ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

କବିତା / ଥ୍ରିଲର୍

ଶ୍ରାବଣର ଏକ ମଖମଲି ଅପରାହ୍ନ।
ମଝିରେ ମଝିରେ ମେଘ ଗର୍ଜି ଘୋଷଣା କରୁଥାଏ ବର୍ଷାର ଆଗମନୀକୁ। ରଜତର ରୁମ୍ ଭିତରକୁ ଝଲ୍‌କା ଝଲ୍‌କା ବିଜୁଳିର ଉଜ୍ଜ୍ବଳତା ଧସେଇପଶୁଥାଏ। ରଜତ ପୁଣି ଗୋଟାଏ ଜବରଦସ୍ତ ଦମ୍ ଟାଣି ସିଗାରେଟ୍ ଧୂଆଁକୁ କୁଣ୍ଡଳୀ ଆକାରରେ ଛାଡ଼ିଲା ଓ ସେହି ଧୂଆଁ ମଧ୍ୟରେ ଶ୍ରାବଣୀର ନିରାବରଣ ଶରୀରକୁ ଦେଖି ଶିହରିଉଠିଲା।

ଆଜିର ସ୍ବପ୍ନିଳ ସନ୍ଧ୍ୟାକୁ ତୁଛ କରିଦେବାକୁ ଆଦୌ ଇଚ୍ଛା ନ ଥିଲା ରଙ୍ଗୀନ୍ ମିଜାଜୀ ରଜତର। ଝିପ୍‌ଝିପ୍‌ ବର୍ଷା ସାଙ୍ଗକୁ ହାତରେ ସୁରା ଓ ବାହୁରେ ଶ୍ରାବଣୀ। ଆଃ…, ରଜତର ତଣ୍ଟି ଶୁଖିଗଲା। ହ୍ବିସ୍କିର ଦ୍ବିତୀୟ ପେଗ୍‌ରେ ଓଠ ଲଗାଇଲା ସେ। ଯଦିଓ ଖୁବ୍ ନାରୀସକ୍ତ ରଜତ, କିନ୍ତୁ ସ୍ବାସ୍ଥ୍ୟସଚେତନ ମଧ୍ୟ। ତେଣୁ ସେ ନିଜର ସୁନ୍ଦର ଶରୀର ଓ ବାକ୍‌ଚାତୁର୍ଯ୍ୟକୁ ଆୟୁଧ କରି ବନିଶୀ ପକାଏ ଘରୋଇ ପୋଖରୀଗୁଡ଼ିକରେ।

ବେଶ୍ କିଛି ଦିନ ହେବ ତା’ ନଜର ପଡ଼ିଛି ଶ୍ରାବଣୀ ଉପରେ। ଶ୍ରାବଣୀ, ଇଞ୍ଜିନିୟର ଇନ୍ଦ୍ରଜିତ୍ ଦାସଙ୍କ ସହଧର୍ମିଣୀ। ସେ କବିତାକୁ ଭଲ ପାଆନ୍ତି ଓ କବିଙ୍କୁ ପ୍ରଚୁର ସମ୍ମାନ କରିନ୍ତି ବୋଲି ଇନ୍ଦ୍ରଜିତ୍ କିଛି ଦିନ ତଳେ ଜୋର୍ କରି ଧରିନେଇଥିଲେ ସାଥୀ ଇଞ୍ଜିନିୟର ତଥା କବି ରଜତଙ୍କୁ। ପ୍ରଥମ ଦେଖାରେ ହିଁ ରଜତର ପରଖିଲା ଆଖି ଶ୍ରାବଣୀକୁ ଚିହ୍ନିନେଇଥିଲା। ଛଳଛଳ କଳକଳ ପାହାଡ଼ି ଝରଣା ଭଳି ଚପଳ ଓ ସ୍ବଚ୍ଛ ଶ୍ରାବଣୀକୁ କବିତା ଶୁଣେଇ ସହଜରେ ବଶ କରିନେଇହେବ ବୋଲି ମନେ ହୋଇଥିଲା ତା’ର।

ସୁଯୋଗ ବି ଆସି ପହଞ୍ଚିଥିଲା ଶୀଘ୍ର। ଇନ୍ଦ୍ରଜିତ୍ କିଛି ଦିନ ପାଇଁ କମ୍ପାନୀ ତରଫରୁ ଟୁର୍‌ରେ ଯାଇଥିଲା। ମଦ ପିଉପିଉ ରଜତ ଭାବିଲା, ଏ ସନ୍ଧ୍ୟାକୁ ବେଶ୍ ଉପଭୋଗ କରାଯାଇପାରିବ ଶ୍ରାବଣୀର ସାନ୍ନିଧ୍ୟରେ।
ବାହାରେ ଝିପ୍‌ଝିପ୍‌ ବର୍ଷା।
ଶ୍ରାବଣୀ ବୋର୍ ହେଉଥିଲା ଖାଲି ଟିଭି ଦେଖିଦେଖି। ଏତେ ଜଲଦି ଶୋଇବାର ଅଭ୍ୟାସ ତା’ର ନାହିଁ। ଭୋକ ବି ଲାଗି ନ ଥିଲା। ସମୟ କାଟିବାକୁ ସେ ବହି ଥାକରୁ ‘ମେଘଦୂତମ୍’ ଆଣି ପଢୁଥିଲା।

ଠକ୍‌ଠକ୍‌ ଶବ୍ଦରେ କବାଟ ଖୋଲି ସେ ଦେଖେ ତ-କବି ରଜତ। ଶ୍ରାବଣୀ ଖୁସି ହୋଇଗଲା, ଆଃ, ଆଜିର ସନ୍ଧ୍ୟାଟା କବିତା ଓ ଚା’ ସହ ଖୁବ୍ ସୁନ୍ଦର ଭାବେ କଟିଯିବ ତ! ଶ୍ରାବଣୀ ରୋଷେଇ ଘରକୁ ଚା’ କରିବାକୁ ଗଲା। ରଜତ ମଧ୍ୟ ତା’ ପଛେପଛେ ଯାଇ ହାଜର। ରଜତର ଆଖି ଅଲଗା ଲାଗୁଥିଲା, କେମିତି ଗୋଟେ। ତାକୁ ଦେଖି ନିଜ ଆଖିକୁ ବିଶ୍ବାସ କରିପାରିଲାନି ଶ୍ରାବଣୀ। ଅବିଶ୍ବାସ ଓ ଦୁଃଖରେ ସ୍ତବ୍ଧ ହୋଇଗଲା। ରଜତ କିନ୍ତୁ ତା’ର ନିରବତାକୁ ସମ୍ମତିର ଲକ୍ଷଣ ମନେ କରି ଆହୁରି ଆଗେଇଲା। ନିଜକୁ ରକ୍ଷା କରିବାର ଅନ୍ୟ ଉପାୟ ନ ପାଇ ଶ୍ରାବଣୀ ଚା’ ସସ୍‌ପେନ୍‌ ଉଞ୍ଚେଇଲା….।

ବର୍ଷାର ବେଗ ବଢ଼ିବଢ଼ି ଚାଲିଥାଏ। ରଜତ ଛକରେ ଠିଆ ହୋଇଥାଏ। ବାଁ ପଟ ମୁଣ୍ଡର ଫୁଲା ଜାଗାରେ ହାତ ମାରି ଦେଖିଲା, ଏବେ ବି ବେଦନା ଅଛି। ସସ୍‌ପେନ୍‌ ମାଡ଼ ଖାଇ ଶ୍ରାବଣୀ ଘରୁ ପଳାଇଆସିଲା ବେଳେ ତାକୁ ପଛରୁ ଶୁଭୁଥିଲା-ମୋ ବେଡ୍‌ରୁମ୍‌ରେ ପଶିବାର ସ୍ବପ୍ନ କ’ଣ ଦେଖୁଛନ୍ତି, ମୋ ଡ୍ରଇଂ ରୁମ୍‌ରେ ମଧ୍ୟ ବସିବାର ଯୋଗ୍ୟତା ଆପଣଙ୍କର ନାହିଁ। ଶବ୍ଦଗୁଡ଼ାକର ପ୍ରତିଧ୍ବନି, ସେ ପର୍ଯ୍ୟନ୍ତ ତା’ ଛାତିରେ ବାଡ଼େଇହେଉଥିଲା।

ଘର ବାହାରେ ଗାଡ଼ି ରାତିସାରା ଠିଆ ହୋଇରହିଥିଲେ ଲୋକେ ସନ୍ଦେହ କରିପାରନ୍ତି ଭାବି ରଜତ ଗାଡ଼ି ନେଇ ନ ଥିଲା। ହେଲେ ସନ୍ଧ୍ୟାପରେ ବର୍ଷାର ପ୍ରକୋପ ଏତେ ବଢ଼ିଯିବ ବୋଲି କିଏ ଜାଣିଥିଲା। ରାସ୍ତାଘାଟ ଏବେ ଶୂନ୍‌ଶାନ୍‌। ଟେମ୍ପୋ କିମ୍ବା ଟାକ୍ସି ଦୂରେ ଥାଉ, ରିକ୍ସାଟିଏର ମଧ୍ୟ ଦେଖାଦର୍ଶନ ନାହିଁ। ଘରକୁ କେମିତି ଯିବ ଚାଲିଚାଲି!
ପରିସ୍ଥିତିରୁ ମୁକୁଳିବାର ନୂଆ କିଛି ଯୋଜନା କରୁକରୁ ଆରପଟରୁ ଗୋଟେ କାର୍ ଆସୁଥିବାର ଦେଖାଗଲା। ରଜତର ହାତ ତା’ ଅଜାଣତରେ ଲିଫ୍ଟ୍ ମାଗିବା ଭଙ୍ଗୀରେ ଉପରକୁ ଉଠିଗଲା। କାର୍ ରହିଲା ତା’ ପାଖରେ। ପଛପାଖ ଦରଜା ଖୋଲିଦେଲେ ଜଣେ ମହିଳା। ଅବଶ୍ୟ ମେକ୍ଅପ୍‌ରେ ହେଉ କିମ୍ବା ଆଲୋକର ସ୍ବଳ୍ପତାରେ, ବୟସ କିମ୍ବା ସୌନ୍ଦର୍ଯ୍ୟ କିଛି ଠିକ୍‌ରେ ଜଣା ପଡୁ ନ ଥିଲା। କାଳବିଳମ୍ବ ନ କରି କାର୍ ଭିତରକୁ ଲମ୍ଫ ଦେବା ପ୍ରାୟ ପଶିଗଲା ରଜତ।

ସମ୍ଭ୍ରାନ୍ତ ମହିଳାଙ୍କ ନିମନ୍ତ୍ରଣ ଏଡ଼ାଇ ନ ପାରି ରଜତ ତାଙ୍କ ସହ ଗଲା ତାଙ୍କ ଘରକୁ। ଖୁବ୍ ସୁଦୃଶ୍ୟ ତଥା ନିରୋଳା ଅଟ୍ଟାଳିକା। ଭବ୍ୟ ଡ୍ରଇଂରୁମ୍ ପାର ହୋଇ ବିଳାସମୟ ଶୟନ କକ୍ଷକୁ ତାଙ୍କୁ ନେଇଗଲେ ଭଦ୍ର ମହିଳା। ସମାନ୍ୟ କଥୋପକଥନ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ହୋଇଆସିଲେ ସେ। ଶୟନ କକ୍ଷରେ ଥିବା ବାର୍‌ରୁ ଦୁଇଟି ଗ୍ଲାସ୍‌ରେ ମଦ ଢ଼ାଳି ଗୋଟିଏ ରଜତ ଉଦ୍ଦେଶ୍ୟରେ ବଢ଼ାଇଦେଲେ। ରଜତ ଓଠରେ ଗ୍ଲାସ୍ ଲଗଉ ଲଗଉ ତା’ ମନ ଭିତରକୁ ଶ୍ରାବଣ ରାତିକୁ ନେଇ ଗୋଟେ କବିତାର ପଦଟିଏ ଆସିଗଲା। କିନ୍ତୁ କବିତା-ବୀତସ୍ପୃହ ଭଦ୍ରମହିଳା ବାଥରୁମ୍‌କୁ ଚାଲିଗଲେ ଫ୍ରେସ୍ ହେବାକୁ। ଝର୍କା ବାହାରର ବର୍ଷାକୁ ଉପଭୋଗ କରୁକରୁ ରଜତ ମନେ ପକାଇଲା ଶ୍ରାବଣୀକୁ। ତାକୁ ହଠାତ୍ ସବୁ କିଛି କେମିତି ଗୋଟେ ଖାଲି ଖାଲି ଲାଗିଲା।
ଏହାପରେ ଘଟିଥିବା ଘଟଣା ସବୁ ରଜତର ଭାବନା ପରିଧିର ବାହାରେ ଥିଲା। ବାଥ୍‌ରୁମ୍‌ରୁ ସ୍ବଳ୍ପ ପୋଷାକରେ ଫେରିଆସିଲେ ସେହି ମହିଳା। ତା’ପରେ ତାଙ୍କ ବୟସ ଓ ମେଦ କ୍ରମଶଃ ରଜତ ଆଖି ଆଗରେ ସ୍ପଷ୍ଟ ହୋଇଉଠିଲା। ସେ ସ୍ବପ୍ନପୁରୀ ଏବେ ତାକୁ ପ୍ରେତପୁରୀ ମନେ ହେଲା। ରଜତ ସେଠାରୁ ଧାଇଁ ପଳେଇବାକୁ ଚାହିଁ ବିଫଳ ହେଲା। ତାକୁ ଜୋର୍ କରି ଅଟକାଇ ଧରି ମହିଳା ଦରଜା ବନ୍ଦ କରିଦେଲେ।

ବାହାରେ ରାତି ସାରା ଭୀଷଣ ବର୍ଷା। ସେ ବର୍ଷା ରାତିସାରା କମିବାର ନାମ ନେଲାନି।
ରଜତ ଶ୍ରାବଣୀ ସହ ଯାହା ଯାହା ଘଟନା ଘଟେଇବାକୁ ଚାହୁଁଥିଲା; ସେଇ ନିବୁଜ କୋଠରିରେ ସବୁ ଗୋଟିକ ପରେ ଗୋଟିଏ ଘଟିଚାଲିଥିଲା। ତଫାତ୍ କେବଳ ଏତିକି ଯେ, ରଜତ ନିଜ ଭୂମିକାରେ ଅବତୀର୍ଣ୍ଣ ନ ହୋଇ ଶ୍ରାବଣୀର ଭୂମିକାରେ ଥିଲା।

ସକାଳ ହେଲା। ଧର୍ଷିତା ନାରୀର କୋହ ପରି ଆକାଶରେ ମେଘ ଖଣ୍ଡମାନ ଆହୁରି ଗୁମୁରୁଥିଲେ। ନାଲି କାର୍‌ଟି ରଜତକୁ ତା’ ଘର ପାଖରେ ଛାଡ଼ିଦେଇ କେତେବେଳୁ ଯାଇସାରିଥିଲା। ରଜତ ଗେଟ୍ ଆଗରେ ଠିଆ ହୋଇ ଆକାଶରୁ ଚାହିଁଚାହିଁ ଭାବୁଥିଲା-ଶ୍ରାବଣ ରାତିକୁ ନେଇ କେବଳ କବିତା କାହିଁକି, ଭଲ ଥ୍ରିଲର୍ ବି ଲେଖାଯାଇପାରେ।

ପାଠକୀୟ ଆଦୃତି

88 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ନିବେଦିତା ଜେନା,ରାଉରକେଲା

ଆଉ କେତୋଟି ସଂଗ୍ରହ

ଗମ୍ଭାରୀ ଗଛ

ବିଛଣାରେ ପଡି ପଡି ଶମ୍ଭୁନାଥ ବିଳିବିଳି ହେଉଥିଲେ। ଅସ୍ପଷ୍ଟ ପାଟିରେ ପୁଅକୁ କହୁଥିଲେ, ଗମ୍ଭାରୀ ଗଛଟାକୁ ଆଇତିରେ ରଖିଥିବୁରେ ବେନୁଆ, ସେଇଟା ତୋ ବୋଉର ଶେଷ ସନ୍ତକ।…

ଇଚ୍ଛା ପୁରଣ

ବିଶାଳ ଘଞ୍ଚ ବଣ। ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ। ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ। ବିଶ୍ବ…

ଭାବମୂର୍ତ୍ତି

ବାବ୍‌ଲୁ ଖବରଟା ଦେଲା। ମୁନା, ଶୁଣିଲୁଣି ହିମାଂଶୁଟା ପାଗ୍‌ଲା ହୋଇଗଲାଣି। –ପାଗଳ ହୋଇଗଲାଣି? ସକାଳୁ ସକାଳୁ ଏମିତି ମର୍ମନ୍ତୁଦ ଖବରରେ ମୁଁ ଆବଶ୍ୟକ ମୁତାବକ ମର୍ମାହତ ହେଲି।…

-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP