ବନ୍ଧାପଡ଼ିଛି ମୁଁ ଛନ୍ଦା ପାଖରେ
କରିଛି ସପଥ ଧରିବି ତା ହାତ
ଦେଇଛି ମୋ ମନ ନେଇଛି ତା ମନ
କରିବି ତା’କୁ ମୋ ଜୀବନ ଧନ।

ସରିଛି ଆମର ଦେଖା ଜାତକ
ପଡ଼ିଛି ଆମର ରାଜଜୋଟକ
ଫଗୁଣ ‘ଆଠ’କୁ ରହିଛି ତିଥି
ପଡ଼ିବ ସେଦିନ ହାତର ଗଣ୍ଠି।

ଗଢ଼ିଛି ହରଡ଼ ଫାଳିଆ ହାର
ନାକ ନୋଥ ସାଙ୍ଗେ କାନେ କୁଣ୍ଡଳ
ବାହାକୁ ବାହୁଟି ହାତେ କଙ୍କଣ
ପାଦକୁ ପାଉଁଜୀ ରଣ, ଝଣ।

ବନାରସି ପାଟ ଆଣିଛି କିଣି
ଆଣିଛି ମୁଁ ଲଖନଉ ଓଢ଼ଣୀ
କଲିକତି ଶଙ୍ଖା କେଡ଼େ ସୁନ୍ଦର
ଆଗ୍ରାରୁ ଆଣିଛି ଚପଲ ତାର।

ଦୁନିଆ ଦିଶଇ ରଙ୍ଗିନ ମୋତେ
ଆଖିମୋର ବୁଣେ ସପନ କେତେ
ମନ ଛକପକ ଛାତି ମୋ ଥରେ
ବନ୍ଧାପଡ଼ିଛି ମୁଁ ଛନ୍ଦା ପାଖରେ।