ଆଉ ଗୋଟିଏ କଥା। ମୋର କି ଯୋଗ୍ୟତା ଅଛି ଯେ, ମୁଁ ତୁମର ଷୋଳଣା ସ୍ନେହ ପାଇବି। ମୋତେ ସମୁଦ୍ରରୁ ବିନ୍ଦୁଏ ଯଥେଷ୍ଟ। ତୁମ୍ଭେ ସତୀ, ଲକ୍ଷ୍ମୀ ଦେବୀ। ତୁମ୍ଭର କୃପା କଣିକାଏ ମୋ ଜୀବନକୁ ଅମୃତମୟ କରିଦେବ। ସମୟରେ ମୋର ସେବା, ସ୍ବାର୍ଥତ୍ୟାଗ ଇତ୍ୟାଦି ଦେଖି ଷୋଳଣା ଭଲ ପାଇପାର।

ଲକ୍ଷ୍ମୀ-ନୂଆବେଳେ ଯେବେ ନାହିଁ, ପୁରୁଣା ହେଲେ ତାହା କିପରି ହେବ?
ନାରାୟଣ-ଲକ୍ଷ୍ମୀ! ସ୍ତ୍ରୀର ମନ ବୁଝିବା ଅସାଧ୍ୟ। କେହି ପାରିନାହିଁ। କିନ୍ତୁ ତୁମ୍ଭେ ହିନ୍ଦୁନାରୀ, ହିନ୍ଦୁମାନେ ସ୍ବାମୀଙ୍କୁ ଦେବତା ଜ୍ଞାନ କରନ୍ତି। ମୁଁ ତୁମ୍ଭ ପାଇଁ ପ୍ରାଣ ଦେଇପାରେ। ତୁମ୍ଭଙ୍କୁ ଚାତକ ପରି ଅନାଇ ଅଛି। ତୁମ୍ଭେ ମୋର ସର୍ବସ୍ବ। କୃପା କରି ଭଲପାଅ। କିନ୍ତୁ ହା, ମୁଁ ଜାଣେ କୃପା ଯେଉଁଠାରେ ଥାଏ, ପ୍ରେମ ସେଠାରେ ନ ଥାଏ। କୃପାପାତ୍ର ପ୍ରଣୟପାତ୍ର ହେବା ଅସ୍ବାଭାବିକ। ଆଚ୍ଛା ମୋତେ ବିବାହ କରି ପ୍ରେମରୁ ବଞ୍ଚିତ କରିବା ନ୍ୟାୟ କି?

ଲକ୍ଷ୍ମୀ- କ୍ଷମା କରିବେ। ମୁଁ ଯେବେ ତର୍କଛଳରେ କହେଁ, ତୁମ୍ଭେ ମୋ ଶରୀରକୁ କିଣିଛ, ତାହା ସମ୍ଭୋଗ କର। ପ୍ରେମ କେବେ ଦେଲ? ତୁମ୍ଭର ମୋର ତ କଥାବାର୍ତ୍ତା ନାହିଁ।
ନାରାୟଣ-ମୁଁ ଆଉ ଭାବିପାରିବିନି ନାହିଁ। ତୁମ୍ଭର ପ୍ରେମହୀନତା ମୋ ପକ୍ଷରେ ଅସହ୍ୟ। ମୁଁ ତୁମ୍ଭ ଶରୀର ସଙ୍ଗେ ସଙ୍ଗେ ମନ, ହୃଦୟ ପାଇବା ଆକାଙ୍କ୍ଷା। ମୋର ହୃଦୟ ସାକ୍ଷୀ, ତୁମ୍ଭେ ମୋତେ ଭଲପାଅ। ନିଜ ପାଇଁ ପିତାଙ୍କୁ ବଞ୍ଚିତ କରିବା ତୁମ୍ଭ ପକ୍ଷରେ ଅସମ୍ଭବ।

ଲକ୍ଷ୍ମୀ-ମୋତେ ଏତେବଡ଼ ମହତ୍‌ ଭାବିବାର ଯଥେଷ୍ଟ କାରଣ କାହିଁ? ବରଂ କୃତଘ୍ନତାର କାର୍ଯ୍ୟ କରିଅଛି। ଲୋକେ ଆପଣା ପରି ଜଗତକୁ ମଣନ୍ତି। ମୁଁ ମହତ୍‌ ହେଲେ ମଧ୍ୟ କେବଳ ନ୍ୟାୟ ବୁଦ୍ଧିରେ ଚାଳିତ ହୋଇ ତୁମ୍ଭ ଟଙ୍କା ତୁମ୍ଭଙ୍କୁ ଦେଇଥିବି।

ନାରାୟଣ-ମୋ’ ଟଙ୍କା ତ ନୁହେଁ। ମୁଁ ପଣ ଅନୁସାରେ ପ୍ରତିଜ୍ଞାବଦ୍ଧ ହୋଇଥିଲି।

ଲକ୍ଷ୍ମୀ-ବିବାହ ତ ହେଲା ପରସ୍ପର ଆଦାନପ୍ରଦାନ। ଟଙ୍କା ନେବା ଉଚିତ ନୁହେଁ, ଏ କଥା ମୁଁ ଖଣ୍ଡେ କାଗଜରେ ପଢ଼ିଥିଲି। ସ୍କୁଲରେ ପଢ଼ିବା ସମୟରେ ମିସିବାବା ମଧ୍ୟ ମତେ ଏସବୁ କଥା ବୁଝାଇ ଦେଇଥିଲେ।

ନାରାୟଣ-କିନ୍ତୁ ତାହା ଭସା କଥା। ଭିତରେ ପ୍ରବେଶ କରି ଦେଖିଲେ ବୁଝିପାରିବ ଯେ, ପ୍ରତିଦିନ ସ୍ବାଧୀନ ପ୍ରଣୟ ବା ସ୍ବୟଂବର ନହେବ ସେତେଦିନ ଧନ କିମ୍ବା ଜାତି, କିଛି ହେଲେ ପଣର ବିଷୟ ରହିଥିବ।

ଲକ୍ଷ୍ମୀ-ଟଙ୍କା ଦେଇ ମୋତେ କିଣିଥିଲେ, ମୋ ପ୍ରତି ତୁମ୍ଭର ଘୃଣା ହୁଅନ୍ତା।

ନାରାୟଣ-ମୋ ପ୍ରତି ପ୍ରଣୟ ନଥିଲେ ମୋ ଘୃଣାରେ କ୍ଷତି କ’ଣ?

ଲକ୍ଷ୍ମୀ-ଗ୍ରାମରେ ଲୋକେ କ’ଣ କହନ୍ତେ? ଲୋକନିନ୍ଦା ତ ଅଛି।

ନାରାୟଣ- ଧରା ପଡ଼ିଯାଉଛ। ତୁମ୍ଭେ ତ କାହାରିକୁ ଟଙ୍କା ଦେଖାଇ ନାହଁ। ବରଂ ଆଉ ଗୋଟିଏ ଅଧିକତର ଭୟଙ୍କର ଲୋକନିନ୍ଦା ବହନକରି ମୋତେ ଗୋପନ ଭାବରେ ଟଙ୍କା ଦେଲ।
ଲକ୍ଷ୍ମୀ-ତାହା ତୁମ୍ଭଙ୍କୁ ଭୁଲାଇବାକୁ ହୋଇପାରେ। କହୁଥିଲ ପରା ସ୍ତ୍ରୀମାନେ ବଡ଼ ଚତୁରା, କପଟଶୀଳା। କିମ୍ବା ତୁମ୍ଭ ପ୍ରତି ଦୟାର୍ଦ୍ର ହୋଇ ଏପରି କରିପାରିଥାଏଁ। ବାପାଙ୍କର କେହି ନାହିଁ। କିଏ ଖାଇବ? ଦୁଷ୍ଟ ଲୋକେ ନିଅନ୍ତ। ଏଣେ ତୁମ୍ଭର ବଡ଼ କଷ୍ଟ ହୁଅନ୍ତା। ତେଣୁ କୃପା କରିଥିବି ଏବଂ ତୁମ୍ଭେ କୃପା ପ୍ରାମର ବିରୋଧୀ।

ନାରାୟଣ- ତୁମ୍ଭର ପ୍ରଖର ବୁଦ୍ଧିରେ ମୁଁ ସ୍ତବ୍ଧ, ଚକିତ ଓ ପରାସ୍ତ। କିନ୍ତୁ ବୁଦ୍ଧିରୁ କି ପାଇବି? ମୁଁ ପ୍ରେମପ୍ରବଣ ହୃଦୟ ଚାହେଁ। ପ୍ରାଣର ଏ ଆଶା କି ପୂର୍ଣ୍ଣ ହେବ ନାହିଁ? ହା! ଅମୃତ ନଦୀତଟରେ ବସି ତୃଷାରେ ପ୍ରାଣ ଯିବ?
ପ୍ରେମମୟ ସ୍ବାମୀଙ୍କ ଆଗ୍ରହପୂର୍ଣ୍ଣ ବିଷଣ୍ଣ ମୁଖମଣ୍ଡଳ ଦେଖି ପ୍ରେମମୟୀ ଲକ୍ଷ୍ମୀ ଆଉ ରହିପାରିଲେ ନାହିଁ। ତାଙ୍କର ସମଗ୍ର ହୃଦୟ ପ୍ରିୟତମଙ୍କ ହୃଦୟରେ, ଦେହ ଦେହରେ ମିଶିବାକୁ ଅଥୟ ହେଲା। ଯେପରି ତରଙ୍ଗିଣୀ ସିନ୍ଧୁରେ ଆତ୍ମ ବିସର୍ଜନ ଦିଏ, ଲକ୍ଷ୍ମୀ ପ୍ରିୟତମଙ୍କ ବକ୍ଷରେ ମୁଖ ଲୁଚାଇ ଅବିଚଳ, ପ୍ରେମାଶ୍ରୁ ବର୍ଷଣ କଲେ।

ନାରାୟଣଙ୍କ ସକଳ ଦ୍ବିଧାଭାବ କାହିଁ ଭାସିଗଲା। ନାରାୟଣ ହୃଦୟପ୍ରତିମା-ସତୀର ଅଶ୍ରୁସିକ୍ତ କପୋଳରେ ଚୁମ୍ବନ କରି ସକଳ ଦୁଃଖ ଦୂର କଲେ। ଯେଉଁ ଲାବଣ୍ୟ-ପ୍ରତିମାକୁ ପାଇ ଗୃହ ପୂର୍ଣ୍ଣ ହୋଇଥିଲା, ତାହାଙ୍କୁ ପୁଣି ହୃଦୟରେ ପ୍ରେମ-ପ୍ରତିମାରୂପେ ପାଇ ପ୍ରାଣ ପୂର୍ଣ୍ଣ ହେଲା, ହୃଦୟ ତୃପ୍ତ ହେଲା। ବୃନ୍ତହୀନ ପୁଷ୍ପ ସମ ଏହି ଅଦ୍ଭୂତ ପ୍ରାଣୀ ଦୁଇଟିର ଯୁଗଳ ଆତ୍ମାର ମିଳନ, ପ୍ରକୃତ ବିବାହ ଏତେବେଳେ ସମ୍ପନ୍ନ ହେଲା।

-୦-

Pages: 1 2 3