
ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ,
ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ।
ସର୍ବଧର୍ମ ସୂକ୍ଷ୍ମ ମର୍ମ୍ମ ପୂର୍ଣ୍ଣ ତା’ର ଗର୍ଭରେ,
ପାଦ ସ୍ପୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ।
ଶାନ୍ତଗାତ୍ରୀ କାନ୍ତ କୁଞ୍ଜ-ପୁଞ୍ଜ ଶୈଳ ବର୍ଗରେ,
ଚାହିଁ ମୁଗ୍ଧ ଥାଇ ଲୁବ୍ଧ ସ୍ୱର୍ଗବାସୀ ସ୍ୱର୍ଗରେ।
ଶୂନ୍ୟ ଶଙ୍କେ ପୁଣ୍ୟ ଅଙ୍କେ କୋଟି ପୁତ୍ର ଧାରିଣୀ,
ପୁଷ୍ପମାଳେ ଶସ୍ୟ ଜାଲେ ତୁଷ୍ଟ ପୁଷ୍ଟ କାରିଣୀ।
ଶୁଭ୍ର ଫେଣୀ କୃଷ୍ଣ ବେଣୀ, ବକ୍ଷେ ତା’ର ବାହିନୀ,
କାନ୍ତ ବର୍ଣ୍ଣ ଶୁଦ୍ଧ ସ୍ୱର୍ଣ୍ଣ ବଜ୍ର ଖଣ୍ଡ ଦାୟିନୀ।
ପାଣି ନାମ ଅମୃତ ତା’ ବାଣୀଧାମ ସଂସ୍କୃତ,
ଅନ୍ନ ତାର ଆର୍ଯ୍ୟାବର୍ତ୍ତୁ ଲଙ୍କାଯାଏ ସତ୍କୃତ।
ଭ୍ରାତୃବର୍ଗ ଆଜି ସ୍ୱର୍ଗ ସେବ୍ୟ ମାତୃ ସଦ୍ମରେ,
କୋଟି ଚିତ୍ତଗୋଟି ବାନ୍ଧି ଲୋଟି ପାଦ ପଦ୍ମରେ।
ମାଗି ଭିକ୍ଷା ନେଉଁ ଦୀକ୍ଷା ଥାଇ ପ୍ରେମ ବନ୍ଧନେ,
ଭାଗ୍ୟଭାଗୀ ହେଉଁ ଜାଗିଲାଗି ଦୁଃଖ ଖଣ୍ଡନେ।
ଜ୍ଞାନେ ମଗ୍ନ କର୍ମେଲଗ୍ନ ହେଲେ ହେବ ସତ୍ତ୍ୱର
ସର୍ବବିଘ୍ନ ଗର୍ବଭଗ୍ନ ଋଦ୍ଧି ବୃଦ୍ଧି ସତ୍ତ୍ୱର।
ଏକ ଭେକ ଏକ ଟେକ ଦୂରେ ଫିଙ୍ଗୁ ପାର୍ଥକ,
ନୀଳଶୈଳ ସାମ୍ୟନୀତି ପ୍ରାଣେ ହେଉ ସାର୍ଥକ।
(ଉକ୍ତ କବିତାଟି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଲିଖିତ କ୍ଷୁଦ୍ର କବିତା ପୁସ୍ତକ ‘କବିତା ମାଳା’ରୁ ଆନୀତ।। ଏଥିରେ ତତ୍କାଳୀନ ଉତ୍କଳର ଗୌରବମୟ ଗାଥା ବର୍ଣ୍ଣିତ।)

