‘ଭଲ କରି ନାଆ ବୁହା, ରେ ନାଉରି!
ଝିଅକୁ ମାଡ଼ୁଛି ଡର;
ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ,
ଝିଅ ଯିବ ଶାଶୂଘର।’

ଭଲ କରି ନାଆ ବାହୁଛି ନାଉରି
ତଲେଇ କରିଛି ଠିଆ;
ମାମୁଁଭଣଜାର କୋଣରୁ ଆସେ ଲୋ,
ବୋହି ସୁଲୁ ସୁଲୁ ବାଆ।

ଦିନ ଦଶ ଘଡ଼ି ହେଲାଣିଟି ଆସି,
ଖରା ମାରେ ଚାଇଁ ଚାଇଁ;
ପାଞ୍ଚ କୋଶ ବାଟ ଯିବାକୁ ଅଛି ଲୋ,
ବେଳ ତ ପାଇବ ନାହିଁ।

ନାଉରି ବାପୁଡ଼ା କାତ ମାରୁଅଛି,
ଉଦାସେ ଗାଉଛି ଗୀତ;
ନାଆ ଉଡ଼ିଯାଏ ପବନ ପ୍ରାୟେ ଲୋ,
ଜଣା ନ ପଡ଼ଇ ବାଟ।

ମାଆ ଭଉଣୀଙ୍କି, ସାଥୀ ସଙ୍ଗାତଙ୍କୁ
ଝିଅ ଯେ ଆସିଛି ଛାଡ଼ି;
ନାଆରେ ବସି ସେ ତାଙ୍କରି କଥା ଲୋ,
ହୁଏ ନିରନ୍ତରେ ଭାଳି।

ମାଆ ଭଉଣୀଏ, ସାଥୀ ସଙ୍ଗାତେ ସେ
ରହିଲେ ଦୂରସ୍ଥେ କାହିଁ;
ପରତେ ନୋହୁଛି ଆଉ କି ଦିନେ ଲୋ,
ଫେରି ସେ ଦେଖିବ ଯାଇ!

ନାଆ ଚାଲିଅଛି ପବନ ସମାନେ,
ମୁହୂର୍ତ୍ତେ ନ ହୁଏ ଥୟ;
ଚିହ୍ନା ଯେତେ ତାର ବଣ ପାହାଡ଼ ଲୋ,
ଅନାଇ ଦେଖନ୍ତା ଝିଅ।

ଘଣ୍ଟଶିଳା ଶିଖେ ଚାହିଁ ସେ କହନ୍ତା-
‘ଦିଅରେ ମେଲାଣି ମୋତେ;
ଭେଟ ଆଉ ଦିନେ ନୋହିବ ଜୀବନେ,
ଯାଉଛି ଘୋର ବନସ୍ତେ।’

ଶାଳିଆ ନଈ ତା’ ନିତିଦିନ ସାଥୀ,
ସୁଖେ ସେ ବୁଲଇ କୂଳେ;
ବେଳେ ସୁଏ ତା’ର ସ୍ନାହାନ ସାରି ଲୋ,
ହସି ଲେଉଟଇ ଘରେ।

Pages: 1 2 3 4