ଯା ଭାର୍ଯ୍ୟା ସର୍ବ କାଳେଷୁ ଝାଡୁ ଧାରିଣୀ ସଂସ୍ଥିତା
ନମୋ ଭାର୍ଯ୍ୟା ନମୋ ଭାର୍ଯ୍ୟା ନମୋ ଭାର୍ଯ୍ୟା ନମୋ ନମଃ।

ନମସ୍ତେ ଚରଣେ ତୋର ଆଗୋ ରଙ୍ଗବତୀ
ଦିବାନିଶି ସେବା କରେ ମୁଁ ଯେ ତୋର ପତି
ଧନ୍ୟ ଧନ୍ୟ ଧନ୍ୟ ତୁଲୋ କଞ୍ଜୁସ ଦୁଲଣୀ
ଯେତେ କହିଲେ ନ ସରିବ ତୋହର କାହାଣୀ।

ସକାଳରୁ ବିଛଣାରେ ମାରୁଥାଉ ହାଇ
ମୋର ହାତୁ ଚାହା ଖାଇ ଯାଉ ବେଗେ ଶୋଇ
ବ୍ରେକଫାଷ୍ଟ ତୋହର ଗୋ ନିତି ଲୋଡା ଅଣ୍ଡା
ସିଝାଇ ସାରିଣ ଡାକେ କାଳେ ହେବ ଥଣ୍ଡା।

ବିରକ୍ତ ହୋଇଣ ଉଠି ଯାଉ ଦାନ୍ତ ଘଷି
ଖାଇସାରି ଆଇନାର ଆଗେ ଯାଉ ବସି
ତରବର ହୋଇ ନିଜେ ମୁଁ ମିଲ୍ ବନାଏ
ଅଫିସ୍ ମୋ ଡେରି ହେବ ଘଣ୍ଟାକୁ ଅନାଏ।

ରନ୍ଧାରନ୍ଧି ସାରି ବେଗେ ଗାଧୋଇ ଆସଇ
ପୂଜାପୂଜି ପରେ ଠିଆଠିଆ ମୁଁ ଗିଳଇ
ଯଥାବେଗେ ଚାଲିଯାଏ ଅଫିସକୁ ମୋର
ତାପରେ ତୋର ଘଟଣା ମତେ ଅଗୋଚର।

ଚୌକିରେ ବସି ମୁଁ କାମ ଯେ କରଇ
ବାର ନ ବାଜୁଣୁ ପେଟ ଭୋକରେ ଜଳଇ
ସମ୍ଭାଳି ନ ପାରି ଯାଏ ପାଖ କେଣ୍ଟିନ୍ କୁ
ଟାଣ ବରା ଚଣା ଝୋଳ ମିଳେ ଖାଇବାକୁ।

ପଚାରନ୍ତି ଯଦି କିଏ ଓଝାବାବୁ ଆଣିନ ଟିଫିନ୍
ଆହା ଭୁଲି ମୁଁ ଯାଇଛି ଆଜ ମନେ ମୋ ପଡ଼ିନି
ଘରର ଗୁମର ଆଉ କହିବି କାହାକୁ
ଖାଲି ଯାହା ନିନ୍ଦୁଥାଏ ମୋହରି ଭାଗ୍ୟକୁ।

ହାଇରେ ଦଇବ ତତେ ଏତିକି କହୁଛି
ଏପରି ଭାରିଯା କାହାକୁ ନ ଦେବୁରେ ବାଛି।

ଇତି ଶ୍ରୀମଦ୍ ଭାର୍ଯ୍ୟାପୂରାଣ ପରିସମାପ୍ତଂ ନାମ ପ୍ରଥମୋଧ୍ୟାୟ॥