କାହିଁ ସେ ରାଇଜ କାହିଁ ସେ ଭୂଇଁ?
ଜୀବନ ଯେଉଁଠି ଜୀବନ ଚାହେଁ?
ଝଲମଲ ସିଏ ହେଉଛି କାହିଁ
ପ୍ରଭାତୀ ଆକାଶେ ରଙ୍ଗ ପ୍ରାୟେ
କେତେ ଦୂର ଗଲେ ପାଇବି ତାରେ,
କିଭଳି ଚାଲିବି ସେ କେଉଁ ଗତିପଥେ
ଗଭୀର ପିପାସା ବକ୍ଷତଳେ
ଆକୁଳ ଅଥୟ କରଇ ମତେ!
ସେ ଭୂଇଁର ବନ ପାହାଡ଼
ପଥ ବତାସ ସମସ୍ତରେ,
ପୂର୍ଣ୍ଣ ପ୍ରାଣର ସ୍ୱର୍ଣ୍ଣ ଆଭା
ଲୀଳା କରୁଥିବ ନିରନ୍ତରେ
ହାକିମ ହୁକୁମ୍ ନଥିବ ତହିଁ
ନଥିବ ଶୋଷଣ ନିଷ୍ପେଷଣ
କଲବଲେ କିଏ ଉଷ୍ମ ଲୁହ
କରୁ ତ ନଥିବ ସମ୍ବରଣ।
ଲାଞ୍ଛିତ କିଏ ବୁକୁର ଜାଳା
ବୁକୁତଳେ ଚାପି ନ ଥିବ ରହି
ମାଟି ଚାଳିଆରେ ସୌଧ କା’ର
ଚାହୁଁ ତ ନ ଥିବ ଘୃଣା ବହି।
କ୍ଷମତା ଓ ଧନ ଗାଦିରେ ବସି
ଆହୁରି କ୍ଷମତା ଆହୁରି ଧନ-
ପାଇବାକୁ ସାରା ଜୀବନ ଧରି
କରୁ ନ ଥିବ କେ ଅନ୍ୱେଷଣ!
କାହିଁ ସେ ରାଇଜ କାହିଁ ସେ ଭୂଇଁ
ଜୀବନ ଯେଉଁଠି ଜୀବନ ଚାହେଁ?
ହାଣ ମାର୍ ପିଟ୍ ଦ୍ୱନ୍ଦ୍ୱ ଭେଦ
ଲାଗେ ଯହିଁ ନିତି ସ୍ୱପ୍ନ ପ୍ରାୟେ।
ସେନେହ ସେନେହ ସେନେହ ଖାଲି
ସବୁରି ବୁକୁରୁ ପଡ଼ୁଚି ଝରି
ହସୁଚି ସେ ଭୂଇଁ ଚତୁର୍ଦ୍ଦିଗ,
ପୁନିଅଁ ରାତିର ଯୋଛନା ପରି।
ବୋହିଲେ ନୟନୁ ଟୋପାଏ ଲୁହ,
ବୁକୁତଳେ କା’ର ଲାଗିଲେ ବ୍ୟଥା
ଆଶ୍ୱାସନାର ପୀୟୁଷ ଢାଳି
ଲକ୍ଷ ଓଠ କହଇ କଥା।
କାହିଁ ସେ ରାଇଜ କାହିଁ ସେ ଭୂଇଁ
ଜୀବନ ଯେଉଁଠି ଜୀବନ ଚାହେଁ?
ପଡ଼ିଗଲେ ଯହିଁ ଟେକିବା ପାଇଁ
ଲକ୍ଷ ହାତ ସରାଗେ ଯାଏ!
ସୁପ୍ତ ଯେଉଁଠି ଉଠଇ ଚେଇଁ,
କି ଅବା ବିଜୁଳି ପରଶ ଲଭି
ପ୍ରତି ଅନ୍ତର ସୃଜୁଚି ଯହିଁ
କଳ୍ପଲୋକର କନକ ଛବି।
ଜଟିଳ କୁଟିଳ ବସୁନ୍ଧରା ଭାଙ୍ଗି
ମୁଁ ତାହା ପାଏ ହେ ପାଏ
କାହିଁ ସେ ରାଇଜ କାହିଁ ସେ ଭୂଇଁ
ଜୀବନ ଯେଉଁଠି ଜୀବନ ଚାହେଁ?