ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା,
ନୀରବେ ଆକାଶେ ଉଦେ ରବି-ଶଶୀ-ତାରା,
ନୀରବେ ବଢ଼ଇ ତରୁଲତା-ମହୀଧର
ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର।
ମହା-କାଳ-ପାରାବାର ଅନନ୍ତ ଗରଭେ
ମିଶଇ ସମୟ-ସ୍ରୋତ ସତତ ନୀରବେ,
ନୀରବେ ଜଗତ କରେ ନିଜ କକ୍ଷେ ଗତି
ନୀରବ ନିଖିଳ ବିଶ୍ବ ନିଗୂଢ ଶକତି।
ନୀରବେ ପ୍ରେମିକ ନେତ୍ରେ ଅଶ୍ରୁ ଢଳ ଢଳ,
ନୀରବେ ସରସୀ-ବକ୍ଷେ ହସେ ଶତଦଳ,
ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ,
ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ।
ତେବେ କିପାଁ ଚଉଦିଗେ ଚହଳ ଚିତ୍କାର,
କିପାଁଇ ମାନବ କରେ ଏତେ ଅପଚାର?
ଚାହିଁ ଅନ୍ତରୀକ୍ଷ, ଚାହଁ ଆପଣା ଅନ୍ତର,
ଶୁଣ ଶିଖ ସାଧ ସଦା ନୀରବ ମନ୍ତର।
 
             
                            
 
                                                                                                    
 
                                  
                                  
                                  
                                  
                              
                                  
                                  
                                  
                  
                  
                  
                  
                 