
ଚିଲିକା ପାଣିରେ ଦୋଳୁଛି ଲହରୀ,
ବୋହୁଛି ଶୀତଳ ବାଆ,
ସୋରି ସୋରି ଖରା ଜଳିଯାଉଛି ଲୋ,
ଖେଳୁଛି ସହସ୍ର ନାଆ।
ପାହାଡ଼ ଚଢ଼େଇ ଉଡ଼ୁଅଛି ରାବି,
ମନେ କି ଅଛି ତା’ ଧୋକା ?
ପାଣି ତଳେ ଛାଇ ବୁଲିଯାଉଛି ଲୋ,
ଜାଇଟି ନାହିଁକି ଏକା।
ବାପା ଫେରି ଆସି ବୋଉଙ୍କ ଆଗରେ
କଥା ନ ପାରନ୍ତି କହି;
ଆର ଦିନ ପୁଣି ନାଉରି ଗଲା ଲୋ,
ନାଆ ସେହି ବାଟେ ବାହି।
କେତେ ଶ ବରଷ ହେଲାଣି ସେଦିନୁଁ,
ଗଣି କି କହିବ କିଏ?
ନାହିଁ କିଛି ଆଉ ସେକାଳ କଥାଲୋ,
ଜାଇ ରହିଅଛି ଜୀଏ।
ବାଲୁଁ ଗାଆଁ କୂଳୁଁ ନାଆ ଗଲାବେଳେ
ପାରିକୁଦ ଗଡ଼ଠାକୁ,
ପାହାଡ଼ ସମୀପେ ମଣିଷ ତୁଣ୍ଡ ଲୋ,
ନ ଶୁଣାଯାଏ କାହାକୁ?
ବରଷା ବତାଷି ଚିଲିକାରେ ଆଉ
ହୁଏ ନାହିଁ ତେଡ଼େ ଭଳି,
ଆପଦେ ବିପଦେ ଜଣା ପଡ଼ଇ ଲୋ;
ସାହା କିଏ ଥିଲା ପରି।
ନାଉରି କେଉଟ ପାହାଡ଼ ବାଟେ ତା’
ନାଆ ନେଇ ଗଲାବେଳେ,
କାମେ ଆପଣାର ଶୁଭ ମନାସି ଲୋ,
ଜୁହାର କରଇ ଥରେ।
ତୋଳିଲେ ପାହାଡ଼-ଶିଖେ କାଳେ ଭକ୍ତେ
ସୁନ୍ଦର ଦେଉଳଟିଏ;
ସେ ଦେଉଳେ ପୁଣି ସମୁଦ୍ରେ ସତେ ଲୋ,
ରହିବ ଦେବତା କିଏ?
ସୂର୍ଯ୍ୟ ବୁଡ଼ିଗଲେ, ନିଶବ୍ଦ ଯେବେ
ହୁଏ ସବୁ ସଞ୍ଜବେଳେ;
ଏକାହୋଇ ଜାଇ, ଲୋକେ କହନ୍ତି ଲୋ,
ବୁଲୁ ଯେ ଥାଏ ପାହାଡ଼େ।
ନେତ୍ରୁଁ ବୋହୁଥାଏ ଲୁହ ଦୁଇ ଧାର,
ଶୁଖି ଯାଇଥାଏ, ମୁହଁ;
ହେଲେ, ଠାରି ହାତ, କାନ୍ଦି, କାହାକୁ ଲୋ;
ନିବର୍ତ୍ତାଇ କରେ ଥୟ।
ସେ ଯୋଗେ ନୋହୁଛି କାଳିଜାଇ ଗଣ୍ଡେ
ଏଡ଼େ ଆଉ ଝଡ଼ ବାଆ;
ତହିଁ ବୁଡ଼ିବାର ଶୁଣା ନ ଯାଏ ଲୋ,
ଯହିଁ ଯେତେ ବୁଡ଼ୁ ନାଆ।
କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବତା,
କୋଟି କୋଟି ଦଣ୍ଡବତ;
ପାହାଡ଼ର ନାଆଁ ରାଇଜେ ଖ୍ୟାତ ଲୋ,
‘କାଳିଜାଇ ପରବତ’।


ପଢିବାକୁ ବହୁତ ଭଲ ଲାଗୁଛି। ସ୍କୁଲ୍ ସମୟର କଥା ମନେ ପଡୁଛି। ଏହା ପ୍ରକାଶ କରିଥିବାରୁ ଅନେକ ଅନେକ ଧନ୍ୟବାଦ୍।
ଗୋଦାବରୀଶ ଙ୍କ ଏକି କବିତାର ବିକଳ୍ପ ନାହିଁ । ଏହାକୁ ପଢିଲେ ସ୍କୁଲ ବେଳର କଥା ମନେ ପଡିବ ସହ ଆଖିରେ ଲୁହ ଆସିଯାଏ । ଏହା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ସହାୟକ ହୋଇଛି ।ଧନ୍ୟବାଦ
ଅତ୍ୟନ୍ତ ମର୍ମସ୍ପର୍ଶୀ କବିତା । ପଢିବା ସମୟରେ ଜୀବନ୍ତ ହୋଇଗଲା ସେ କାହାଣୀଟି ମୋ ମନ ଭିତରେ । ଅନୁଭବ କରିପାରିଲି ନାଉରି ମନର ଶଙ୍କାକୁ, ଝିଅର ସେ କାରୁଣ୍ୟ ଚାହାଣୀ, ମନର ଅଥୟତା କୁ ଏବଂ ବାପର ଅସରନ୍ତି ସ୍ନେହଁକୁ ।
ପିଲାବେଳେର କଥା ମନେପଡିଲା।ଯେତେବେଳେ ଏହାକୁ ଆମେ ପଢି ମୁଖସ୍ଥ କରୁଥିଲୁ।ସତରେ ଇଣ୍ଟରନେଟରୁ ପଢି ଖୁସି ଲାଗୁଛ।ପ୍ରସିଦ୍ଧ କବିତାଗୁଡିକ ଉପଲବ୍ଧ ହେଲେ ବହୁତ ଭଲ ହେବ।