
ହେ ବନଲତା!
କଥା କହ ତୁହି ଆଜି;
କାହିଁ ସେଇ ରୂପ ତୋହରି ସରାଗ
କାହିଁକି ଦେଇଛୁ ତେଜି?
ଶୀତଳ-ସମୀର ବହି ଆସୁଥିଲା ସାଇଁ ସାଇଁ ;
ଏ ମନେ ହରଷ ଦେଉଥିଲା ଭରି
ପରଶ ତା’ ଗଲା କାହିଁ?
ବନମଲ୍ଲୀକାର ବାସ ଭରି ଯାଉଥିଲା ଶ୍ୱାସ;
ଏଇ ପ୍ରାନ୍ତ ଛାଡି ଲୁଚିଲା ସେ କାହିଁ…
ନାହିଁ ତ ତା’ରି ଆଭାସ!
କୋଇଲିର କୁହୁ-ସ୍ୱର ଶୁଭୁଥିଲା ପ୍ରତିଥର-
ଏଇ ଉପବନେ ବସନ୍ତ-ଦିନେ ସେ
ଉଡ଼ିଗଲା କେତେ ଦୂର?
କୁଳୁ-କୁଳୁ ଗୀତ ଗାଇ ନିର୍ଝର ଗଲାଟି କାହିଁ ;
ଭାବୁକ-ମାନସ-ଉଲ୍ଲାସୀ ନୀର ସେ
ଫେରିବ କି ଆଉ ନାହିଁ?
ଗାଈଆଳ ଗୋରୁ ଘେନି ଆସୁଥିଲା ବେଳ ଜାଣି;
ଏ କାନନେ ବଂଶୀ ବଜାଉଥିଲା ସେ
କାହିଁ ସେ ମଧୁର ଧ୍ୱନି?
ଛୋଟ ଏଇ ନିକାଞ୍ଚନେ ପାହାଡ଼ଟି ଥିଲା ଦିନେ;
ମୁକୁଟ ପରାୟେ ଦିଶୁଥିଲା ଦୂରୁ
ରହିଲା ସେ କେଉଁ କୋଣେ?
ମୟୂର ଗିରି ଶିଖରେ ବୁଲୁଥିଲା ନିର୍ଭୟରେ;
ଜାତୀୟ-ପକ୍ଷୀ ସେ ଦିଶୁନାହିଁ ଏବେ
ପଡିଲା କି ବିପତ୍ତିରେ?
ମୃଗ ଶିଶୁଟି ତୋ’କୋଳେ ଖେଳୁଥିଲା କୁତୂହଳେ,
କୁହ ଲତା! ଗଲା ସେ କୁଆଡ଼େ……ରହିଲା କେଉଁଠି…..
ଅବା ସେ ସ୍ଥଳୀରେ ଟଳିଲା ଗୁଳିଚୋଟରେ???