ଜଲି ଏବଂ ଡୋରା ଆବାଲ୍ୟ ପରମ ସାଥୀ, କ୍ଷଣେ ଏକ ଅପରକୁ ଛାଡ଼ି ରହିବାକୁ ସହଜରେ ରାଜିହୁଅନ୍ତି ନାହିଁ। ଜଲି ଥରେ ଅସୁସ୍ଥ ହେଲା, ଡୋରା ତାକୁ ଅହର୍ନିଶ ଜଗି ବସିଥାଏ। ସକଳ ତାଡ଼ନା ତା’ ନିକଟରେ ବ୍ୟର୍ଥ। ଅବଶେଷରେ ସେହିଠାରେ ତା’ର ପାନାହାର ଯୋଗାଇବା ଲାଗି ହୁକୁମ ହେଲା। ଡୋରାର ପାଦ ଥରେ ଜଖମ ହେଲା। ଜଲି ଭଲକରି ଜାଣେ ଡୋରାର ବଳ ଅପରିସୀମ; କିନ୍ତୁ ବୁଝି ପାରିଲା ନାହିଁ କାହିଁକି ତାକୁ ଏତେ ଦିନ ଏକ ସ୍ଥାନରେ ବନ୍ଦୀ ହୋଇ ରହିବାକୁ ହୋଇଛି। ତା’ର ପାଦ ମୁଖରେ ସ୍ପର୍ଶ କରି ତା’ର ବ୍ୟର୍ଥ କେଉଁଠାରେ ଜାଣିବା ସଚେଷ୍ଟ ହେଲା।
ଡୋରା ଗୋଟିଏ ଇଂଲିଶ୍ ଗ୍ରେ-ହାଉଣ୍ଡ ଏବଂ ଜଲି ଗୋଟାଏ ଗଡ଼ଜାତ ଜଙ୍ଗଲର କୃଷ୍ଣସାର। ଡୋରା ଆସିଛି ବିଖ୍ୟାତ ଲଣ୍ଡନ ନଗରୀରୁ, ଜଲିର ଜନ୍ମସ୍ଥାନ ଓଡ଼ିଶାର ନିଭୃତ ଅରଣ୍ୟାନୀ; ଡୋରା ସମ୍ପୂର୍ଣ୍ଣ ମାଂସାଶୀ, ଜଲି ନିରାଟ ଶାକାହାରୀ, କିନ୍ତୁ ଅତି ଛୋଟଦିନୁ ଦୁହିଁଙ୍କ ମଧ୍ୟରେ ସଦ୍ଭାବ ଜନ୍ମି ଯାଇଥିଲା।
ଡୋରାର ଅସୁସ୍ଥତା ନିବାରଣ ପାଇଁ ଜଲି ତାହାର ସର୍ବାଙ୍ଗ ଲେହନ କରି ଶୁଶ୍ରୂଷାରେ ଲାଗିଲା। ଅବଶେଷରେ ଡୋରା ଟିକିଏ ସୁସ୍ଥହୋଇ ପ୍ରଥମେ ଆସ୍ତେ ଆସ୍ତେ ଚାଲିବାକୁ ଆରମ୍ଭ କଲା। ତା’ପରେ ଯେତେବେଳେ ବସନ୍ତ ପୁଣି ଲେଉଟିଲା ଫୁଲର ଗନ୍ଧ ଚହଟିଲା, ଦୁଇବନ୍ଧୁ ଦକ୍ଷିଣାଭିମୁଖରେ ଇତସ୍ତତଃ ଧାଇଁ କ୍ରୀଡ଼ା କୌତୁକରେ ମଗ୍ନ ହେଲେ, ଯେପରି ଏହି ଆନନ୍ଦ ସ୍ରୋତ ଯେଉଁ ଦିଗରୁ ଭାସିଆସୁଛି, ସେହି ରହସ୍ୟମୟ ଦେଶଟାକୁ ଦୁହେଁ ମିଳି ଏକା ମୁହୂର୍ତ୍ତରେ ଆବିଷ୍କାର କରିନେବ। ଦୁହିଁଙ୍କ ଦୌଡ଼ିବାର ଭଙ୍ଗୀରେ ବିଶେଷ ପାର୍ଥକ୍ୟ ଓ ସୌନ୍ଦର୍ଯ୍ୟକଳା ନିହିତ ଅଛି। ଡୋରା ଯେତେବେଳେ ଦୌଡ଼େ, ସେତେବେଳେ ଗୋଟିଏ ଲମ୍ବମାନ କ୍ଷୀଣସୂତ୍ର ଭୂମିରେ ମିଶିଗଲା ପରି ମନେହୁଏ। ସେତେବେଳେ ତା’ର ଚକ୍ଷୁ, କର୍ଣ୍ଣ, ପାଦ, ମୁଖ ଇତ୍ୟାଦି ଚିହ୍ନିବାର ଉପାୟ ନାହିଁ। କିନ୍ତୁ ଜଲିର ଦୌଡ଼ର ଭଙ୍ଗିମା ଭିନ୍ନ ଧରଣର। ସେ ଯେପରି ପ୍ୟାରିସ୍ ଡାନ୍ସ! ଗୋଡ଼ ଯେପରି ତା’ର ତଳେ ଲାଗୁନାହିଁ-କେବଳ ଶୂନ୍ୟେ ଶୂନ୍ୟେ ନାଚିନାଚି ଯାଉଛି।
ଦିଓଟି ପଶୁ ଜମିଦାରବାବୁଙ୍କର ବଡ଼ ପ୍ରିୟବସ୍ତୁ ଥିଲେ। ଡୋରା ତ ବିଲାତ ଆମଦାନୀ ବୋଲି ତା’ର ଇଂରାଜୀ ନାମ ରଖାଯାଇଥିଲା, ଜଲିକୁ ତା’ର ଅନ୍ୟନ୍ତ ପ୍ରିୟ ଦେଖି ତାକୁ ମଧ୍ୟ ସେହି ଭାଷାରେ ଅନ୍ୟ ଗୋଟିଏ ନାମରେ ଅଭିହିତ କରାଯାଇଥିଲା। କର୍ମକ୍ଳାନ୍ତ ଦିବସ ପରେ ଜମିଦାରବାବୁ ଯେତେବେଳେ କଚେରି ସମ୍ମୁଖସ୍ଥ ପ୍ରକାଣ୍ଡ ପଡ଼ିଆରେ ସାୟଂଭ୍ରମଣ ଉଦ୍ଦେଶ୍ୟରେ ବାହାରନ୍ତି, ସେତେବେଳେ ଏ ଦିଓଟି ପଶୁ ତାଙ୍କର ସହଚର ହୋଇ ଚାଲିବାରେ ଏବଂ ତାଙ୍କ ସମ୍ମୁଖରେ କ୍ରୀଡ଼ା କୌତୁକ କରିବାରେ ତାଙ୍କ ଶ୍ରାନ୍ତ ଅନ୍ତରରେ ଯେ ଆନନ୍ଦ ସଞ୍ଚାର କରନ୍ତି, ତାହାର ମୂଲ୍ୟ ସାମାନ୍ୟ ନୁହେଁ। ତାହା ନ ହେଲେ ଶିକାର ସ୍ଥଳୀରେ ଡୋରାର କିଛି ଆବଶ୍ୟକତା ଆଛି, ଜଲି ତ ସମ୍ପୂର୍ଣ୍ଣ ଅନାବଶ୍ୟକ। ତଥାପି ଜମିଦାର ବାବୁଙ୍କର କର୍ମପ୍ରବାହ ମଧ୍ୟରେ ଜଲିର ଟିକିଏ ସ୍ଥାନ ଅଛି। ସେହି ଆନନ୍ଦଟିକର କାରଣ ସେ।
ଜମିଦାରବାବୁ ଗସ୍ତରେ ଯେତେବେଳେ ବାହାରନ୍ତି, ଜଲି ତାଙ୍କ ହାତ ଚାଟିଚାଟି ଗୋଡ଼ରେ ଘଷି ହୋଇ ଚାଲେ। ଡୋରା କେତେବେଳେ ପଛରେ ରହିଗଲେ ଛୁଟିଆସି, ତାଙ୍କ ସମ୍ମୁଖରେ ନମସ୍କାର ଛଳରେ ପାଦ ଯୋଡ଼ି ହୋଇ ବସିପଡ଼ି ଲାଙ୍ଗୁଳ ହଲାଏ, କେତେବେଳେ ତାଙ୍କ ଦୁଇ ପାଦ ମଧ୍ୟରେ ପ୍ରବେଶ କରି ଗତି ଶିଥିଳ କରିଦିଏ। ଅନ୍ୟ କୌଣସି କୁକୁର ଯେବେ ଆସି ଜଲି ଉପରେ ଲୋଲୁପ ଦୃଷ୍ଟି ପକାଏ, ଜଲି ତ୍ରସ୍ତକାତର ହୋଇ ବାବୁଙ୍କ ଦୁଇ ପାଦ ମଧ୍ୟରେ ଠେଲି ହୋଇ ପ୍ରବେଶ କରେ। ଡୋରା ଜାଣିପାରି ସଙ୍ଗେ ସଙ୍ଗେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଦେଖାଦେବା ମାତ୍ରକେ ତା’ର ସ୍ବଜାତିମାନେ ପୃଷ୍ଠ ପ୍ରଦର୍ଶନ କରି ବିନୀତ ଭାବରେ ଅପସାରିତ ହୁଅନ୍ତି। କାରଣ ଡୋରାର ବଳବୀର୍ଯ୍ୟ ତା’ର ପଡ଼ୋଶୀମାନଙ୍କୁ ଅଜ୍ଞାତ ନ ଥିଲା। ଆଉ ମଧ୍ୟ ଡୋରାର ପଦମର୍ଯ୍ୟାଦା ଜ୍ଞାନ ସାଧାରଣ କୁକୁରଠାରୁ ଯଥେଷ୍ଟ ପରିମାଣରେ ଅଧିକ। କେହି ପୃଷ୍ଠଭଙ୍ଗ ଦେଲେ ତା’ର ଅନୁସରଣ କରି ନିଜର ହୀନତା ସେ ପ୍ରଦର୍ଶନ କରୁ ନଥିଲା।
ଜମିଦାରବାବୁଙ୍କର ଶିକ୍ଷା ରାୟପୁରଠାରେ ହିଁ ସମାପ୍ତ ହୋଇଅଛି। ବେଶ୍ ଆଧୁନିକ ଧରଣର ଲୋକ, ମିଷ୍ଟାଳାପ, ଶିଷ୍ଟାଚାର ଇତ୍ୟାଦି ଗୁଣର ଅଭାବ ନଥିଲା। ଦେଶୀ ଲୋକଙ୍କ ପାଖରେ କୁର୍ତ୍ତାଚାଦରପକା ଖାଣ୍ଟି ଦେଶୀ ଓ ବିଲାତୀଙ୍କ ପାଖରେ ପୁରା ସାହେବ। ଅବସର ସମୟରେ ବଡ଼ବଡ଼ ସାହେବ ସବୁ ଶିକାର ଉଦ୍ଦେଶ୍ୟରେ ଜମିଦାର ଭବନରେ ଆତିଥ୍ୟ ଗ୍ରହଣ କରିଥାଆନ୍ତି। ସେମାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ବେଶ୍ ଆୟୋଜନରେ ଅତିଥିଶାଳା ନିର୍ମାଣ କରାଯାଇଛି। କେବଳ ଜଲି ଓ ଡୋରା ତାଙ୍କର ପୋଷା ନଥିଲେ, ଏ ବାଦ୍ କେତେ ଜାତିର ପକ୍ଷୀ, ମର୍କଟ, ଭଲ୍ଲୁକ, ମତ୍ସ୍ୟ ଇତ୍ୟାଦି ଜୀବ, ଜମିଦାରବାବୁଙ୍କ ଅନ୍ନରେ ପ୍ରତିପୋଷିତ ହେଉଥିଲେ। କହିବାକୁ ଗଲେ ଜମିଦାର-ଭବନରେ ଗୋଟିଏ ଛୋଟ ଧରଣର ଚିଡ଼ିଆଖାନା ଥିଲା।
କିନ୍ତୁ ଡୋରା ଓ ଜଲି ତାଙ୍କର ପାର୍ଶ୍ବଚର। ବିଶେଷତଃ ତାଙ୍କର ଅତି ସେହ୍ନର ଏକମାତ୍ର କନ୍ୟାଟି ଜଲି ଓ ଡୋରାର ଅନ୍ୟତମ ସଙ୍ଗୀଥିଲା। ତା’ର ଅଧିକାଂଶ ସମୟ ସେ ଏ ଦୁହିଁଙ୍କୁ ନେଇ କଟାଇଥାଏ। ବଗିଚାରେ ଧାଈର ତତ୍ତାବଧାନରେ ସେ ଯେତେବେଳେ କଅଁଳ ଘାସ ଛିଣ୍ଡାଏ, ଜଲି ଜାଣିପାରି ତା’ ମୁହଁ ପାଖରେ ନିଜ ମୁହଁଟି ନେଇ ରଖେ। ଡୋରା ଦୌଡ଼ିଆସି ତା’ର ଏହି ଛୋଟ ଖାମିଦାଣୀ ପାଖରେ କେତେ ଗେଲ ଓ କୌତୁକର ଅଭିନୟ କରେ। ଖାମିଦାଣୀ ‘ତୁ କାଇବୁ, ତୁ କାଇବୁ’ କହି ତା’ ମୁହଁରେ ଘାସ ଗୁଞ୍ଜି ଦିଅନ୍ତି। ସେ ଅମାନ୍ୟ ନକରି ମୁଖରେ ତାହା ଧରି ସ୍ବୀୟ ବାଧ୍ୟତା ଜ୍ଞାପନ କରେ। ବାରନ୍ଦା ଇଜିଚେୟାରରେ ବସି ଏସବୁ ନିରୀକ୍ଷଣ କରି ବାବୁଙ୍କ ଚିତ୍ତ ଉତ୍ଫୁଲ୍ଲ ହୋଇଉଠେ।
ଜମିଦାର ବାବୁ ସାହେବମାନଙ୍କ ସହିତ ଯେତେ ମିଳାମିଶା କରନ୍ତୁ, ଦେଶୀ ଲୋକମାନଙ୍କ ପ୍ରତି ଯେ ତାଙ୍କର ଅବଜ୍ଞା ଅଥବା ଘୃଣା ଥିଲା, ଏହା ବୋଲାଯାଇ ନ ପାରେ। ଦେଶର କୌଣସି ପଦସ୍ଥ ବ୍ୟକ୍ତି ତାଙ୍କର ଦ୍ବାରସ୍ଥ ହେଲେ, ତାଙ୍କର ସମ୍ମାନ ଓ ଅଭ୍ୟର୍ଥନାରେ କୌଣସି ତ୍ରୁଟି ହେଉ ନଥିଲା। ପ୍ରଜାମାନଙ୍କ ମଧ୍ୟରେ ମଧ୍ୟ ଶିକ୍ଷିତ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ପ୍ରତି ଯଥାଯୋଗ୍ୟ ସମ୍ମାନ ଦେଖାଯାଉଥିଲା। ତଥାପି ଲୋକମତ ତାଙ୍କ ରୀତିଗତିର ଅନୁକୂଳରେ ନଥିଲା। ବୁଢ଼ାବୁଢ଼ା ଲୋକ ତାଙ୍କୁ ଭ୍ରଷ୍ଟ, ବିଧର୍ମାଚାରୀ କହୁଥିଲେ। ଆଉ କେହିକେହି ବହୁ ବ୍ୟବସାୟୀ, ପ୍ରଜାପୀଡ଼କ କହୁଥିଲେ। ଦେଶଚକ୍ଷୁରେ ତାଙ୍କ ପ୍ରଧାନ ଦୋଷ, ସେ ବିଦେଶୀମାନଙ୍କ ସହିତ ମିଶିଲେ ଏବଂ ସେହିମାନଙ୍କର ଆଚାର ଗ୍ରହଣ କଲେ। ଯଥାର୍ଥରେ ଆହାର ପରିଚ୍ଛଦରେ ବିଜାତୀୟ ଭାବ ଅନେକ ପରିମାଣରେ ଲକ୍ଷିତ ହେଉଥିଲା। ସେ ସବୁରେ ଯେତିକି ସଂଯମ ଆବଶ୍ୟକ, ସେ ତା’ର ସମ୍ପୂର୍ଣ୍ଣ ଅବହେଳା କରୁଥିଲେ।
ଏଥର ଶୀତ ଛୁଟିରେ ପୋଲିସ ବିଭାଗର ଡି.ଆଇ.ଜି. ସାହେବ ଶିକାର ଉଦ୍ଦେଶ୍ୟରେ ଜମିଦାର-ଭବନରେ ଆତିଥ୍ୟ ଗ୍ରହଣ କରିବେ ବୋଲି ଲେଖି ପଠାଇଛନ୍ତି। ତାଙ୍କ ସହିତ ତାଙ୍କର ସ୍ତ୍ରୀ, ପୁତ୍ର ଓ କନ୍ୟା ଆସିବେ। ଡି.ଆଇ.ଜି. ସାହେବଙ୍କ ସହିତ ଜମିଦାର ବାବୁଙ୍କର ବନ୍ଧୁତା ବହୁଦିନର। ଏଥର ପୁଣି ସାଙ୍ଗରେ ସ୍ତ୍ରୀ କନ୍ୟା ଆସୁଛନ୍ତି। ଚାରିଦିନ ଆଗରୁ ଅତିଥିଶାଳା ପରିଷ୍କୃତ ହୋଇ ସଜାସଜି ଲାଗିଛି ଏବଂ ଯେଉଁ ସ୍ଥାନରେ ହରିଣ ଓ ପକ୍ଷୀ ପ୍ରଭୃତି ଶିକାର କରିବାର କଥା, ସେ ସ୍ଥଳରେ ତମ୍ବୁ ପ୍ରଭୃତିର ଆୟୋଜନ ଚାଲିଛି। ଆବଶ୍ୟକ ଜିନିଷ କିଣିବା ଲାଗି କଟକକୁ ଲୋକ ପଠାଯାଉଛି। ଚାକର, ବେଠିଆ ଓ ଅମଲା ପ୍ରଭୃତି ବ୍ୟତିବ୍ୟସ୍ତ ହୋଇ ଲାଗିପଡ଼ିଛନ୍ତି। ସବୁଥର ପରି ଏଥର କାହାରିକୁ ମରିବାକୁ ତର ନାହିଁ। ସବୁଥର ପରି ଏଥର ମଧ୍ୟ ଜମିଦାର ବାବୁଙ୍କ ପଶ୍ଚାତ୍ରେ ଗାଳିବର୍ଷଣ କରୁଛନ୍ତି।
ସାହେବଙ୍କ ଆସିବା ସମୟକୁ ତାଙ୍କୁ ବାଟରୁ ଆଣିବାଲାଗି ଜମିଦାରବାବୁ ଖଣ୍ଡେ ଦୂର ମଟରରେ ଗଲେ। ନିର୍ଦ୍ଦିଷ୍ଟ ସମୟରେ ସାହେବ ପହଞ୍ଚିଗଲେ। ତାଙ୍କର ସ୍ତ୍ରୀ, କନ୍ୟାମାନଙ୍କ ସହିତ ଯୋଗଦେଇ ଜମିଦାରବାବୁଙ୍କ ମନପ୍ରାଣ ଆପ୍ଳୁତ ହୋଇଉଠିଲା। ଜମିଦାର-ଭବନରେ ମହା ଚାଞ୍ଚଲ୍ୟ। କାହାରି ଦଣ୍ଡେ ସ୍ଥିର ହୋଇ ରହିବାର ସମୟ ନାହିଁ। ସମସ୍ତେ ଦୌଡ଼-ଧାପଡ଼ କରୁଛନ୍ତି। ଅତିଥିମାନଙ୍କ ସହିତ ଠିକ୍ କରାଗଲା, ଆଜି ଅତିଥିଶାଳାରେ ରହି ପରଦିନ ପ୍ରାତଃଭୋଜନ ପରେ ଶିକାରସ୍ଥଳୀକୁ ଯାତ୍ରା କରିବାକୁ ପଡ଼ିବ।
ଶିକାରସ୍ଥଳୀ ଜମିଦାର-ଭବନରୁ ବାର ଚୌଦ ମାଇଲ ରାସ୍ତା, ନିପଟ ଜଙ୍ଗଲ ମଧ୍ୟରେ, ଘର ଗାଁ’ ପାଖରେ ନାହିଁ। ଚାକର, ଖାନ୍ସମା, ବେଠିଆ ପ୍ରଭୃତି ଘରୁ ସବୁ ଜିନିଷ ପତ୍ର ନେଇ ଚାଲିଲେ। ପଛରେ ସାହେବ ପରିବାର, ଜମିଦାର ବାବୁ, ସାହେବଙ୍କର ଦୁଇଟା ଶିକାରୀ କୁକୁର ଏବଂ ଜମିଦାର ବାବୁଙ୍କର ଡ଼ୋରା ଓ ଜଲି ମଟର ଆରୋହଣ କରି ଚାଲିଲେ। ଜଲିର ଯିବା ଅନାବଶ୍ୟକ ହେଲେହେଁ ଡୋରା ତାକୁ ଛାଡ଼ି କୌଣସି ସ୍ଥାନରେ ରହବି ନାହିଁ। ଯେଉଁ ଦେଶକୁ ନିଆଯାଉ, ସୁଯୋଗ ପାଇଲେ ଆସି ତା’ ନିକଟରେ ହାଜର ହେବ। ସୁତରାଂ ଜଲିକୁ ମଧ୍ୟ ସାଙ୍ଗରେ ନେବାକୁ ହେଲା। ସେଥିପାଇଁ ଅବଶ୍ୟ ଛୋଟ ଖାମିଦାଣୀଙ୍କର ଅନୁମତି ନିଆଯାଇଅଛି। ତାଙ୍କର ହୁକୁମ ହୋଇଛି, ଦୁଇ ଦିନରୁ ଅଧିକ କାଳ ଡୋରା ଓ ଜଲିକୁ ଯେପରି ଅଟକା ନ ଯାଏ।
କିନ୍ତୁ ‘ମେରି କ୍ରିଷ୍ଟମସ୍’ର ଆନନ୍ଦ ଉତ୍ସାହର ଶିକାରସ୍ଥଳୀରେ ରହିବାର ଆଜି ପାଞ୍ଚଦିନ ହୋଇଗଲା। ସେହ ଜଙ୍ଗଲ ଜାଗାଟାରେ ସାହେବଙ୍କର ମନୋମତ ସବୁ ଜିନିଷ ଏପରି ଭାବରେ ଯୋଗାଯାଉଛି ଯେ, ତାଙ୍କର ଅସୁବିଧା ହେବା ଦୂରେ ଥାଉ, ସହରର କୋଳାହଳକ୍ଳାନ୍ତ ଜୀବନରେ ଏହି ନିର୍ଜନ ବନବାସ ଦ୍ବାରା ସେମାନଙ୍କର ଭାରି ଆନନ୍ଦ ଜନ୍ମିଛି। ସୁତରାଂ ଦୁଇଦିନ ପାଇଁ ଆସି ଆଜି ପାଞ୍ଚଦିନ ହୋଇଗଲା, ସାହେବଙ୍କର ଫେରିବା ପାଇଁ କୌଣସି ଉଦ୍ବେଗ ନାହିଁ। ଆଜି କିନ୍ତୁ ସବୁ ଜିନିଷପତ୍ର ନିଃଶେଷ ହୋଇ ଆସିଅଛି। କାଲି ପ୍ରାତଃରୁ ଫେରିବା କଥା।
ମଧ୍ୟାହ୍ନଭୋଜନ କରି ସାହେବଙ୍କ ସହ ଜମିଦାରବାବୁ ଶିକାର ଉଦ୍ଦେଶ୍ୟରେ ବାହାରିଲେ। ଗତ ଚାରିଦିନ ସାହେବଙ୍କର ସ୍ତ୍ରୀ, କନ୍ୟାମାନେ ଖେଳକୌତୁଳ, ନୃତ୍ୟଗୀତ ଆକଶ୍ଠ ଉପଭୋଗ କରି ଯାଇଛନ୍ତି। ଆଜି ଆଉ ସେମାନେ ଶିକାରର ସହଯାତ୍ରୀ ହୋଇପାରିଲେ ନାହିଁ। ନିରୀହ ଚାକର ବେଠିଆଗୁଡ଼ିକ ଗୋଟିଏ ବିରାଡ଼ିପିଲା ନ ମାରି ମଧ୍ୟ କେବଳ ଟିକିଏ ଶିକାରରେ ସାହାଯ୍ୟ କରିବାରେ ଧକେଇ ପଡ଼ିଛନ୍ତି। ତଥାପି ସେମାନଙ୍କ ମଧ୍ୟରୁ ଦୁଇ ତିନି ଜଣଙ୍କୁ ଯିବାକୁ ହେଲା। ପକ୍ଷୀ ମାରିବାରେ ଥରେ ଲକ୍ଷ୍ୟଭ୍ରଷ୍ଟ ହେବାରୁ ଆଉ ମାରିବା ଅସମ୍ଭବ ହୋଇପଡ଼ିଲା। ପକ୍ଷୀମାନଙ୍କୁ ପୁନଶ୍ଚ ଆସିବାକୁ ଅବସର ଦେବା ଉଦ୍ଦେଶ୍ୟରେ ଏବଂ ସେ ସମୟଟା ହରିଣ ପ୍ରଭୃତି ଅନୁସନ୍ଧାନ କରିବା ଲାଗି ଶିକାରୀଦ୍ବୟ ନିକଟବର୍ତ୍ତୀ ଜଙ୍ଗଲ ମଧ୍ୟକୁ ବାହାରିଲେ।
ନାନା ଦିଗରେ ଭ୍ରମି କୌଣସିଠାରେ କିଛି ସନ୍ଧାନ କରିପାରିଲେ ନାହିଁ। ଚାକର ତିନିଟାଙ୍କୁ ହରିଣ ଦେଖିବାକୁ ଜଙ୍ଗଲକୁ ପଠାଗଲା। ସେମାନେ କେଉଁଠାରେ ବସି ପିଙ୍କା ଟାଣିଲେ କି ଗୁଣ୍ଡିପତ୍ର ମକଚି ଖୁସି-ଗପ କଲେ, ତାହା ଦେଖିବାର ତ ଉପାୟ ନାହିଁ। ଶିକାରୀ ଦୁଇଜଣ ନିଃଶବ୍ଦ ପଦକ୍ଷେପରେ ଏ ଜଙ୍ଗଲ, ସେ ଜଙ୍ଗଲ ଖୋଜିବାକୁ ଲାଗିଲେ। ତୁମ୍ବୁ ନିକଟରୁ ତିନି ଚାରି ମାଇଲ ଦୂରରେ ଯାଇ ପଡ଼ିଛନ୍ତି ବୋଲି କାହାରି ଭ୍ରୂକ୍ଷେପ ନାହିଁ।