ଆହେ ଓଡ଼ିଶାର ଜନତା
ପୋଡ଼ିଯାଉ ମୋର ଲେଖକ ହେବାର
ନଗଲା ଯଦି ମୋ ବାରତା।

ପୋଡ଼ିଯାଉ ମୋର ସଳଖ ସୁନ୍ଦର
ନାନା କାରୁକାମ ଶବଦ,
ପୋଡ଼ିଯାଉ ମୋର ସଜଫୁଟା ଫୁଲ
ଭଳି ସନାତନ ଦରଦ।

ମୋ ଗୀତ ପଦିକେ ତୁମର କାହାଣୀ
ତୁମେ ବୁଝି ନପାର,
ଧିକ ଧିକ ମୋର କବି ବୋଲାଇବା
ଧିକ ମୋ ଲେଖକ ହେବାର,

ତୁମେ ଯଦି ହେଲ କଚେରୀ ଦୁଆରେ
ସାହୁକାରେ ହାତେ ନିଲାମ
ବାଲି ଗରଡ଼ାଟି ପାଲଟିଲା ସିଏ
ମଣିଥିଲ ଶାଳଗିରାମ।

ଆଠ କାଳି ବାରମାସି ଖଟି ଖଟି
ପେଟକୁ ଦାନା ନ ଜୁଟିଲା
ସେହି ପେଟ ଲାଗି ଏକଠୁଳ ହେବା
ଏକଥା ଯେବେ ନ ଫୁଟିଲା,

ଯାଏ ଆସେ କେତେ କେତେଟା ପତ୍ରିକା
ମୋ କବିତା ଲେଖା ଛାପିଲେ
ଯାଏ ଆସେ କେତେ କେଉଁ ଗୁଣିଆ ସେ

ମୋ କବିତା ଗୁଣ ମାପିଲେ,
ଆହେ ଓଡ଼ିଶାର ଜନତା
ତୁମକୁ କରିଲି ଅବ୍ୟୟ ମୁହିଁ
ଆପେ ବୋଲାଇଲି କରତା।

ମୋତେ ବହଲାଇ କେତେ ବଚନିକା
କରି ନାହିଁ ମୁହଁ ତିଆରି !
“କବିତା କି ତୁଚ୍ଛା ଅଦାର ବେପାର
ମୁରୂଖର ସାଗ କିଆରି ?”

ତୁମକୁ କରିଲି ଅଳ୍ପ ମୂରୂଖ
ମୋ ଲେଖାକୁ କଲି ଆରସି
ତୁମକୁ ବିଚାରେ ଅରସିକ ଜନ
ମୋ ଗୀତକୁ ନାହିଁ ପରଶି।

ମୋ କବି ପଣିଆ ରହିଲା ମୋ ପାଶେ
ତୁମେ କଲ ଦୂରୁଁ ଜୁହାର
ଢାଳେ ନ ଢାଳିଲ କରୁଣା ପଲକ
ଯେତେ ବହି କଲି ବାହାର।

ନବ ଯଉବନୀ ଛବି ଚମକାଇ
କେତେ ପତ୍ରିକା ଛାପିଲି
କେତେ ନାଗରୀର ଚରଣ ଅଳତା
ଲେଖି ଲେଖି କାଳ ଯାପିଲି।

ନୂଆ ରସକେଳି ନବ ନଟୁଚୋରୀ
ଯେତେ ଯେତେ କଲି ବାହାର
ଜନନୀ ଭଗନୀ ଅପମାନେ ମଲେ
ତେବେ ନ ଚଳିଲା ବେଭାର!

କିଏ ମନ କଲୁଁ ବିଲାତର କବି
ଏଲିଏଟ୍‌ ହେବୁ ଏ ଦେଶେ
ନବୀନ ଭଞ୍ଜ ସମରାଟ ହେବୁଁ
ଜନତାକୁ ଦେବୁ ଆଦେଶେ।

କିଏ ସେ ସାଜିଲୁଁ ବଢ଼ିଆ କଥକ
ମୋ-ପାସାଁ ବନିଲୁ କଟକେ
କିଏ ସେ ମାଜିଲୁ କଲମ ମୂନରେ
ନୋବେଲ ପ୍ରାଇଜ୍‌ ଝଟକେ।

ଆପେ ଲେଖି ଆପେ ଗ୍ରାହକ ହୋଇଲୁ
ପରସ୍ପରେ ଦେଲୁ ବଧାଇ,
ଆମେ ପାଲଟିଲୁ ଶିରୀ ଚଇତନ
ଆମେ ହିଁ ଜଗାଇ ମାଧାଇ।