
ଜୀବନ ନଉକା ଋଣରେ ବୋଝେଇ
କି ଦାନ ମାଗିବି ଆଉ,
ରଣ କରିବାକୁ ପଣ ବି ତ ନାହିଁ
ଆଶୀର୍ବାଦ ଟିକେ ହେଉ।
ଧନଜନ ମୋର ବଇର ହୋଇଛି
ସେଥି ନାହିଁ ପ୍ରୟୋଜନ,
ଅଣ୍ଟାରେ କାନ୍ଧରେ ଭାର ଲଦିଅଛି
“ଆହା” କୁହ ଗୁରୁଜନ।
ତଥାପି ଯାହା ମୁଁ ଋଣ ସାଉଣ୍ଟିଛି
ମାନବ ଜନମ ଧନ୍ୟ,
ବଇରାଗ ଥାଇ ବଇରାଗୀ ନୁହେଁ
କି କରିବି ଏତେ ପୂଣ୍ୟ!
ଗୁରୁ ଗୁରୁଜନ ଆଦରିଛ ମୋତେ
ଦେଇ କୋଟି ଆଶୀର୍ବାଦ,
ଏଜୀବନେ ତାହା ଊଣା କରିବନି
ମନେ ବହିବନି ଖେଦ।
ଦେଇପାରିବିନି ତୁମ ଆଶୀଷର
କାଣିଚାଏ ପୂରା କରି,
ପାଶୋରି ଦେବନି ମନରୁ କେବେ ହେଁ
କାଳେ କେବେ ରୋଷକରି।
ଗୁରୁଜନ ପଦେ କୋଟି ପ୍ରଣିପାତ
ସେ ପଦେ ଶରଣ ଥାଉ,
ପର କରିବନି ଅକିଞ୍ଚନ ଜନେ
ସଦା ଆଶୀର୍ବାଦ ହେଉ।