୰ ଅଚ୍ୟୁତାନନ୍ଦ କର
ଅଚ୍ୟୁତାନନ୍ଦ କର(୧୯୩୩-୨୦୧୨), ଜଣେ ପ୍ରଖ୍ୟାତ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ, ପ୍ରବଚକ, ସାମ୍ବାଦିକ ତଥା ସମାଲୋଚନାଧର୍ମୀ ପତ୍ରିକା ‘ଦୁର୍ମୁଖ’ର ପ୍ରତିଷ୍ଠାତା ସମ୍ପାଦକ ଥିଲେ। ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଓ ବିଶେଷକରି ବ୍ୟଙ୍ଗ ସାହିତ୍ୟ ଲେଖିବାରେ, ସେ ଥିଲେ ସିଦ୍ଧହସ୍ତ। ଉଭୟ ଗଦ୍ୟ ଓ ପଦ୍ୟରେ ସମ୍ବାଦଧର୍ମୀ ସାହିତ୍ୟ ମାଧ୍ୟମରେ ସମାଜରେ ଘଟୁଥିବା ଅସଂଗତି ଓ ଏହାର ପ୍ରତିକାର ପାଇଁ ଆହ୍ୱାନ ଥିଲା ଶ୍ରୀ କରଙ୍କ ବ୍ୟଙ୍ଗ ଲେଖାର ବାର୍ତ୍ତା।
ସମାଜର କୁସଂସ୍କାର, ଅପସଂସ୍କୃତି ତଥା ଶାସନ ବ୍ୟବସ୍ଥାକୁ ଠିକଣା ବାଟରେ ଆଣିବା ପାଇଁ, ସେ ଅନେକ ବ୍ୟଙ୍ଗ ସାହିତ୍ୟ ରଚନା କରିଛନ୍ତି। ୧୯୬୦ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ହିସାବରେ, ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ବହୁ ଲୋକପ୍ରିୟତା ହାସଲ କରିଥିଲେ। ଦୂରଦର୍ଶନ କେନ୍ଦ୍ରରେ ମଧ୍ୟ ସେ ଜଣେ ସମ୍ମାନନୀୟ ଆଲୋଚକ ଥିଲେ ।
ସେ ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ ରହିଥିଲେ। ‘ରାମଚରିତ ମାନସ’ର ବିଭିନ୍ନ ପ୍ରସଙ୍ଗରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ସେ ଖୁବ ଲୋକପ୍ରିୟ ହୋଇପାରିଥିଲେ। ସେ ନିଜ ଜୀବନକାଳ ମଧ୍ୟରେ ୧୫ରୁ ଅଧିକ ପୁସ୍ତକ ରଚନା କରିଯାଇଛନ୍ତି। ବ୍ୟଙ୍ଗସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ, ତାଙ୍କୁ ଓଡ଼ିଆ ବ୍ୟଙ୍ଗ ସାହିତ୍ୟର ଭିଷ୍ମ ପିତାମହ ଆଖ୍ୟା ଦିଆଯାଇଛି।
ତାଙ୍କ ରଚିତ ଓ ପ୍ରକାଶିତ ପୁସ୍ତକ ମଧ୍ୟରେ ‘ବିପ୍ଳବୀର ଇତିକଥା’, ‘ଇଟା ସିମେଣ୍ଟ ପୁଞ୍ଜିବାଦ’,‘ମୋହ ମୁଦ୍ଗର’, ‘ବିସ୍ଫୋରଣ’, ‘ଜୀଅନ୍ତା ମଣିଷର ମୂର୍ତ୍ତି’ ସହିତ ‘ପଣ୍ଡିତ ଅଚ୍ୟୁତାନନ୍ଦ କରଙ୍କ ଆତ୍ମଜୀବନୀ’ ଆଦି ଅନ୍ୟତମ।