ରାଜଧାନୀ ପାଣି ପିଇ ପିଇ ଭୁଲି ଯାଇ ଥିଲି ବାପା ଭାଇ
ଗାଁକୁ ମୋଟେ ଯିବିନି ଭାବିଛି ବିଲୁଆ ଡିଅଁନ୍ତୁ ଡିହରେ
ପରସ୍ତ୍ରୀ ସୁନ୍ଦରୀ ସିଂହକଟୀ ଠାଣି ମୋ ସ୍ତ୍ରୀ ବାଳା ରୂପମଣୀ
ବାରମ୍ବାର କହେ ଗାଁକୁ ଯିବାନି ଅସନା ହେବାକୁ ଜାଣି।
ନାହିଁ ବାଥରୁମ୍ ସାୱାର ବିଗ୍ ବଜାର୍ ବିୟୁଟି ପାର୍ଲର୍
ନାହିଁ ପ୍ଲେ ବୟ୍ ଡ୍ରିମ୍ ହଅଲ୍ ଏଠି ସ୍ବର୍ଗକୁ ଲମ୍ବିଛି ନିଶୁଣି
ମାଟି କାଦୁଅରେ ଗୋରା ଦେହ ମୋର କଳା ପଡିଯିବ ଝାଳରେ
ଦଳ ନଈ ପାଣି କୁଣ୍ଡିଆ ହୋଇବ ଏ.ସି. ମିଳିବନି ଗାଆଁରେ
କଳା ହେବ- ରୂପା ଅଳଙ୍କାର ଚୁଲି ଫୁଙ୍କି ହେବ ନାରଖାର
ଫାଷ୍ଟ୍ ଫୁଡ ହେବ ସ୍ବପ୍ନ ମୋର ଏଠି ଠେଲା ଗାଡି ମିନିଟ୍ ରେ।
ହୋଟେଲ୍ ରହିଛି ଲଜିଙ୍ଗ୍ ରହିଛି, ରେଷ୍ଟୁରାଣ୍ଟ୍ ହାଉଜାଉ
ସିନେମା ପାର୍କ, ବିୟର୍ ହ୍ବିସ୍କି ମିଳିଯାଏ କହୁକହୁ
କସ୍ମେଟିକ୍ ବି ଥୋଡାଥୋଡା କେଶ ବେଶ ପାଇଁ ସବୁ ଲୋଡା
ମ୍ୟାଡମ୍ ଡାକ ଲାଗେ ଏଠି ମିଠା ଡାଡି ମମି ଲାଗେ ମହୁ।
ରାଜଧାନୀ ପାଣି ପବନର ମିଠା ଯିଏ ବା ପିଇଛି ଥରେ
ଦେହରେ ବାଜିଲେ ରଙ୍ଗ ବଦଳାଏ ଚହଟ ଚିକ୍କଣ କରେ
ଇଚ୍ଛା ନାହିଁ ଗାଆଁ ମଫସଲ ମନ ସବୁବେଳେ କଲବଲ
ମାଉସୀ ଦେଠେଇ, ଖୁଡି, କଣକଲ ଶୁଣି ଶୁଣି ନିଦ ଘା’ ରେ
ଭାଇ ଭାଗ ବିକି ବଖରାଏ କର ଏଇ ସହରରେ ଘର
ନଖାଇଲେ ନାହିଁ ଦିଓଳି ପଛକେ ଓଳିଏ ଖାଇବା କର।
