ପୋଡ଼ାବସନ୍ତ ଶାସନର ଜଗୁ ତିଆଡ଼ି କୀର୍ତ୍ତନ କରେ, ମୃଦଙ୍ଗ ବଜାଏ, ଗଞ୍ଜେଇ ଖାଏ, ଆଉ ମୁର୍ଦ୍ଦାର ପୋଡ଼େ। ଭଲ ମଡ଼ାଚଣ୍ଡିଆ ଭାବରେ ସେ ଖଣ୍ଡମଣ୍ଡଳରେ ଜଗୁର ବେଶ୍ ଗୋଟାଏ ନାଆଁ ବି ଅଛି।
ମୁର୍ଦ୍ଦାରଟା ଯେବେ ଜୁଇ ନିଆଁ ଉପରେ ସେଁ ସେଁ କରେ କି ତା’ର ଗୋଡ଼ଟା ନିଆଁ ସେକରେ ଡେଙ୍ଗା ହୋଇ ଉପରକୁ ବାହାରିପଡ଼େ କିମ୍ବା ପେଟ ଭିତରେ ଅନ୍ତବୁଜୁଳାଗୁଡ଼ାକରୁ ପାଣି ନିଗିଡ଼ି ନିଆଁ ଧରେ ନାଇଁ, ତେବେ ଅନ୍ୟ ମାଲଭାଇମାନେ ଜଗୁ ତିଆଡ଼ି ମୁହଁକୁ ଅନାନ୍ତି, ତା’ର ପରାମର୍ଶ ଲୋଡ଼ନ୍ତି।
ଗଞ୍ଜେଇ ନିଶାରେ ଟିକିଏ ବେହୁସିଆର ହୋଇ ଜଗୁ ହୁଏତ ମଶାଣିପଦାରେ ଖଣ୍ଡେ ଦୂରରେ ବସି ଢୁଳାଉଥାଏ। ସେ ଧଡ଼ପଡ଼ ହୋଇ ଉଠିପଡ଼ି ଠିଆହୁଏ, ତା’ପରେ କୋକେଇ ଭିତରୁ ଗୋଟାଏ ତିନିହାତିଆ ବାଉଁଶ ଓଟାରି ଆଣି ‘ମାରମାର’ କହି ମୁର୍ଦ୍ଦାର ଉପରେ ବସାଇଦିଏ ତିନି-ଚାରିଟା ପାହାର।
ମୁର୍ଦ୍ଦାରର ମୁଣ୍ଡଟା ହୁଏତ ଚୂନା ଚୂନା ହୋଇଯାଏ-ଦହି ବାହାରି ପଡ଼ି ଖଣ୍ଡେ ଚଉଡ଼ାରେ ନିଆଁ ଲିଭିଯାଏ। ଅମାନିଆ ଗୋଡ଼ଟା ଠେଙ୍ଗା ମାଡ଼ରେ ଆଣ୍ଠୁଠୁ ଭାଙ୍ଗିପଡ଼ି ଲୋଟେ ତଳେ କାଠ ସନ୍ଧିରେ। ପେଟଟା ଫାଟି ହୋଇଯାଏ ଦି’ଫାଳ, ଅନ୍ତନାଡ଼ି ଭିତରେ ଭିତରେ ନିଆଁର ଲହଲହ ଜିଭ ଚାଉଁ ଚାଉଁ ଖେଳିଯାଏ। ଆଖି ପିଛୁଳାକରେ ସବୁ ଜଳିପୋଡ଼ି ହୋଇଯାଏ ପାଉଁଶ।
ଆଣ୍ଠୁଏ ପାଉଁଶ, କୁଲା, ଛାଞ୍ଚୁଣୀ, ହାଣ୍ଡି, ଖପରା, ଛିଣ୍ଡା କତରା ସନ୍ତସନ୍ତିଆ ମଶାଣିପଦା। ନଖ, ବାଳ, ଟିକି ଟିକି ହାତ, ଅଲରା ବଲରା ଅସନା!!
ଜଗୁ ତିଆଡ଼ି ଖୁସି ହେଇ ଫେରିଆସେ। ପୋଖରୀ ତୁଠରେ ତେଲ ଲଗାଉ ଲଗାଉ ଜଙ୍ଘ ଉପରେ ଚାପୁଡ଼ା ମାରି ଆରାମରେ କହେ, ‘ଦିଅଁଙ୍କ କୃପାରୁ କାମଟା ସୁରୁଖୁରୁରେ ବଢ଼ିଗଲା।’
ଗାଁଆରେ ଯେତେବେଳେ ଝାଡ଼ାବାନ୍ତି ବ୍ୟାପେ- ଠାକୁରାଣୀ ପଡ଼ନ୍ତି-ମଢ଼, କୁଢ଼ କୁଢ଼ ହୁଏ, ଜଗୁ ତିଆଡ଼ିର ଖାତିର ସେତେବେଳେ ଗାଁରେ ଭାରି ବଢ଼ିଯାଏ। ସମସ୍ତେ ଆସି ତାକୁ ଖୁସାମତ କରନ୍ତି। କିଏ ଆଖିରୁ ଲୁହ ଗଡ଼ାଏ, କିଏ ଖୋଷଣୀରୁ ପଇସା ବାହାର କରେ, କିଏ ବା ହାତଓଠ ଧରି ‘ବାପଲୋ ଧନଲୋ’ କରେ। ଜଗୁ ତିଆଡ଼ି ବଡ଼ ଗମ୍ଭୀର ହୋଇ ସଭିଙ୍କ ନେଉରା କଥା ଶୁଣେ, କିନ୍ତୁ ହଠାତ୍ କିଛି କହେ ନାହିଁ। ‘କାଲି ରାତିଠୁଁ ଘର ଭିତରେ ମଡ଼ା ପଡ଼ି ଗନ୍ଧେଇ ଗଲାଣି।’
‘ଭୁଆସୁଣୀ ବୋହୂଟା ଦୁଇଦିନ ହେଲା ଘର କୋଣରେ ମରି ଶଢ଼ୁଚି…।’ ଏହିପରି ନାନା ଭଳି ଅଳି ଅଝଟ ଜଗୁ ପାଖରେ ଆସି ପହଞ୍ଚେ। ଜଗୁ ତା’ର ପାଉଣାପତ୍ର ବିଷୟରେ ଜମା କାହାରି ଉପ୍ରୋଧ ରଖେ ନାଇଁ। ଭରିଏ ଗଞ୍ଜେଇ, ଟେଳାଏ ଅଫିମ, ଚାରିଅଣା ଅଣ୍ଟାଖୋଷା ନ ହେଲେ ସେ କୁଆଡ଼କୁ ଚଙ୍କିବ ନାଇଁ। ଏହାଛଡ଼ା କଷାଭାତ, ତୁଠଲୁଗା, ଦଶଘର ନିମିତା ଇତ୍ୟାଦି ଉପୁରି ଲାଭ ରହିଚି।
ସଧବା ସ୍ତିରିଲା ମଡ଼ା ହେଲେ ଜଗୁର ଟିକିଏ ଲାଭ ବେଶି। ଥିଲାଘର ହୋଇଥିଲେ କାନର ନୋଳିଟା, ମଲକଡ଼ିଟା, କିମ୍ବା ନାକର ଗୁଣାଟା, ଆଉ ନ ଥିଲା ଘର ହୋଇଥିଲେ ଗୋଡ଼ ଆଙ୍ଗୁଠିର ରୂପାମୁଦିଟା ଜଗୁକୁ ଭାଇ ଦକ୍ଷିଣା ମିଳେ। ମୁର୍ଦ୍ଦାରଟାକୁ ନିଆଁରେ ଚଢ଼ାଇବା ଆଗରୁ ସେ ତା’ ଦିହଟାକୁ ଖିନ୍ଭିନ୍ କରି ପରଖି ନେଇ କେଉଁଠି ଅଳଙ୍କାରପତ୍ର କିଛି ଅଛି କି ନାଇଁ ଦେଖେ, ଥିଲେ କାଢ଼ି ରଖେ।
ବେଳେବେଳେ ମଡ଼ା ଦେହରୁ ନୋଳି, ମଲକଡ଼ି କି ଗୁଣା, ବସଣି ସହଜରେ ନ ବାହାରିଲେ ଜଗୁ ତିଆଡ଼ି ବିରକ୍ତ ହୋଇ ଦାନ୍ତ କାମୁଡ଼ି ବହୁତ ଝିଙ୍କା ଓଟରା କରି ଅଳଙ୍କାରଗୁଡ଼ାକ ମୁର୍ଦ୍ଦାରର ନାକରୁ, କାନରୁ ଛିଣ୍ଡାଇ ଆଣେ। ନାକଦଣ୍ଡିଯାଏଁ କାନଟା ଖଣ୍ଡିଆ ହୋଇଯାଏ, ନେଳିଆ ନେଳିଆ ପାଣିଆ ରକ୍ତ ବୋହିଆସି ଶବଟାର ମୁହଁଯାକ ସାଲୁବାଲୁ ହୋଇଯାଏ; କିନ୍ତୁ ଜଗୁ ତିଆଡ଼ିର ସେଥିପ୍ରତି ଖାତିର ନ ଥାଏ। ଏଇଟା ତା’ର ନିତିଦିନିଆ ଦେହଘଷିଆ କାମ, ଏକପ୍ରକାର ଉପୁରି ବୃତ୍ତି। ଇମିତି କରି କରି ସେ ପଥର ପାଲଟି ଯାଇଚି।
ପୋଖତୀ ମୁର୍ଦ୍ଦାର ମିଳିଲେ ଜଗୁ ତିଆଡ଼ି ଧୋବଲୀ ଚକିଟିଏ ଅଣ୍ଟାରେ ନ ଖୋଷିଲେ କାନ୍ଧକୁ କୋକେଇ ଉଠାଇବ ନାଇଁ। ତା’ ପାଉଣାରୁ ଟିକିଏ ଏପାଖ ସେପାଖ ହେଲେ ସେ ବାସିମଡ଼ା କରିଦେବ ବୋଲି ଧମକ ଦିଏ- ଅନ୍ୟ ମାଲଭାଇମାନଙ୍କୁ ଶିଖେଇ ମତେଇ ମେଳିବାନ୍ଧି ଅଡ଼ିବସେ। ଟଙ୍କାଟିଏ ମିଳିଲେ ଅହ୍ୟ ଡେଙ୍ଗୁରାର ତାଳେ ତାଳେ ପାଦ ପକାଇ ‘ରାମ ନାମ ସତ୍ୟ ହେ’ ପାଟିକରି ଜଗୁ ତିଆଡ଼ି ବଡ଼ ପତିଆରାରେ ଦାଣ୍ଡ ମଝିରେ ପାହୁଲ ପକାଇ ଚାଲେ। ତା’ର ମୁଗୁନି ପଥର ପରି କଳା ଦିହରେ ଧଳା ପଇତା ଖିଅକ ଦୂରରୁ ଜକଜକ ଦିଶୁଥାଏ…।
ତା’ର ବଡ଼ ପାଟିରେ ଗାଆଁସାରା ଉଛୁଳି ପଡ଼େ। ସାହିଯାକର ମରଦ ମାଇପେ ଆସି ଦାଣ୍ଡରେ ଗଦା ହୋଇଯା’ନ୍ତି। ସାନ ସାନ ପିଲାଗୁଡ଼ାକ ଡରଭୟରେ ଯାଇ ଲୁଚନ୍ତି ଘରେ।
ମଶାଣିରେ ଧୋବା ଗୋଟାଏ ନହୁରୁଣୀରେ ଗର୍ଭିଣୀ ମାଇପିର ପେଟ ଫାଡ଼ି ପିଲାଟାକୁ ବାହାର କରିଦେଲେ ଜଗୁ ତିଆଡ଼ି ଦୁଇଟା ଚୁଲି ଖୋଳି ମା’ ପିଲା ଦୁହିଁଙ୍କୁ ଚିତ୍ପଟାଙ୍ଗ୍ କରି ଶୁଆଇ ଦିଏ। କେବେ କେବେ ପୁଣି ଗୋଟାଏ ଜୁଇରେ ଦୁହିଁଙ୍କି ଲଗାଲଗି କରି ଏକାଠି ଶୁଆଇ ଦେଇ ନିଆଁ ଲଗାଇ ଦିଏ। ଗୋଟାକରେ ଜାଗା ନ ହେଲେ କେଞ୍ଚଣାକାଠି ଖଣ୍ଡକରେ ସେ ପିଲାକୁ ଲୋଚାକୋଚା କରି ମାଉଁସ ପିଣ୍ଡୁଳାଏ ପରି ଜଳନ୍ତା କାଠ ସନ୍ଧିରେ ଫୋପାଡ଼ି ଦିଏ।
ଏହିପରି ଭାବରେ ଜଗୁ ତିଆଡ଼ି ଅମଳ ହୋଇଥିବା ଧାନ କେତେ ଭରଣ ବାଦ ବେଳେ ବେଳେ ଉପୁରି ଦି’ପିଇସା ରୋଜଗାର କରି ନିଜେ ଚଳେ, ଘର ଚଳାଏ, ଦବାନବା ବାହା ବେଭାର କରେ।
କେହି ତାକୁ ମୁହଁ ଫିଟାଇ କିଛି କହିପାରନ୍ତି ନାଇଁ। ସେ ଗାଁରେ ଜଗୁ ଛଡ଼ା ଅନ୍ୟ ପୋଖତ ଜାଣିଲାବାଲା ବ୍ରାହ୍ମଣ ମାଲଭାଇ ଆଉ କେହି ନାହାନ୍ତି।
କେହି ଜଗୁର ପାଉଣା କମାଇବାକୁ ବସିଲେ ଜଗୁ ନିଜର କୃତିତ୍ବ ତୁଳନାରେ ସେ ଦାବି କରୁଥିବା ପାଉଣା କିଛି ନୁହେଁ ବୋଲି ନାନା ପ୍ରକାର ଯୁକ୍ତି ଦେଖାଏ। ନିଜର ପତିଆରା ଦେଖାଇବାକୁ ଯାଇ ସେ ଅତୀତର ନାନା ଘଟନାର ପୁନରାବୃତ୍ତି କରି ପ୍ରମାଣ କରେ ଯେ, ତା’ ଭଳି ମୁର୍ଦ୍ଦାର ପୋଡ଼ିବା ଲୋକ ଏ ଜଗତରେ ଦୁଇଜଣ ନାହାନ୍ତି। ସେ ଭାରି ଗର୍ବ ଅନୁଭବ କରେ।
ଗତ ସାଲ୍ରେ ନରସିଂହ ମିଶ୍ରଙ୍କ ଭାରିଯାକୁ କିମିତି ଢୁ ଢୁ ଅଚାନକ ମେଘବର୍ଷାରେ ପୋଡ଼ିଦେଇ ଅଇଲା, ଅଇଲାବେଳେ ସାତଗଛିଆ ତୋଟା ମୁଣ୍ଡରେ କିମିତି ଗୋଟାଏ ବେକକଟା ମାଦଳ ହାବୁଡ଼ରେ ପଡ଼ିଲା, ତା’ପରେ ପୁଷୁମାସିଆ ଶୀତଦିନ ରାତିରେ କିମିତି ଜଳଓଦରି ବେମାରିରେ ମରିଥିବା ନାଥ ବ୍ରହ୍ମାକୁ ପୋଡ଼ିଲାବେଳେ ମୁର୍ଦ୍ଦାର ପେଟରୁ ଦୁଇ ମାଠିଆ ପାଣି ବାହାରି ଆସି ଜୁଇ ନିଆଁ ଲିଭାଇ ଦେଲା, ଜଗୁ ପୁଣି କିମିତି କୌଶଳ କରି ଏତେବଡ଼ ଅସାଧ୍ୟ ମଡ଼ାକୁ ପୋଡ଼ିପାରିଲା, ଏହିସବୁ ପୁରୁଣା କାହାଣୀଗୁଡ଼ାକ ବଡ଼ ଦକ୍ଷ ଭାବରେ ସେ ବର୍ଣ୍ଣନା କରିଯାଏ।
ଜଗୁ ତିଆଡ଼ିର ଅଭିଜ୍ଞତା ଓ ମୁର୍ଦ୍ଦାର ଦାହ ବିଦ୍ୟାର ଅଗାଧତା ଯେ କେତେ ବେଶି ତାହା ଯେକୌଣସି ଗ୍ରାହକ ତା’ ସହିତ ଘଡ଼ିଏ କଥାଭାଷା ହେଲେ ବେଶ୍ ବୁଝିପାରିବ।
ରୋଜ୍ ସଞ୍ଜବୁଡ଼େ ଜଗୁ ତିଆଡ଼ି ଭାଗବତ ଘରେ ବସି ନିଜ ଅନୁଭବ କଥାଗୁଡ଼ାକ ସମସ୍ତିଙ୍କି ଥରେ ଲେଖାଏଁ କହି ଶୁଣାଏ, ଝିପିଝିପି ମେଘୁଆ ପାଗରେ ଅନେକ ଶ୍ରୋତା ତାକୁ ଘେରି ବସନ୍ତି। ଚିଲମରୁ ଦମେ ଟାଣି ଜଗୁ ପହିଲୁ ଗୋଟାଏ ଗଳା ଖଙ୍କାର ମାରେ। ଶ୍ରୋତାମାନେ ବୁଝିପାରନ୍ତି ଯେ ଗପ ଆରମ୍ଭ ହେବ।
ଥରେ ଗୋଟାଏ ପୋଖତୀ ମଡ଼ା ଦାହ କରି ଫେରିଲାବେଳେ ମୁକ୍ତାଝରା ପାଖ ଦୋକାନିଆ ଆମ୍ବଗଛ ଡାହିରେ ବସି ଗୋଟାଏ ପିତାଶୁଣି କିମିତି ଏନ୍ତୁଡ଼ି ଜାଳି ତା’ ପିଲାକୁ ସେକୁଥିଲା- ତାହା ଏକ ନିପୁଣ ଚିତ୍ରକର ଭଳି ବର୍ଣ୍ଣନା କରିଯାଏ। ଶ୍ରୋତାମାନେ ଡରରେ ଟିକିଏ ଜାକିଜୁକି ହୋଇ କାନ୍ଥକୁ ଲାଗି ବସନ୍ତି।
ଏହିପରି ଭାବରେ ସେଇ ଛୋଟ ବ୍ରାହ୍ମଣ ଶାସନଟିରେ ଜଗୁ ତିଆଡ଼ିର ଜୀବନ କଟେ।
ଅଶିଣ ମାସ ରାତି। ସଞ୍ଜବେଳୁ କିମିତି ଟିକିଏ ମେଘୁଆ ହୋଇଛି। ଜଗୁ ତିଆଡ଼ିର ମୁଣ୍ଡଟା ଭାରି ବିନ୍ଧୁଥାଏ ନା କ’ଣ, ସେ ଦୁଇ କାନ ପାଖ କପାଳରେ ଟିପେ ଲେଖାଏଁ କଲିଚୁନ ବୋଳି ମୁଣ୍ଡରେ ମଫଲର ଗୁଡ଼ାଇ ଦାଣ୍ଡପଟ ଚାନ୍ଦନୀ ଉପରେ ବସି ହରିବଂଶ ଶୁଣୁଥିଲା। ଗାଆଁ ଭିତରେ କାନ୍ଦଣା ଶୁଣାଗଲା। ଆର ସାହି ଦୋକାନରୁ ପାନଗୁଆ, ଗୁଣ୍ଡି ଧରି କିଏ ଜଣେ ବାହୁଡ଼ୁଥିଲା। ସେ ଖବର ଦେଲା ଯେ ଜଟିଆ ମା’ ବୁଢ଼ୀର ବୋହୂଟି ମରିଯାଇଛି।
ଚାହୁଁ ଚାହୁଁ ଗାଆଁ ଗୋଟାକରେ ହୁରି ଶବ୍ଦ ପଡ଼ିଗଲା। ଜଗୁ ତିଆଡ଼ି ବି’ ପଇସା ରୋଜଗାର ହେବ ଭାବି ମନେ ମନେ ଖୁସିଟାଏ ହେଲା।
କେତେ ଲୋକ ଆସି କେତେ କଥା କହିଗଲେ। ସାହି ମାଇପେ ବାରକଥା ଫୁସ୍ଫାସ୍ ହେଲେ। କିଏ ସେ କହିଲା, ‘ପାପଗର୍ଭ ହୋଇଥିଲା’, ଅନ୍ୟ କିଏ କହିଲା, ‘ପେଟ ଭଙ୍ଗେଇବା ପାଇଁ କ’ଣ ଓଷଧି ମଉଷଧି ଖାଇଥିଲା-ବିଷ ଚହଟି ଯାଇ ଦିହ ଫଳିଗଲା।’ ଜଗୁ ତିଆଡ଼ି ଗୁମ୍ ହୋଇ ସବୁ ଶୁଣିଲା, ମୁହଁ ବଙ୍କେଇ ଦେଲା। ଜାତିରେ ଅଟକ ହେବା ଭୟରେ ସେ ଏଡ଼େ ବଡ଼ ରୋଜଗାରର ସବୁ ଆଶା ଛାଡ଼ିଦେଲା।
ଜଟିଆ ମା’ ବୁଢ଼ୀର ସଂସାରରେ କେହି ନାଇଁ – ଶାଶୂ ବୋହୂ ଦି’ଜଣ। ପୁଆଣୀ ହେବାର ମାସକ ପରେ ପୁଅ ଯାଇଥିଲା କଲିକତା-ଟଙ୍କା ରୋଜଗାର କରି ଦେଣା ଶୁଝିବ ବୋଲି। ତିନିବର୍ଷ ହେଲାଣି କିଛି ଖୋଜଖବର ନାଇଁ। ପ୍ରଥମେ ଚିଠି ଖଣ୍ଡେ ଖଣ୍ଡେ ଦଉଥିଲା। କିନ୍ତୁ ବର୍ଷେ ହେଲା ସେତକ ବି ବନ୍ଦ। ସେ ଗାଆଁର କେତେକ କଲିକତା ଫେରନ୍ତା ବ୍ରାହ୍ମଣ, ପୂଝାରୀ କହନ୍ତି ଯେ, ସେ କେଉଁଠି ଗୋଟାଏ ମାଇକିନିଆ ଧରି କଲିକତା ମାଟିଆବୁରୁଜରେ ରହିଚି।
ଘରେ ଥିଲା ଖାଲି ବୋହୂଟି। ଆଜି ସେ ତ ଗଲା, ସଙ୍ଗେ ସଙ୍ଗେ ବୁଢ଼ୀ ମୁଣ୍ଡରେ ଲଦିଦେଇ ଗଲା କାଳକାଳକୁ ଅପବାଦର ବୋଝ। ବୁଢ଼ୀ ବ୍ରାହ୍ମଣୀର ମୁଣ୍ଡରୁ ହାତ ଛାଡ଼ୁନାହିଁ।
ତା’ର ଅବସ୍ଥା ସେଦିନ ଗାଆଣି ଗାଇଲେ ସରି ନ ଥା’ନ୍ତା, କିନ୍ତୁ କେତେଜଣ ଗାଆଁର ମୁରବି ମଣିଷ ବାହାରି କଥାଟାକୁ ସମ୍ଭାଳି ନେଲେ। ବଡ଼ ବଡ଼ ମୁରବିମାନେ ବୋହୂକୁ ଆଗରୁ ଯାବତା କରି ନ ଥିବା ଯୋଗୁଁ ଜଟିଆ ମା’କୁ ଗୁଡ଼ାଏ ଗାଳିମନ୍ଦ ଦେଲେ ମଧ୍ୟ ଶେଷକୁ ଫଇସଲା କରିଦେଇ କହିଲେ, ଜଲଦି ଲାସ୍ ଖତମ୍ କରିଦେବାକୁ ହେବ। ନୋହିଲେ ଛାଟିଆ ଥାନାରେ ଖବର ଦେଲେ ଗୋଟା ଶାସନ ନାଆଁରେ କଳଙ୍କ ରଟିବ, ସମସ୍ତେ ତ ପୁଣି ଝିଅବୋହୂ ଧରି ଘର କରିଛନ୍ତି।
ଜଟିଆ ମା’ ବୁଢ଼ୀ ଦାନ୍ତରେ କୁଟା ଦେଇ ସମସ୍ତିଙ୍କି କୋଟି ପ୍ରଣାମ କଲା। ତାକୁ ଏ ଘୋର ବିପଦରୁ ରକ୍ଷା କରିଥିବା ଯୋଗୁଁ ସମସ୍ତଙ୍କ ପାଖରେ କେତେ କୃତଜ୍ଞତା ଜଣାଇଲା।
ମଡ଼ା କାନ୍ଧେଇବା ପାଇଁ ଗାଆଁର ତିନି-ଚାରି ଜଣ ଭେଣ୍ଡିଆ ଆଗଭର ହୋଇ ବାହାରି ପଡ଼ିଲେ। ପାଳ ଦଉଡ଼ି ବଳା ହେଲା, କୋକେଇ ସଜଡ଼ା ହେଲା, କୁଲା, ଖପରା, ଶିକା, ଛାଞ୍ଚୁଣୀ, କାଠବାଡ଼ି ସବୁ ଆସି ଥୁଆ ହେଲା। ମୁର୍ଦ୍ଦାରର ଦିହ ମୁଣ୍ଡରେ ଲୁଗା ଗୁଡ଼ାଇ ସମସ୍ତେ ତାକୁ ଟେକିଆଣି କୋକେଇରେ ବାନ୍ଧିଲେ; ମାତ୍ର ଜଣେ ପୁରୁଖା ମାଲଭାଇ ନ ହେଲେ ନ ଚଳେ। ଅଧଘଣ୍ଟାକ ଭିତରେ ଲାସ୍ ଖତମ ନ କଲେ ବିପଦର ଆଶଙ୍କା; ଥାନା ବାବୁ ଖବର ପାଇବେ ତ ଗାଆଁଯାକ ସମସ୍ତେ ବନ୍ଧା ହୋଇଯିବେ। ଗାଆଁରେ ତ ଖଚୁଆ ଲୋକର ଅଭାବ ନାଇଁ।
ମୁରବିମାନେ କହିଲେ-‘ତିଆଡ଼ିଙ୍କି ଡାକ।’ ତିଆଡ଼ି ନ ଗଲେ ଏଡ଼େ ବଡ଼ କାମ ସୁରୁଖୁରୁରେ ଛିଡ଼ିବ ନାଇଁ।
ଜଗୁ ତିଆଡ଼ି ପାଖକୁ ଡକରା ଗଲା; ମାତ୍ର ଜଗୁ ତିଆଡ଼ି ଅମଙ୍ଗ। ସେ ଏକ ଜିଦ୍ ଧରି ବସିଲା। କହିଲା- ‘ପାପଗର୍ଭ ହୋଇ ମରିଚି। ମୁଁ ସେଟାକୁ ଛୁଇଁବି ? ଅସତୀ ଦେଚାରୁଣୀଟାକୁ ମୁଁ କାନ୍ଧରେ ବସେଇବି?’ ସମସ୍ତେ ଫାଟିଫୁଟି ଗଲେ। ଜଗୁ ଅଚଳ, ଅଟଳ।
ଶେଷରେ ଗାଆଁର ବୁଢ଼ା ବୁଢ଼ା ମୁରବିମାନେ ବହୁତ କୁହାବୋଲା କରିବାରୁ ଜଗୁ ତିଆଡ଼ି ମୁର୍ଦ୍ଦାର କାନ୍ଧେଇବାକୁ ରାଜି ହେଲା। ମାତ୍ର ପାଞ୍ଚଟଙ୍କା ନ ପାଇଲେ ସେ ଏତେବଡ଼ ପାପକର୍ମ କରିପାରିବ ନାହିଁ ବୋଲି ସଫା ଜଣାଇ ଦେଲା। ଜଟିଆ ମା’ ବୁଢ଼ୀର ସରାଗାତ ଖୋଳା ହୋଇ ଯାହା ବାହାରିଲା ତାହା କାଠ, କିରାସିନି, ଧୋବା ଭଣ୍ଡାରିକୁ ନିଅଣ୍ଟ। ଶେଷରେ କଥା ଛିଣ୍ଡିଲା ବୋହୂ ନାକଟିରେ ଯେଉଁ ସୁନା ଗୁଣାଟି ଅଛି, ସେଇଟାକୁ ଜଗୁ ତିଆଡ଼ି ପାଇବ।
ଜଗୁ ତିଆଡ଼ି ଖୁସିହୋଇ ଡାକ ଛାଡ଼ିଲା- ‘ରାମନାମ ସତ୍ୟ ହେ।’
ବିରକ୍ତ ହୋଇ ଜଗୁ କହିଲା-‘ଥାଉ, ଥାଉ, ଅନ୍ୟକୁ ବିଚାର କରନାଇଁ। ମଣିଷ କ’ଣ ମଣିଷକୁ ଠିକ୍ ବୁଝିପାରେ?’
ମଶାଣି ପଦା- ସନ୍ତସନ୍ତିଆ, ଅସନା। ହାଣ୍ଡି, କାଠ, ମଣିଷମୁଣ୍ଡ, କୁଲା, ଆଟିକା ପୋଡ଼ାଅଙ୍ଗାର ଭିତରେ ଗଦା ଗଦା ପାଉଁଶ ! ଚାରିଆଡୁ ଭାସିଆସୁଛି ଗୋଟାଏ ବିକଟ ଆଇଁଷିଣିଆ ଗନ୍ଧ !
‘ପଥଶ୍ରାଦ୍ଧ’ ସଇଲା। ଜଗୁ ତିଆଡ଼ି ଗୋଟାଏ ମସ୍ତବଡ଼ ଚୁଲି ଖୋଳିଲା। ତା’ପରେ ମୁର୍ଦ୍ଦାରଟାକୁ ନେଇ କାଠଗଦା ଉପରେ ଚିତ୍କରି ଶୁଆଇଦେଇ ତା’ ମୁହଁରୁ ଲୁଗା କାଢ଼ିଦେଲା।
ସୁ’କା ଭରି ଓଜନର ସୁନା। ଲଣ୍ଠଣ ଆଲୁଅରେ ଜଗୁ ତିଆଡ଼ି ଦେଖିଲା ଗୁଣାଟା ମୁର୍ଦ୍ଦାରର ନାକ ଉପରେ ଚିକ୍ଚିକ୍ କରୁଚି।
ମେଘ କଟିଯାଇ ଆସ୍ତେ ଆସ୍ତେ ଜହ୍ନ ପଡ଼ିଚି, ମୁର୍ଦ୍ଦାରର ଶେତା ଧଳା ମୁହଁ ଉପରେ ଜହ୍ନ ଆଲୁଅର ଝାପ୍ସା ଛାଇ।
ସଙ୍ଗୀ ଭାଇମାନେ କହିଲେ, ‘ଜଲଦି କାମ ସାର। ପୁଲିସ୍ ଆସିବ ତ ସବୁ ଭଣ୍ଡୁର ହୋଇଯିବ।’
ଜଗୁ ଗୁଣାଟାକୁ ନାକରୁ ଛିଣ୍ଡାଇ ଆଣିବାକୁ ହାତ ବଢ଼ାଇଲା। ସେ ଦେଖିପାରିଲା ଛୋଟ ବୋହୂଟିର ଫିକା ମୁହଁଟି ଜହ୍ନ ଆଲୁଅରେ ଗୋଟିଏ ଦରମଉଳା କଇଁଫୁଲ ପରି ଦେଖାଯାଉଚି। ତା’ ମୁହଁ ଚାରିପଟେ ଘେରି ରହିଚି ଗୋଟାଏ କଳା କଳା କୁଞ୍ଚକୁଞ୍ଚିଆ ବାଳର ଜଙ୍ଗଲ। ଠିକ୍ ଯେମିତି ଆକାଶର ଚାନ୍ଦ ପଛଆଡ଼େ ଜମି ରହିଚି କଳାମେଘର ବହଳିଆ ଛାଇ।
ବୋହୂଟିର ମୁହଁ ଉପରେ ପହଁରି ପହଁରି ଖେଳୁଛି ମଉଳା ଫୁଲର ଲାବଣ୍ୟ। ତା’ର ଅଲରା ସଲରା ବାଳଗୁଡ଼ିକ ଉପରେ ଜହ୍ନ ଆଲୁଅ ନହଡ଼ି ଭାଙ୍ଗି ଭାଙ୍ଗି ଲୋଟିଯାଉଚି।
ଜଗୁ ହାତ ଫେରାଇ ଆଣିଲା। ତା’ପରେ ସେ ଅନାଇଲା ଆକାଶରେ ଫିକା ଜହ୍ନଟା ଆଡ଼କୁ।
ଜଗୁ ଇମିତି ଅନେକ ମୁର୍ଦ୍ଦାର ପୋଡ଼ିଚି; କିନ୍ତୁ କେବେ ହେଲେ ଦିନେ ସେ ମନ ଭିତରେ ଇମିତି ଝଡ଼ି ଅନୁଭବ କରିନାଇଁ। ଏହି ଛୋଟ ସୁନ୍ଦର ମୁହଁଟିକୁ ଅସୁନ୍ଦର କରି ସୁନାର ଗୁଣାଟାକୁ କାଢ଼ି ଆଣିବାକୁ ତା’ର ହାତ ଚଳିଲା ନାଇଁ। ବୋହୂଟିର ନାକଟି ଉପରେ ସେ ଗୁଣାଟା ତା’ଆଖିରେ ଭାରି ଚମତ୍କାର ଦେଖାଯାଉଥିଲା। ସେ ଏହି ନାରୀଟି ସମ୍ବନ୍ଧରେ କେତେ କ’ଣ ମନ ଭିତରେ ଭାବିଯାଉଥିଲା।
ଏହି ସମୟରେ ଜଗୁର ମନେପଡ଼ିଲା, ଆଉ କିଛି ଦିନ ଯାଇଥିଲେ ବୋହୂଟି ହୁଏତ ହୋଇଥାନ୍ତା ଗୋଟିଏ ମାଆ। ଆଉ ହୁଏତ କେତେ କ’ଣ ସେ ହୋଇପାରିଥାଆନ୍ତା, କିନ୍ତୁ କିଛି ସେ ହୋଇପାରିଲା ନାହିଁ। କାହାର ଦୋଷ? ଛପିଛପିକା ଜହ୍ନ ଆଲୁଅର ଅସରନ୍ତି ସମୁଦ୍ର ମଝିରେ ନିଶୂନ ମଶାଣିପଦାର ଲଙ୍ଗଳା ବୁକୁ ପରେ ଶୋଇଥିଲା ଗୋଟିଏ ଦରଫୁଟିଲା ନାରୀ, ଏକୁଟିଆ!!
ବାସ୍ତବିକ ବଡ଼ ଏକୁଟିଆ ସେ। ମଡ଼ାବୁହା ଗାଉଁଲି ମନ ନିଜ ଭାଷାରେ ଭାବୁଥିଲା- ବାସ୍ତବିକ ଭାରି ଏକୁଟିଆ ସେ, ଖାଲି ଆଜି ନୁହେଁ, ଜୀବନସାରା ଧରି ସେ ଇମିତି ଏକାକିନୀ। ଏଇ ନିଛାଟିଆ ଦିହଘଷିଆ, ଏକଘରକିଆ ଜୀବନକୁ ବଦଳାଇ ଟିକିଏ ଅନ୍ୟ ପ୍ରକାର କରି ବଞ୍ଚିବାର ସ୍ବାଦ ଅନୁଭବ କରିବାକୁ ଯାଇ ସେ ଆଜି ହୁଏତ ହୋଇଛି ମଶାଣିର ମଡ଼ା! ବୋହୂଟିର ପାଉଁଶିଆ ମୁହଁ ଭିତରେ ସେ ଦେଖିପାରିଲା ଅନେକ ଦିନର ବଞ୍ଚିବାର କ୍ଷୁଧା।
ଜଗୁକୁ ଡେରି କରୁଥିବା ଦେଖି ସଙ୍ଗୀ ମାଲଭାଇମାନେ ବିରକ୍ତ ହେଲେ। ଧମକ ଦେଇ କହିଲେ, ‘ତୁ ଇମିତି ଡେରି କଲେ ଆମେ ମୁର୍ଦ୍ଦାର ଫୁର୍ଦ୍ଦାର ଛାଡ଼ି ପଳାଇଯିବୁ। ପୁଲିସ୍ ଆସିବ ତ କିଏ ଦାୟୀ ହେବ? ନେ – ତୋ ଗୁଣାଟା ବାହାର କରି ନେ, ନୋହିଲେ ଆମେ ନିଆଁ ଲଗାଇ ଦେବୁ। ଗୁଣାଟା ନେବୁ ବୋଲି ତ ମରିଯାଉଥିଲୁ, ଇଲାଗେ ଇମିତି ହାତ ଚଳୁନାଇଁ କିଆଁ?’
ଜଗୁ ତିଆଡ଼ିର ସ୍ବପ୍ନ ଭାଙ୍ଗିଗଲା। ସେ ବଡ଼ ଲଜ୍ଜିତ ବୋଧକଲା। ତଥାପି ଭିତର ଦୁର୍ବଳତାକୁ ଚାପି ରଖିବା ପାଇଁ ସେ ବାହାରେ ପ୍ରକାଶ କଲା –
‘ଛି! ଛି! ଏ ମୁର୍ଦ୍ଦାର ଗୁଣାଟାକୁ ମୁଁ ଘରେ ଭର୍ତ୍ତି କରିବି? ସେ ଯେ ପାପଗର୍ଭ… ।’
ସଙ୍ଗୀମାନେ ପଚାରିଲେ, ‘ତୁ ତେବେ ନବୁ ନାହିଁ ? ଆମେ ନିଆଁ ଲଗାଉଛୁଁ?’
ଜଗୁ ତିଆଡ଼ି ଅନ୍ୟମନସ୍କ ଭାବରେ ଜବାବ ଦେଲା- ‘ହଁ ହଁ, ନିଆଁ ଲଗାଇ ଦିଅ। ଭଲକରି ନିଆଁ ଲଗାଅ। ସବୁ ଯିମିତି ଜଳିପୋଡ଼ି ପାଉଁଶ ହୋଇଯିବ।’
ହୁତୁହୁତୁ ହୋଇ ନିଆଁ ଜଳିଉଠିଲା। ନିଆଁର ଲକ୍ ଲକ୍ ଜିଭ ନିମିଷକେ ସବୁ ଚାଟି ନେବା ପାଇଁ ବସିଥିଲା। ବୋହୂଟିର ଗୋରା ମାଉଁସିଆ ଦିହଟା ନିଆଁରେ ସିଝି କଳାକାଠ ପଡ଼ିଗଲା, ତା’ପରେ ଫୋଟକା ହୋଇ ସେଥିରୁ ପରସ୍ତକୁ ପରସ୍ତ ଚୋପା ଛାଡ଼ିଗଲା।
ଜଗୁ ତିଆଡ଼ି ନିସ୍ତବ୍ଧ ହୋଇ ସେଇ ପୋଡ଼ିଯାଇଥିବା ଦିହଟା ଆଡ଼କୁ ଚାହିଁଥିଲା।
ଦୂର କୋଚିଲାବୁଦା ଉପରେ ପେଚା, ଶାଗୁଣା ଆଉ ଭୂଇଁ କୁକୁଡ଼ାମାନଙ୍କର ହାଟ ବସିଥିଲା। ଅନେକ ଦୂରରୁ ଧାନବିଲ ଆରପାରିରୁ ଏଇ ସମୟରେ ଭାସିଆସିଲା ଗୋଟିଏ ଅଣ୍ଡିରା ବିଲୁଆର କାନଫଟା ଭୋକିଲା ରଡ଼ି।
ଅସନା-ଅନ୍ଧାର-ହାଡ଼, ପାଉଁଶ, ଅଙ୍ଗାର। ଜୁଇ ଭିତରୁ କିମିତି ଗୋଟାଏ ପଚା ପୋଡ଼ା ଗନ୍ଧ ପବନରେ ଭାସିଆସି ଚାରିଆଡ଼େ ବିଞ୍ଚି ହୋଇଗଲା।
ସଙ୍ଗୀ ଭାଇମାନେ ଜଗୁକୁ ଉଦ୍ଦେଶ୍ୟ କରି କହିଲେ- ‘ତୁ ସେଇ ଦୋଚାରୁଣୀଟାର ଅଳଙ୍କାରଗୁଡ଼ାକ ତୋର ପିଲାଛୁଆ ଘରେ ଭର୍ତ୍ତି ନ କରି ଭାରି ଭଲ କରିଚୁ ଭାଇ! ବଡ଼ ଅମଙ୍ଗଳ ହୋଇଥା’ନ୍ତା ତୋର। ଦେଖୁନୁ କେମିତି କଲବଲ ହୋଇ ମଲା? ନିଜ ପେଟର ପିଲାଟାକୁ ଯେ ମାରିବାକୁ ଯାଉଥିଲା, ନିଜେ ସେ ମରନ୍ତା ନାଇଁ? ଧର୍ମ କ’ଣ ନାଇଁ?’
ସେଇ ଜଳନ୍ତା ପାଉଁଶ ଭିତରେ ଆଖି ବୁଲାଉ ବୁଲାଉ ବିରକ୍ତ ହୋଇ ଜଗୁ କହିଲା-‘ଥାଉ, ଥାଉ, ଅନ୍ୟକୁ ବିଚାର କରନାଇଁ। ମଣିଷ କ’ଣ ମଣିଷକୁ ଠିକ୍ ବୁଝିପାରେ?’