ଜୀବନପାତ୍ର ମୋ ଭରିଛ କେତେ ମତେ
ନ ଦେଲେ କିଛି ବୋଲି କହିବି କି ହେ ଆଉ?
ଜୀବନ ପ୍ରିୟତମ ହରିଛ ମୋ ଭରମ
ତରଣୀ ମୋର ତବ ସାଗରେ ବହିଯାଉ।

କୁଳର ଜନପ୍ରାଣୀ କେତେ ମିଳାଅ ଆଣି
ନୟନ ପଲକରେ ଲୁଚାଅ ଜାଣି ଜାଣି,
ବୃଥା ମୁଁ ଅଭିମାନୀ ହୃଦେ ଧରଇ ଟାଣି
ମରତ ପ୍ରବାସୀ ମୁଁ ନ ଜାଣି ଆଣେ ଦାଉ।

ମାନସ-ହଂସ ମୁଁ ମାନସେ ଯିବି ଉଡ଼ି
ମୋ ଦୋଷେ ପଥ ହୁଡ଼ି ଭରମେ ଅବିରତ,
ଅଳପ ତୃଷା କ୍ଷୁଧା ଲଭି ତୁମରି ସୁଧା
ତୃପତ ହେଲା, ତେବେ ଲୋଡ଼ଇଁ ଏ ମରତ!

ନିଜ ବାସନା ଜାଲେ ବିକଳ ବିଧୃତ,
ତିମିର ଅଜ୍ଞାନେ ମିଳେ କି ଅମୃତ?
ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି
ଲଂଘି ହିମଗିରି ଯିବି ଗୋ ବେଳ ଥାଉଁ।

ଦେଇଛ ପ୍ରିୟା ପ୍ରାଣେ ଅମର ପ୍ରୀତି ଭରି
ମୋ ଶିଶୁ କ୍ରନ୍ଦନେ ଅମର ମୋର ଆଶା,
ପ୍ରଭାତ ସନ୍ଧ୍ୟାରେ ଖେଳାଇ ରୂପ ଢ଼େଉ
ବିକଳ କଣ୍ଠେ ମୋ ଫୁଟାଇଛ ତ ଭାଷା,

ଗାଇବି ବନ୍ଦୀ ମୁଁ ଚରଣ ବନ୍ଦନା,
ସେ ଲାଗି ଏ ବୀଣାରେ ଦେଇଛ ମୂର୍ଚ୍ଛନା,
ସେ ସୁଖ କରି ହେଳା ଲଗାଇଲି ମୁଁ ଖେଳା
ମିଳନ ମଧୁରାତି ପାହିଲା ଚାହୁଁ ଚାହୁଁ।

ମିଥ୍ୟା ବିପଣୀରେ ବଣିଜ ମରଣ ଯେ
ନ ଚେତି ତିଳେ ଯାହା କଲି ମୋ ମଣି ଭାଉ!

ପଉଷ ତରୁ ମୁଁ ଗୋ ପଳିତ ମୋ ପତର
ନିରାଶା ପରଶରେ ଝରିଛି ଅକାଳରେ
ନାହିଁତ କେବେ ତିଳେ ଶୋଚନା ଖେଦ ମୋର
ହୃଦୟମଣି ମୋର ସାଗର ଅତଳରେ।

ପରାଣ କୁଞ୍ଜେ ଗୋ ତାର ମୁରଲି ଧ୍ବନି
ପରାଣ-ପବନେ ଗୋ ତା ଶୁଭ ଆଗମନୀ,
ଜୀବନେ ଦେବା ନେବା ଭିଆଣ ସବୁ ତାର
ସେ ମହାଦାନୀ ହସେ ପରାଣେ ଦେଖିନାହୁଁ?

ତା ପରଶେ ପଉଷ ଜୀର୍ଣ୍ଣ ଜୀବତରୁ
ପଲ୍ଲବିତ ଆହା ଶୋଚନା କିବା ଆଉ?

ଚାଲରେ ଚାଲ ମନ ନିତ୍ୟ ମଧୁବନ
ଦେଖିବୁ ପ୍ରିୟ ରାସ, ଅଦୂରେ ଗୋଲକରେ
ଅଦୂର ପଥେ ଆଜି ମିଳନ ତାର ସାଥେ
ବିଜୟ ରଥେ ତୋର ଜୀବନ ଆଲୋକରେ!

ଯାତ୍ରୀପଥ ତୋର ପଲକେ ହେବ ଶେଷ,
ଶେଷରେ ସନ୍ଦେହ ସକଳ ତୋର କ୍ଲେଶ,
ଧନ୍ୟ ହେବୁ ଆଜି ପୁଣ୍ୟ ଦରଶନେ,
କ୍ଷୁର୍ଣ୍ଣ ସବୁ ପାପ ଦୁଷ୍କୃତିର ରାହୁ!

ଜୀବନ-ଦେବତା ମୋ ଜୀବନ ପଥେ ବିଜେ,
ତରଣୀ ମୋର ତାର ସାଗରେ ବହିଯାଉ!