ମୁଁ ଏକ ଛିଣ୍ଡା ଗୁଡ଼ି
ନଟେଇରୁ ଛିଣ୍ଡିଲା ପରେ
ମୁଁ ଖୋଜିଚାଲିଛି ଭୂପୃଷ୍ଠ
ହେଲେ ଅଟକିଯାଇଛି ଏକ ଅନାମଧ୍ୟେୟ ଗଛର ଡାଳରେ।
ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ
ମତେ ତରଳିବାକୁ ହେବ
ମାଘର କାଠୁଆ ଶୀତରେ
ଜଳିବାକୁ ହେବ ବୈଶାଖର
ତପ୍ତ ମଧ୍ୟାହ୍ନରେ
ଭିଜିବାକୁ ହେବ ଶ୍ରାବଣର ମୂଷଳଧାରାରେ।
ବିବର୍ଣ୍ଣ ଆକାଶ ତଳେ
ବିଷର୍ଣ୍ଣ ପୃଥିବୀ
ଉଦାସ ବସନ୍ତ
ଆଉ ବିବଶ ବାନ୍ଧବୀ।
ସମସ୍ତେ ଚାହିଁଥିବେ ମୋ ଖସିବା ବାଟକୁ
ବାରମ୍ବାର ଚାହୁଁଥିବେ
ଶୂନ୍ୟ ଆକାଶକୁ,
ନଟେଇ ଛିଣ୍ଡା ଗୁଡ଼ି ମୁଁ ନିଶ୍ଚେ ତ ଖସିବି ତଳକୁ।