ଗୁରୁଜନ ପ୍ରଭୃତିଙ୍କ ଆଦେଶରାଶିରେ ଯେ ନିୟମ ସବୁ ତୁମ୍ଭର ଚତୁର୍ଦ୍ଦିଗରେ ବୁଣାହୋଇ ରହିଅଛି, ସେ ସମସ୍ତ ଆଦେଶର ମୂଳାଧାର ପରମପିତା ନିଜର ଶୁଦ୍ଧ ବୁଦ୍ଧି ରୂପରେ ତୁମ୍ଭର ହୃଦୟକନ୍ଦରରେ ବିରାଜ କରୁଅଛନ୍ତି। ଥରେ ଆଖି ପକାଇ ତାହାଙ୍କୁ ଦେଖ, ଆଉ ଆଦେଶ ପାଳନର ଅଭାବ ରହିବ ନାହିଁ। ଦେଖିବ, ପିତାମାତା, ଗୁରୁ, ହିତାର୍ଥୀ ସ୍ୱଜନମାନେ ତୁମ୍ଭଙ୍କୁ ଯାହା କରିବାକୁ ଆଦେଶ ଦେଉଅଛନ୍ତି, ସେ ସବୁ ତୁମ୍ଭର ବିବେକରୂପେ ତୁମ୍ଭ ଭିତରେ ରହିଅଛି। ପିତାମାତା, ଶିକ୍ଷକାଦିଙ୍କର ଆଦେଶ ଏଡ଼ିଦେଇ ଗୋପନରେ ଅନ୍ୟଥା କରିପାର; କିନ୍ତୁ ଭିତରରେ ସେ ଅକାଟ୍ୟ ଆଦେଶ ଏଡ଼ିଦେବା ତୁମ୍ଭ କ୍ଷମତାର ବହିର୍ଭୂତ। ତାକୁ ଏଡ଼ିଦେଲେ ତୁମ୍ଭେ ଆତ୍ମପ୍ରବଞ୍ଚନା କରୁଅଛ; ଆପଣାକୁ ଆପେ ଠକିଦେଇ ମୁହୂର୍ତ୍ତକପାଇଁ ଭୁଲାଇ ଦେଉଅଛ। ପରମ ପିତାଙ୍କର ସେ ଦୃଷ୍ଟି ସର୍ବଦା ପ୍ରାଣରେ ଅନୁଭବ କର। ସେ ଅନ୍ତର୍ଯ୍ୟାମୀ, ତାଙ୍କୁ ଲୁଚାଇ କାର୍ଯ୍ୟ କରିବାର ସ୍ଥାନ ବା ଅବସର ନାହିଁ।

ଦୋଷୀ ଓ ନିର୍ଦ୍ଦୋଷ ଦୁଇଜଣ ଲୋକଙ୍କୁ ପଚାରିଲେ ଦୁହେଁ ସମାନ ସାହସର ସହିତ ଉତ୍ତର ଦିଅନ୍ତି ନାହିଁ। ଏହାର କାରଣ ଟିକିଏ ଭାବିଲେ ବୁଝିପାରିବ। ସେ ଦୋଷ କଲାବେଳେ ସେହି ବିମଳ ଆତ୍ମାର ଆଦେଶ ମାନି ନାହିଁ ଏବଂ ସେତିକିବେଳୁ ସଂକୋଚରେ ସାହସଶୂନ୍ୟ ହୋଇଅଛି। ମନେ କରୁଅଛି, ଯେପରିକି ସମସ୍ତଙ୍କର ଆତ୍ମାପୁରୁଷ ତାହା ଜାଣିଯାଇ ଅଛନ୍ତି। ସେଥିପାଇଁ ମନେରଖ, ଆଦେଶ ପାଳନକରି ମନୁଷ୍ୟ ହେବାକୁ ବାସନା ଥିଲେ, ପ୍ରଥମେ ଭିତରକୁ ଚାହଁ। ପ୍ରାଣପଣେ ହିତାର୍ଥୀ ଗୁରୁଜନମାନଙ୍କ ଆଜ୍ଞା ପାଳନ କର।

ତୁମ୍ଭର କଲ୍ୟାଣ କାମନାରେ ଯେ, ଯେତେବେଳେ ଆଦେଶ କରୁଅଛନ୍ତି, ତାହା ସେହି ବିଶ୍ୱପିତାଙ୍କର ପ୍ରକାଶ୍ୟ ଆଦେଶ। ତାକୁ ନତମସ୍ତକରେ ଗ୍ରହଣ କର, ସେଥିରେ ଆତ୍ମସମର୍ପଣ କର। ଜୀବନର କ୍ରିୟା ଗତିରେ ପଥଭ୍ରଷ୍ଟ ହେଲେ, ବେଳେ ବେଳେ ଅଗତ୍ୟା ମନର ଚଞ୍ଚଳତାର ଅଧୀନ ହୋଇପଡ଼ିଲେ, ଟିକିଏ ଅବଧାନତାର ସହିତ ଭିତରକୁ ଚାହଁ। ସେଠାରେ ସକଳ କଲ୍ୟାଣର ଉତ୍ସ ପରମପିତା ତୁମ୍ଭର ମଙ୍ଗଳ ନିମେନ୍ତ ଉଦ୍‌ବେଗରେ ଚାହିଁ ରହି ଅଛନ୍ତି। ତାଙ୍କର ସେ ଆଦଶରୁ ବ୍ୟତିକ୍ରାନ୍ତ ହୁଅ ନାହିଁ। ସେହି ପରମାତ୍ମାରେ ନିଜର ସତ୍ତା ଓ ସର୍ବସ୍ୱ ଅନୁଭବ କର। ଜୀନସଂଗ୍ରାମରେ ବିପନ୍ନ ହେଲେ, ସେହିଠାର ଆଶ୍ରୟ ଗ୍ରହଣ କର। ସେ ତୁମ୍ଭଠାରୁ ଭିନ୍ନ ନୁହେଁ। ଯେତେବେଳେ ତୁମ୍ଭର ଏ ସାଧନାରେ ସିଦ୍ଧି ଆସିବ, ସେତେବେଳ ତୁମ୍ଭଙ୍କୁ ଅନ୍ୟ କେହି ଆଦେଶ ଦେବେ ନାହିଁ। ତୁମ୍ଭର କଲ୍ୟାଣ ତୁମ୍ଭେ ନିଜେ କରିବ। ତୁମ୍ଭେ ତୁମ୍ଭଙ୍କୁ ଆଦେଶ ଦେବ। ତୁମ୍ଭେ ତୁମ୍ଭର ଆଦେଶ ପାଳନ କରିବ।

-୦-

ଉପରୋକ୍ତ ଲେଖାଟି ୧୯୮୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ‘ସାହିତ୍ୟ ବହି’ରୁ ସଂଗୃହୀତ।