ସାତ ବର୍ଷ ପୂର୍ବେ ମୋର ଘରେ ଗୋଟେ ପାଇଖାନା ବସାଇବା ପାଇଁ ସରକାରୀ ସହାୟତା ମିଳିଲା। କାର୍ଯ୍ୟାଦେଶ ଦେବା ପାଇଁ ବ୍ଲକ୍‌ର ଜେ.ଇ. ମୋଠାରୁ ଆଗତୁରା ଦି’ ହଜାର ଟଙ୍କା ନେଇଗଲା। ପାଇଖାନା ବନାଇବା ପରେ, ବାର ହଜାର ଟଙ୍କାର ସରକାରୀ ଅନୁଦାନ ପାଇବାକୁ ଦେଢ଼ବର୍ଷ ଲାଗିଲା। ପକ୍କାଘର କରିବାକୁ ଗତବର୍ଷ ଦୁଇ ଲକ୍ଷ ମିଳିଥା’ନ୍ତା ମୋତେ। ସେମାନ ହାଙ୍କିଲେ ପୂରା ପଚାଶ ହଜାର। ମୁଁ ସେଥିରେ ରାଜି ହେଲିନାହିଁ। ମୋ ବଦଳରେ ସେହି ସହାୟତା ଆମ ଗାଁ ୱାର୍ଡ ମେମ୍ବରର ଘଇତାକୁ ମିଳିଲା, ସେମାନେ ପ୍ରଚାର କଲେ, ମୁଁ କୁଆଡ଼େ ଶାସକଦଳକୁ ଆଦୌ ସମର୍ଥନ କରେନା, ସରକାର ଇନ୍ଦ୍ରଚନ୍ଦ୍ର କିଛି ବି ମାନେନା।

ସାବାଳକ ହେବା ପରେ, ବିଗତ ଚାରୋଟି ସାଧାରଣ ନିର୍ବାଚନରେ, ମୁଁ ଏହି ଦଳକୁ ହିଁ ଭୋଟ ଦେଇ ଆସିଛି। ଭୋଟ ଗ୍ରହଣର ପୂର୍ବଦିନ ଗାଁର ଦୁଇଟି ଲୋକ ଘରଘର ବୁଲି ଲୋକଙ୍କୁ ଟଙ୍କା ବାଣ୍ଟିଥା’ନ୍ତି। ମୁଁ ତାଙ୍କୁ ଅଭୟ ଦିଏ-ତୁମେ ଯାହାକୁ କହୁଛ ତାକୁ ହିଁ ମୁଁ ଭୋଟ ଦେବି, କିନ୍ତୁ ଟଙ୍କା ନେବିନି। ଦଲାଲମାନେ ହୁଏତ ଏହି ପୁରୁଷ ପୁଅର ବଚନକୁ ବିଶ୍ୱାସ କଲେନି।

ଆଗାମୀ ନିର୍ବାଚନରେ, ମୁଁ ଭାବୁଚି, ଏମିତି କରିବି। ମୂଲ୍ୟବାନ୍ ଭୋଟ୍ ତାଙ୍କ ସପକ୍ଷରେ ଦେବା ପାଇଁ ସେମାନେ ଯେତିକି ଟଙ୍କା ବଢ଼ାଇବେ, ହସି ହସି ଧରିବି ଓ କୃତଜ୍ଞତା ପ୍ରକାଶ କରିବି। କୃତଜ୍ଞତା ହିଁ ତ ପ୍ରାର୍ଥନାର ସର୍ବଶ୍ରେଷ୍ଠ ନୈବେଦ୍ୟ! ଅଥଚ ସେହି ପ୍ରାର୍ଥୀଙ୍କୁ ଭୋଟ ଦେବି, ଯିଏ ଆଦୌ ଭୋଟରଙ୍କୁ କିଣିବାର ପ୍ରୟାସ କରି ନଥିବେ। ସେମାନେ ତ ଜାଣି ପାରିବେନି, କାହାକୁ ମୁଁ ଭୋଟ ଦେଲି, କାହାକୁ ନ ଦେଲି। କିନ୍ତୁ ତାଙ୍କୁ ସେହିକଥା କହିଦେବା ନିରାପଦ ନୁହେଁ। ନିଜ ଗାଁ ଲୋକ ହେଲେ ସୁଦ୍ଧା ସେମାନେ ମୋ ପ୍ରାଣ ନାଶ କରିଦେଇ ପାରନ୍ତି। ସେମାନଙ୍କ ନିର୍ଦ୍ଦେଶରେ କନଷ୍ଟେବଳଟାଏ ବି ବାନ୍ଧିନେଇ ଦଶବାଡ଼ି ପିଟିଦେଇ ପାରେ। ଅଯଥାରେ ଦୋଷୀ ହେବେ ରାଜ୍ୟର ଶାସକ। ଦଳ ମଧ୍ୟ ବଦନାମ ହୋଇଯାଇ ପାରେ।

ଶାସକଙ୍କୁ ନିବେଦନ: ମଣିଷକୁ କେବଳ ଭୋଟର ବୋଲି ନ ଭାବନ୍ତୁ, ସେମାନଙ୍କୁ ମାହାଳିଆ କିଛି ନ ଦିଅନ୍ତୁ। ଆମକୁ ଲୋଡ଼ା କେବଳ ରୋଜଗାର କରିବାକୁ କାମ ଏବଂ ତୁମ ଅନାବିଳ ପ୍ରେମ।

ଅଭିଯୋଗ ଓ ବିଚାର ସମ୍ବଳିତ କାଗଜ ସହିତ ମୁଁ ଯାଇ ପହଞ୍ଚିଲି ଚାରି ମାଇଲ୍‌ ଦୂରରେ ଅବସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ। ମୁଖିଆଙ୍କ ପ୍ରତିନିଧି ଆସିସାରିଥିଲେ। ନିକଟସ୍ଥ ବ୍ଲକ କାର୍ଯ୍ୟାଳୟ ସାମ୍ନାର ଖୋଲା ପ୍ରାଙ୍ଗଣରେ ହେଲିକେପ୍ଟର ଗୋଟାଏ ଠିଆ ହୋଇଥିଲା। ସଭାସ୍ଥଳରେ ଲାଗିଛି ଖଚାଖଚ୍ ଭିଡ଼। ବହୁ ଲୋକଙ୍କ ହାତରେ ଦିସ୍ତାଦସ୍ତା କାଗଜର ଇଝାର। ଏତେଗୁଡ଼େ କାଗଜର ଭିଡ଼ରେ ମୋ ଗୁହାରି ପହଞ୍ଚିବ ଉପଯୁକ୍ତ ଜାଗାରେ? ମୋ ମନକୁ ସନ୍ଦେହ ଘାରିଲା। ସହସା ମନେପଡ଼ିଲା, ଜେଜେବାପା ମୋତେ ଥର କହିଥିବା ଗୋଟିଏ କାହାଣୀ। କହିବା ପୂର୍ବରୁ ସେ ପ୍ରଶ୍ନ କରିଥିଲେ-ଗୋଟିଏ କୁକୁର ଯଦି ଆଉ ଗୋଟେ କୁକୁରକୁ ହାବୁଡ଼େ, ପ୍ରଥମେ ତା ଲାଞ୍ଜକୁ ଅନାଏ ଆଉ ଶୁଂଘିଥାଏ କାହିଁକି ଜାଣିଛୁ?

ମୁଁ ବହୁତ ଛୋଟ ଥିଲି; ମୋର ସେତେ ଜ୍ଞାନ ହୋଇ ନ ଥିଲା।

ତାହା ପରା ବହୁବର୍ଷ ପୂର୍ବର ଘଟଣା। କୁକୁରମାନେ ଗୋଟିଏ ସଭା ଡାକି ଆଲୋଚନା କଲେ ଯେ, ସେମାନଙ୍କୁ ମିଳିଥିବା କୋଡ଼ିଏ ବର୍ଷ ଆୟୁଷ, ମଣିଷଙ୍କ ଶହେ ବର୍ଷ ତୁଳନାର ଅତି ଊଣା, ନିହାତି ନଗଣ୍ୟ। କୁକୁରଙ୍କ ଆୟୁଷ ଅନ୍ତତଃ ଚାଳିଶ ବର୍ଷ କରିବା ପାଇଁ ଦାବିପତ୍ର ଲେଖାଗଲା ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଉଦ୍ଦେଶ୍ୟରେ। ପ୍ରତିନିଧି ରୂପେ ଗୋଟେ କୁକୁରକୁ ପଠାଗଲା ବ୍ରହ୍ମାଙ୍କ ପାଖକୁ। ଲିଖିତ ଦାବିପତ୍ରଟି ବନ୍ଧାଗଲା ଲାଙ୍ଗୁଡ଼ରେ ତା’ର। ଶୁଭବେଳା ଦେଖି ସିଏ ଯାତ୍ରାରମ୍ଭ କଲା।

କୁକୁରଟି ତଥାପି ଫେରିନି। ଅଥବା ଫେରିଥିଲେ ବି ତାକୁ କିଏ ଚିହ୍ନିପାରୁ ନାହାଁନ୍ତି। ତେଣୁ ଗୋଟିଏ କୁକୁର ଆଉଗୋଟେ କୁକୁରକୁ ଦେଖିଲେ, ତା’ ଲାଙ୍ଗୁଡ଼କୁ ଚାହେଁ ଆଉ ଶୁଙ୍ଘେ। କାଳେ ସେହି ଦାବିପତ୍ର ବନ୍ଧା ହୋଇଥିବ, ବ୍ରହ୍ମାଙ୍କ ମଞ୍ଜୁରି ଏବଂ ଦସ୍ତଖତ ସହିତ। ଅଥବା କାହା ଲାଞ୍ଜରୁ କାଗଜର ବାସ୍ନା ବାରିହେବ! କେଉଁଟା ସେ କୁକୁର, ଯିଏ ସେହି ଦାବିପତ୍ର ନେଇଥିଲା ବ୍ରହ୍ମାଙ୍କ ନିକଟକୁ? କାଳକାଳ ଧରି ତାକୁ ଖୋଜୁଛନ୍ତି ସମସ୍ତେ।

ଭଲ ହେଲା, ମୁଁ ମୋର କାଗଜଟି ନ ଦେଇ ଫେରିଆସିଲି। ବରଂ ମୋ ଆୟୁଷ ଯେତେ ସୀମିତ ହେଉ ପଛକେ, ସେତିକିରେ ସନ୍ତୁଷ୍ଟ ରହିବି।
ଆପଣଙ୍କୁ ଯଦି ଏହା ଭଲ ଲାଗେ, ତେବେ ଆପଣ କଦାପି ମୁଖ୍ୟମନ୍ତ୍ରୀ ନୁହଁନ୍ତି। ଏବଂ ଯଦି ଖରାପ ଲାଗୁଛି, ତେବେ ତ ଆପଣ, କଦାଚିତ୍ ସର୍ବେସର୍ବା ହୋଇ ନ ପାରନ୍ତି।
-୦-

ଚଳିତ ମାସ ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କ ଦେହାନ୍ତ ହୋଇଛି। କିଛି ମାସ ପୂର୍ବରୁ ସେ ପଠାଇଥିବା ଏହି ଗଳ୍ପଟି ପ୍ରକାଶିତ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ।

Pages: 1 2