
ବଦଳିବାର ଏକ ନିଚ୍ଛକ ଅଭିବ୍ୟକ୍ତି
ସମୟକୁ ଜୀବନ୍ତ ସାବ୍ୟସ୍ତ କରିବାର
ଏକ ପ୍ରୟାସ ନିରବଛିନ୍ନ
ଅବା ଆବର୍ତ୍ତନର ପରିଧିରେ ଶୀର୍ଷତ୍ୱର
ଏକ ବୃଥା ପ୍ରହସନ। (୧)
କେତେବେଳେ ଜୁଆରରେ ଏକ କୂଳରୁ
ଆରକୂଳକୁ ବିସ୍ଥାପନ
ଅବା ପ୍ରଳୟଙ୍କାରୀ ବନ୍ୟାରେ
ଭିଟାମାଟି ଠାରୁ ନିର୍ଯ୍ୟାସନ। (୨)
ମୁଣ୍ଡ ଝାଳ ତୁଣ୍ଡେ ମାରି କଣ୍ଟକିତ ଦୁର୍ଗମ ପଥକୁ
ସଫଳତା ର ସୋପାନରେ ରୂପାନ୍ତରଣ
ଅବା ଖୋଷାମତି କରି ପାରିତୋଷିକରୁ
ରାତାରାତି ରାଜେନ୍ଦ୍ରାସୀନ। (୩)
ଅବଚେତନରୁ ଚେତନାର ସୂକ୍ଷ୍ମ ବିକାଶ
ଚଣ୍ଡାଶୋକରୁ ଧର୍ମାଶୋକ
ଅବା ପାଶବିକ ପ୍ରବୃତ୍ତି ରେ ମତୁଆଲା
କ୍ଷମତାସୀନ ହୋଇ ଶୋଷଣ ର ଜୟଗାନ। (୪)
ଗୋଧୂଳିର ଦୂର ଦିଗନ୍ତରେ ଆଖିପତାତଳେ
ହାଇମାରୁଥିବା କ୍ଲାନ୍ତ କାକୁସ୍ଥ ଜୀବନ
ଅବା ସନ୍ନିକଟ ଦିଗବଳୟରେ ସ୍ୱର୍ଣ୍ଣାଭ ସୂର୍ଯ୍ୟୋଦୟ
ସ୍ନେହାଁହ୍ଲାଦିତ ଜୀବନର ମାଦକୀୟ ଯୌବନ। (୫)
ସୀମିତ କେବଳ କ୍ୟାଲେଣ୍ଡରରେ ପୃଷ୍ଠା ଉନ୍ମୋଚନ
ଡିସେମ୍ବର ପରେ ନବ ବର୍ଷର ଉଚ୍ଚାଟ ଅଭିନନ୍ଦନ
ଅବା ‘ମରା’ ରୁ ‘ରାମ’, ଉଇ ହୁଙ୍କାରୁ ବାଲ୍ମୀକି
ଦାନବତ୍ୱରୁ ଦେବ ତୁଲ୍ୟ ପରିମାର୍ଜନ। (୬)
