ଦେଖ ବିଶ୍ୱ ଆସ ଆହ୍ୱାନେ ଦ୍ୱାରେ
ରୁଦ୍ର ଗମ୍ଭୀର ବିଶାଳ ମୂର୍ତ୍ତି!
ଉଠ ହେ ଉତ୍କଳ ଉଠ ହେ ଉତ୍କଳ
ଜାଗୁ ଜୀବନେ ନବୀନସ୍ଫୁର୍ତ୍ତି!
ବାଜେ ଘନ ଘନ ଶୃଙ୍ଗ ବେଣୁ
ଚମକେ ସ୍ୱନେ ଧରଣୀ-ରେଣୁ,
ପବନେ ପର୍ବତେ ସମୁଦ୍ର ସୈକତେ,
ଶୁଭଇ ସଙ୍ଗୀତ ବୀରେନ୍ଦ୍ର କୀର୍ତ୍ତି।
ନଦୀନୀଳ ଜଳ ଲହରୀମାଳେ
ନାଚେ ନବୋତ୍ସାହ ତାଳେ ତାଳେ,
ତୀର-ତରୁ-ଶ୍ରେଣୀ କୁସୁମ ବେଣୀ-
ସଞ୍ଚରେ ସୌରଭେ ବିଶ୍ୱ-ପ୍ରୀତି।
ଜଡ଼ତା ଆଳସ୍ୟ ଭାଙ୍ଗି ହେ ଦୂରେ
ଉଠ ହେ କର୍ମ୍ମୀ ଉଠ ହେ ଶୁରେ!
ଦେଖ ଅଦୂରେ ଆକାଶ-ବକ୍ଷେ
ଉଜ୍ଜ୍ୱଳ ତବ ଅତୀତ ସ୍ମୃତି
ଉଠ ଉଠ ଉତ୍କଳ! ଜାଗୁ ଜୀବନେ
ନବୀନ ଆନନ୍ଦ ନବୀନଧ୍ରୂତି!
-x- -x- -x-
ଉଠ ଉଠ ହେ ଉତ୍କଳ! ଉଠ ହେ ବୀର!
ଉଠ ହେ ଦେଶ ସେବକ! ହେ ଜ୍ଞାନୀ ଧୀର!
ଉଠ ହେ ମାତୃଭୂମି ନାମ ମହାମନ୍ତ୍ରେ,
ସ୍ୱଦେଶ ହିତ ବାଜୁ ହୃଦ-ତନ୍ତ୍ରେ,
ଉଠ ହେ ଗରବେ ଉଠ ହେ ଆଜି,
ଉଠ ହେ ଧର୍ମ-ବର୍ମ୍ମେ ସାଜି,
କର୍ମ୍ମ ତବ ମୁକ୍ତି ମୋକ୍ଷ
ଶକ୍ତି ସାଧନ ଲକ୍ଷ ହେ!
ଉତ୍କଳ ମାତା ତବ ପୁଣ୍ୟତୀର୍ଥ
ତବ ପୁଣ୍ୟ-ସଦ୍ମ ତାର ବିଶାଳ ବକ୍ଷ;
ତାର ପାଦପଦ୍ମତଳେ ତବ ଆଶ,
ତାର ଭାଷା ତବ ପ୍ରଣୟ ପାଶ,
ତାର ସନ୍ତାନ ତବ ସହୋଦର
ହେଉ ସେ ରାଜା ହେଉ ଫକୀର।
-O- -O- -O- -O-
ବି.ଦ୍ର: ଉକ୍ତ କବିତାଦ୍ୱୟ ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କଦ୍ୱାରା ୧୯୨୭ ମସିହାରେ ଲିଖିତ ଓ ପ୍ରକାଶିତ ପୁସ୍ତକ “ଅର୍ଚ୍ଚନା”ରୁ ଆନୀତ।