ଆଜି ହର୍ଷରେ ବିଷାଦ! ହିନ୍ଦୁ ଘରେ ବିବାହ କ୍ରିୟା ମହାବିଡ଼ମ୍ବନା। ଅନୁଷ୍ଠାନ ତ ନୁହେଁ, ଲୁଟପାଟ୍‌। କଥାରେ କହନ୍ତି, “ବାହାଘର ନୁହେଁ, ବୁହାଘର।” ଏବଂ ବିଧେ କାର୍ଯ୍ୟେ ପୁରନ୍ଧ୍ରୀଣାଂ ଏବ ପ୍ରଗଳ୍ଭତା।” ସ୍ତ୍ରୀ ଗୁଡ଼ାକ ସଂସାରର ଆବର୍ଜନା। ମାଇପିଜାତି, ନାକ ନଥିଲେ ଖାଆନ୍ତି। ଗୋଳମାଳ, କୋଳାହଳ, ଦିଆନିଆ, ଖିଆପିଆ ଇତ୍ୟାଦି। ବିଶେଷତଃ ନାରାୟଣଙ୍କ ଘରେ ନିଜର କେହି ସ୍ତ୍ରୀ ନାହାନ୍ତି। ପରଦ୍ବାରା କାର୍ଯ୍ୟ। ତେଣୁ କେହି କିଛି କଲେ ଅନ୍ୟ ଜଣେ ସ୍ତ୍ରୀ ସଫେଇ ହୋଇ କହେ, “ଦୁଧ ଗୁଡ଼ ନେଇ ଲିମ୍ବ ମୂଳେ ଦେଲେ ଲିମ୍ବ କି ମଧୁର ହୋଇବ?” ଅର୍ଥାତ୍‌ “ହେ ନାରାୟଣ! ଅନ୍ୟମାନେ ତୁମ୍ଭର ସବୁ ନଷ୍ଟ କରୁଛନ୍ତି। ମୁଁ କେବଳ ନିଜର।”

ଏହା ଶୁଣି ଅନ୍ୟମାନେ ରାଗିଯା’ନ୍ତି। ଗୋଟାଏ ତୁମୁଳ କାଣ୍ଡ ହୁଏ, ପୁଣି କେତେ ସାଧ୍ୟସାଧନାରେ ବନ୍ଦ ହୁଏ। ନାରାୟଣ ମନେ କରିଥିଲେ ଲକ୍ଷ୍ମୀ ଆସି ଗୃହରେ ପାଦ ଦେଲେ ସମସ୍ତ ଦୁଃଖ ଯିବ। ଗୃହ ଆଲୋକିତ ହେବ, ସେଠାରେ ପୁଷ୍ପବୃଷ୍ଟି ହେବ। ସକଳ ପରିଶ୍ରମ, ତ୍ୟାଗ ସ୍ବୀକାରର ପୁରସ୍କାର ହେବ।” ଚକୋର ଦେଖିବ ଚନ୍ଦ୍ରମା ବଦନ।” କିନ୍ତୁ ହାୟ! ଈଶ୍ବର ଯାହା ବିପକ୍ଷରେ, ତାହା ଲଲାଟରେ ସୁଖ କାହିଁ?

ନବବଧୂକୁ ବନ୍ଦାପନା କରି ହୁଳହୁଳି ଦେଇ ପୁରନ୍ଧ୍ରୀମାନେ ଗୃହ ଭିତରକୁ ଘେନିଗଲେ। ଗଲାବେଳେ ତାହାର ଅସ୍ବାଭାବିକ ଗତି ଓ ଶରୀରାର୍ଦ୍ଧଭାଗର ପୃଥୁଳତା ଦେଖି ପରସ୍ପର ମୁହଁ ଚାହାଁଚାହିଁ ହୋଇ ଜଣଜଣ କରି ନିଜନିଜ ଘରକୁ ଚାଲିଗଲେ। ଗଲାବେଳେ ଥୋକେ ବିକୃତ ହସ ହସିଲେ। ଥୋକେ କେତେଟା ଢଗ ପକାଲେ। କେତେ ଜଣ ପ୍ରବୀଣା “ହା କପାଳ” ବୋଲି ବ୍ୟାକୁଳ ଭାବରେ ମୁହଁ ଶୁଖାଇ ଗଲେ। ନାରାୟଣ କିଛି ନ ବୁଝିପାରି ନିଜର ଜଣେ ଲେଖାଯୋଖା ଚଳନ୍ତି ମଣିଷକୁ ଡାକି ପଚାରିଲେ, “କଥା କ’ଣ?”
ସ୍ତ୍ରୀ-କଥା ମୋ ମୁଣ୍ଡ। ଗୌଣୀଏ ଟଙ୍କା ଦେଇ କଳଙ୍କ ବୋଝେ କିଣି ଆଣିଛି। ଏହା କହି ଘରକୁ ଚାଲିଗଲା।

ଗୃହ ଶୂନ୍ୟ। ନାରାୟଣ ମୁଣ୍ଡରେ ବଜ୍ର ପଡ଼ିଲା। ନିର୍ଜନରେ ବ୍ୟାକୁଳ ହୋଇ ବସିଲେ। ଲକ୍ଷ୍ମୀ! ହା ଲକ୍ଷ୍ମୀ! ମୁଁ ତତେ ଦେବୀ ବୋଲି ମନେ କରିଥିଲି। ତୁ ପିଶାଚୀ। ତୋ ମୁଖମଣ୍ଡଳ ଦେଖି ତ ସେପରି ବୋଧ ହେଉ ନଥିଲା!
“କେଉଁ ମହାପାପୀ ନାରକୀ ତୋର ମା
କଲା ଏ ଘୋର ଦୁର୍ଗତି
ଏ ଗୋର ଅନୀତି କେମନ୍ତ ସହିଲେ
ବିଶ୍ବଧାତ୍ରୀ ବସୁମତୀ।”

ଇତିମଧ୍ୟରେ ଘର ଭିତରେ ଲକ୍ଷ୍ମୀ ବ୍ୟାକୁଳ ହୋଇଉଠିଲେ। ମନେକଲେ ସ୍ବାମୀ ମନରେ ସଂଶୟ ଜନ୍ମାଇବା ଅନୁଚିତ। ପରିଣାମ ବିଷମ ହୋଇପାରେ। କିନ୍ତୁ କ’ଣ କରିବେ? ଘର ଶୂନ୍ୟ ନହେଲେ ତ କିଛି ହେବ ନାହିଁ। ପରେ ସମସ୍ତେ ବାହାରିଯିବାରୁ ଅଳଙ୍କାର ରଣଝଣ କରି ଲକ୍ଷ୍ମୀ ସ୍ବାମୀଙ୍କୁ ଆସିବାର ସଙ୍କେତ ଦେଲେ।

ନାରାୟଣ ମନେକଲେ ଗୃହସଂସାର ଛାଡ଼ି ବୈରାଗୀ ହୋଇଯିବେ। ପୁଣି ମନେ କଲେ, ଲକ୍ଷ୍ମୀକୁ ଯେ ପିଶାଚୀ, କଳଙ୍କିନୀ କରାଇଲା, ତାକୁ ହତ୍ୟା କରି ଫାସି କାଠରେ ଝୁଲିବେ। ପୁଣି ମନେ କଲେ, ପର ପାପରେ ନିଜକୁ କରିବା ଉଚିତ କି? ରେ ବିଦୀର୍ଣ୍ଣ ହୃଦୟ! ଧୈର୍ଯ୍ୟ ଧର। ପୁଣି ମନେ କଲେ, ସମାଜର ଏହିପରି କଳଙ୍କ ମୋଚନାର୍ଥ ସେ ସ୍ବଜୀବନ ଅର୍ପଣ କରିବେ। କିନ୍ତୁ ଲକ୍ଷ୍ମୀ ତ ଏହିକ୍ଷଣି ଅରକ୍ଷିତା, ସମାଜ-ପରିତ୍ୟକ୍ତା, କୁଳକଳଙ୍କିନୀ, ତାହାର ଜୀବନ ସଂଶୟ ଉପସ୍ଥିତ। ‘ବସନ୍ତଗାଥା’ର ଅମୂଲ୍ୟର ଦେବବାଣୀ ସ୍ମୃତିପଥରେ ଆରୂଢ଼ ହେଲା।

“କେ ଚାହିଁବି ଚାହୁଁ ତୋତେ ଗର୍ବ ଅବଜ୍ଞାରେ
କିନ୍ତୁ ଲୋ ଭଗିନୀ! ମୁହିଁ ତୋ’ ଦୁଃଖେ କାତାର।”

ହୃଦୟ ଲୌହମୟ କରି, ଜୀବନର ସକଳ ସୁଖ ସମ୍ଭୋଗର ଆଶା ବିସର୍ଜନ କରି ପତିତ-ଉଦ୍ଧାର ବ୍ରତୀ ହୋଇ ସେ ଅଲକ୍ଷ୍ମୀମୂର୍ତ୍ତି ଲକ୍ଷ୍ମୀ ନିକଟକୁ ଗଲେ। କିଛି ଦୂର ଅଗ୍ରସର ହୋଇଛନ୍ତି, ବକ୍ଷ ସ୍ପନ୍ଦିତ ହେଲା। ନାରାୟଣ ଅଗ୍ରସର ହୋଇ ନପାରି ଦଣ୍ଡାୟମାନ ହେଲେ। ଲକ୍ଷ୍ମୀ ଲଜ୍ଜାରକ୍ତ, ଈଷତ୍‌ ହାସ୍ୟଯୁକ୍ତ ମୁଖରେ ହସ୍ତଠାରି ନାରାୟଣକୁ ଡାକିଲା। ସେ ସଲିଳହାସ୍ୟ ଦେଖି ନାରାୟଣ ପତିତା ଉଦ୍ଧାର ରୂପ ପବିତ୍ର କରୁଣ କର୍ତ୍ତବ୍ୟ ବ୍ରତ କ୍ଷଣକାଳ ବିସ୍ମୃତ ହେଲେ।

କ୍ରୋଧ, ଲଜ୍ଜା, ଘୃଣା ତାଙ୍କୁ ସହସ୍ର ଫଣା କାଳୀୟବତ୍‌ ଦଂଶନ କଲା। ସେ କର୍ତ୍ତବ୍ୟଭ୍ରଷ୍ଟ, ବ୍ରତଚ୍ୟୁତ, କ୍ରୋଧାନ୍ଧ, ଭୂତାବିଷ୍ଟ ସ୍ବରୂପ ହୋଇ ଅଧର ଦଂଶନ କଲେ। ପୁଣି ଆତ୍ମସମ୍ବରଣ ପୂର୍ବକ ଉଚ୍ଚୈସ୍ବରରେ କହିଲେ, “ହୃଦୟ ଧୈର୍ଯ୍ୟ ଧର।” ସେ ପ୍ରଳୟ ମୂର୍ତ୍ତି ଦେଖି ଲକ୍ଷ୍ମୀ କିଞ୍ଚିତ ଶଙ୍କିତା ହେଲେ। କିନ୍ତୁ ଏପରି ସ୍ଥଳରେ ପୁରୁଷ ଅପେକ୍ଷା ନାରୀର ଧୈର୍ଯ୍ୟ, ସହିଷ୍ଣୁତା, ବିକ୍ରମ ସହସ୍ର ଗୁଣରେ ଶ୍ରେଷ୍ଠ। ତା’ ନ ହୋଇଥିଲେ ରମଣୀ ବିଶ୍ବବିଜୟିନୀ ହୋଇଥାଆନ୍ତେ କି?

ପୁରୁଷ ମିଥ୍ୟା ବଡ଼େଇ କରେ। ଜଗତରେ ନାରୀର ବିଜୟ ପତାକା ଉଡ଼୍‌ଡ଼ୀୟମାନ। ସୀତାରାମ, ଲକ୍ଷ୍ମୀନାରାୟଣ, ସାବିତ୍ରୀ ସତ୍ୟବାନ୍‌, ସର୍ବତ୍ର ନାରୀ ବିଜୟିନୀ। ଲକ୍ଷ୍ମୀ ନାରାୟଣଙ୍କୁ କରୁଣ ନେତ୍ରରେ ଅନାଇ ପୁଣି ହସ୍ତ ସଙ୍କେତ କଲେ। ନାରାୟଣ ପାଖକୁ ଆସନ୍ତେ ଲକ୍ଷ୍ମୀ କମରରେ ଗୁଡ଼ା ହୋଇଥିବା ୭୦୦ ଟଙ୍କାର ଥଳିଆଟି କାଢ଼ି ତାଙ୍କ ପାଦତଳେ ଥୋଇ ଦେଇ ପ୍ରଣାମ କରି ପଦଧୂଳି ଗ୍ରହଣ କଲେ। ନାରାୟଣ କହିଲେ, “ଏ କି ଟଙ୍କା?” ଲକ୍ଷ୍ମୀ କହିଲେ, “ଏ ତୁମ୍ଭ ନିଜର ଟଙ୍କା ଯାହା ବାପାଙ୍କୁ ଦେଇଥିଲ, ନିଅ।” ଏହି କଥା କହି ଠିଆ ହୋଇ ଏପରି ଭଙ୍ଗୀ ଦେଖାଇଲେ ଯେ ତାହାଙ୍କର ସ୍ବାଭାବିକ କ୍ଷୀଣ, ଉପବାସ ଓ ପିତୃବିଚ୍ଛେଦରେ କ୍ଷୀଣତର କଟି ଦେଖି ନାରାୟଣଙ୍କର ସକଳ ସନ୍ଦେହ ଦୂର ହେଲା।

ପରିଦିନ ଲକ୍ଷ୍ମୀର ବାପ ଟଙ୍କା ଥଳୀ ନପାଇ କ୍ଷିପ୍ତବତ୍‌ ହୋଇ ସମସ୍ତଙ୍କୁ ପଚାରିଲେ। ଲକ୍ଷ୍ମୀର ସଖୀ ଚମ୍ପା କହିଲା, “ଲକ୍ଷ୍ମୀ ନେଇଯାଇଛି। ‘ଖୋଜିଲେ କହିବୁ’ ବୋଲି ମୋତେ କହି ଯାଇଛି।” ଲକ୍ଷ୍ମୀର ବାପ ବିଜୁଳି ପରି ଧାଇଁଯାଇ ଲକ୍ଷ୍ମୀକୁ ପଚାରିବାରେ, ଲକ୍ଷ୍ମୀ ସ୍ଥିରହାସ୍ୟ ହସି କହିଲା, ଯାହାର ଟଙ୍କା ତାକୁ ଦେଲି। ଛି ବାପା, ମତେ ବିକି ଟଙ୍କା ଖାଇଥିଲେ ତୁମ୍ଭର ଭଲ ହୋଇଥାନ୍ତା? ତୁମ୍ଭର ପୁଅ ନାହିଁ। ମୁଁ ତୁମ୍ଭର ପୁଅଝିଅ। ଚିରକାଳ ତୁମ୍ଭକୁ ପୋଷିବି। ଉପବାସରେ ଶୋଇ ତୁମ୍ଭ ମୁହଁରେ ଖୁଦକୁଣ୍ଡା ଦେବି। ତୁମ୍ଭର ଏତେ ଟଙ୍କା ଅଛି, ମତେ ବିକି ଆଉ ଏ ଟଙ୍କା ନିଅ ନାହିଁ।”

ଏହା କହି ପଣତକାନି ଗଳାରେ ପକାଇ ପିତାଙ୍କ ଚରଣକୁ ଧରି ଅଶ୍ରୁଜଳରେ ଭସାଇ ଦେଲେ। ପିତା ଶତଭର୍ତ୍ସନାଠାରୁ ତୀବ୍ରତର ଲିମ୍ବ ଫଳବତ୍‌ କନ୍ୟାଠାରୁ ମଧୁର କଥା ଶୁଣି କନ୍ୟାର ମସ୍ତକରେ ପଦାଘାତ କରି ନିରାଶ ହୃଦୟରେ କପାଳକୁ ଆଦରି ଶୂନ୍ୟଗୃହକୁ ଫେରିଗଲେ। ଲକ୍ଷ୍ମୀ ଦେବ୍ରପ୍ରସାଦବତ୍‌ ସେହି ପିତୃପଦଚିହ୍ନ ମସ୍ତକରେ ବହନ କରି ଧୀରେ ଧୀରେ କହିଲେ, “ବାପା ଭାରି ରାଗିଛନ୍ତି। ତାଙ୍କ ରାଗ ବେଶୀଦିନ ରହିବ ନାହିଁ।”

ନାରାୟଣଙ୍କ ଗୃହ ଆଜି ଲକ୍ଷ୍ମୀ ଆଲୋକିତ କରିଛନ୍ତି। ସମସ୍ତ କଷ୍ଟ ଦୂର ହୋଇଛି। ଶୋଭା ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ ମୂର୍ତ୍ତିମତୀ ଲକ୍ଷ୍ମୀ ଆଜି ତାଙ୍କ ଘରେ। ଲେଶମାତ୍ର ଦୁଃଖ, ଦୈନ୍ୟ, ଅଭାବ, ଅପୂର୍ଣ୍ଣତା ତାଙ୍କ ଜୀବନରେ ନାହିଁ। ନାରାୟଣଙ୍କ ପ୍ରାଣ, ମନ, ହୃଦୟ, ଆଶା, ଗୃହ, ସଂସାର ଆଜି ପରିପୂର୍ଣ୍ଣ। ନିତ୍ୟକର୍ମ ସମାପନାନ୍ତେ ଶଯ୍ୟା ପ୍ରସ୍ତୁତ ହେଲା। ନିର୍ଜନ ଗୃହରେ ସ୍ତିମିତ ଦୀପାଲୋକରେ ସ୍ବାମୀ ସ୍ତ୍ରୀ କଥାବାର୍ତ୍ତା ହେଲେ।

ଲକ୍ଷ୍ମୀର ବିଲୋଳ କଟାକ୍ଷ, ସହାସ ମଧୁର ମୁଖ, ବୀଣାବିନିନ୍ଦିତ ବାଣୀ ନାରାୟଣଙ୍କ ନିକଟରେ ଗଭୀର ଅପୂର୍ବ ପ୍ରହେଳିକାବତ୍‌ ପ୍ରତୀୟମାନ ହେଲା। ଯେତ ଦେଖିଲେ, ସେତେ ଆତ୍ମଜ୍ଞାନ ହରାଇଲେ। ଲକ୍ଷ୍ମୀର ବୟସ କେତେ? କଳିବା ତ ସହଜ ନୁହେଁ। ବାଳିକାର ଆର୍ଜ୍ଜବ, ପ୍ରୌଢ଼ାର ଗାମ୍ଭୀର୍ଯ୍ୟ, ଯୁବତୀର ଲାବଣ୍ୟ ଏକାଧାରରେ ସମାବିଷ୍ଟ।

ନାରାୟଣ ପୁରିଲେ-ଲକ୍ଷ୍ମୀ! ମୋତେ ଭଲ ପାଅ?
ଲକ୍ଷ୍ମୀ-କ’ଣ ମନେ କର?
ନାରାୟଣ-ଭଲରୂପେ ଜାଣେ ନାହିଁ? ବୋଧହୁଏ ଭଲପାଅ।

ଲକ୍ଷ୍ମୀ-ସନ୍ଦେହ କାହିଁକି?
ନାରାୟଣ-ଜାଣେ ନାହିଁ, ତୁମର ସ୍ନେହ ବୋଧହୁଏ ମୋ ପକ୍ଷରେ ଏତେ ମୂଲ୍ୟବାନ ଯେ, ମୁଁ ବିଶ୍ବାସ କରିପାରୁନାହିଁ ଯେ, ସେ ଅମୂଲ୍ୟ ନିଧି ମୋର ହୋଇଅଛି।
ଳକ୍ଷ୍ମୀ-ପୁଣି ଭଲପାଏ ବୋଲି ବୋଧହୁଏ କିପରି?

ନାରାୟଣ-ତୁମ୍ଭର ଚାହାଣି ଭଙ୍ଗୀରୁ, ତୁମ୍ଭର ଚାଲିଚଳନରୁ ବିଶେଷତଃ ତୁମ୍ଭର ସ୍ନେହପ୍ରବଣ ହୃଦୟରୁ। ଏଡ଼େ ସୁନ୍ଦର ମୂର୍ତ୍ତି! ଏହା ବି ସ୍ନେହବିହୀନ ହୋଇପାରେ?
ଲକ୍ଷ୍ମୀ-ସୁନ୍ଦରୀ ପିଶାଚୀ କି ନାହାନ୍ତି?

ନାରାୟଣ-ଅଛନ୍ତି। କିନ୍ତୁ ତୁମ୍ଭେ ସେପରି-ଏହା ମୋର ବିଶ୍ବାସ ନୁହେଁ। ବିଶ୍ବାସ କଲେ ମୁଁ ବଞ୍ଚିପାରିବି ନାହିଁ। ମୋର ଜୀବନ ଅସାର, ସୁଖହୀନ, ଜୀବନମୃତ୍ୟୁରେ ପରିଣତ ହେବ।
ଲକ୍ଷ୍ମୀ-ତେବେ ଯେଉଁଟା ବିଶ୍ବାସ କଲେ ତୁମ୍ଭ ମନରେ ସୁଖ ହୁଏ, ସେହିଟା ବିଶ୍ବାସ ନକରି ଏତେ ପଚାରୁଛ କାହିଁକି?

ନାରାୟଣ-କେଜାଣି କାହିଁକି ତୁମ୍ଭ ତୁଣ୍ଡରୁ “ଭଲପାଏ”, ଏ କଥା ଶୁଣିଲେ ପ୍ରାଣ ସୁଧାସିକ୍ତ ହେବ।
ଲକ୍ଷ୍ମୀ- ମୁଁ କହିଲେ ବିଶ୍ବାସ କରିବ?

ନାରାୟଣ-ହଁ ବିଶ୍ବାସ କରିବି। କିନ୍ତୁ ପ୍ରାଣର ଅନ୍ତଃସ୍ଥଳରେ କି ଏକ ଅଦ୍ଭୂତ ରହସ୍ୟପୂର୍ଣ୍ଣ ବିରାଟ ଶୂନ୍ୟ ଅଛି, ସେଠାରୁ ଅନନ୍ତ ଜିଜ୍ଞାସା ବାହାରୁଅଛି। କୋଟିବାର ଶୁଣିଲେ ମଧ୍ୟ ସେହି କଥା ପଚାରିବାକୁ ଇଚ୍ଛା ହୁଏ।
ଲକ୍ଷ୍ମୀ- ଯେବେ, ‘ନାହିଁ’ କହେ।

ନାରାୟଣ- ସମ୍ଭବତଃ ଥଟ୍ଟାରେ ‘ନାହିଁ’ କହୁଛ-ମନେ କରିବି। ସ୍ତ୍ରୀମାନଙ୍କ ‘ନାହିଁ’ ଅନେକ ସମୟରେ ‘ହଁ’ ସଙ୍ଗେ ସମାନ ବୋଲି ରସିକମାନେ କହନ୍ତି। ତୁମ୍ଭେ ପ୍ରକୃତରେ ‘ନାହିଁ’ କହିଲେ ମୋର ଦାରୁଣ ଯନ୍ତ୍ରଣା ହେବ ସତ୍ୟ, କିନ୍ତୁ ଏକାବେଳକେ ନିରାଶ ହେବି ନାହିଁ। କାରଣ ଏପରି ହୋଇପାରେ, ତୁମ୍ଭେ ନିଜ ହୃଦୟ ନ ବୁଝି, ‘ନାହିଁ’ କହୁଅଛ।

Pages: 1 2 3