ହେ ବିଧାତା ପ୍ରାଣପତି,
ଦିନୁ ଦିନୁ ଆୟୁ ଯାଏ ସରି,
ଖାତା ପତ୍ର ଦେଖି ଥରେ
ବୁଝ ଦେଖି କିବା ଅଛି ଜମା,
ଅନ୍ୟାୟର ଖରଚରେ
ଖାତା ଅବା ଗଲା କେତେ ଭରି,
ଜମାଘର ଊଣା ଯଦି
କର ବନ୍ଧୁ, କର ମୋତେ କ୍ଷମା।

ଦୟା ପ୍ରେମ ଆଶୀର୍ବାଦ
କିଛି ତ ହେ କରି ନାହିଁ ଊଣା,
ଏତେ ପାଇ କିଛି ଏବେ
ଦେଲି ବୋଲି ନ ପାରୁଛି ଜାଣି,
ଯଦି ହେଲି ସର୍ବଗ୍ରାସୀ
ମରୁଭୂମି କର ହେ କରୁଣା,
କର ଉପବନ ବସି
ସ୍ନିଗ୍‌ଧ ମୁଗ୍‌ଧ ହୋଇଯାଉ ପ୍ରାଣୀ।

ପିତା ମାତା ଭାଇ ବନ୍ଧୁ
ବିଶ୍ୱବାସୀ ସର୍ବେ ଢାଳି ସୁଧା,
ନିଦାଘର ତାପେ ଦୁଃଖେ
କେତେ ରୂପେ ଆଣିଛନ୍ତି,ଶାନ୍ତି
କାହାର କି ମେଣ୍ଟାଇଲି
କେବେ ହେଲେ ପରାଣର କ୍ଷୁଧା!

କାହାର ବା ଘୂଞ୍ଚାଇଲି
ନିଜ ଗୁଣେ ଜୀବନର କ୍ଳାନ୍ତି!
ଦୁଃଖ ବା ଭୋଗିଛି ଯାହା
ତାହା ଦେବ, ନିଜ କର୍ମ ଫଳ,
ସୁଖ ଯାହା ତାହା ତବ
ଶ୍ରୀକର ଶୁଭ ଅନୁଗ୍ରହ,
ପୁଣ୍ୟ ଯଦି ଅଛି କିଛି
ବୁଝିଅଛି ତାହା ତବ ବର,
ପାପ ଯାହା ତବ ପ୍ରତି
ହେ ବାନ୍ଧବ, ନିଜର ବିଦ୍ରୋହ।

ଦିନ ଅବା କାହିଁ ଆଉ
ଆଚମ୍ବିତେ ପଡ଼ିବ ହାକରା,
ଶେଷେ ଦୁଇ ନେତ୍ର ଭରା
ଚକ୍ଷୁ ଜଳ ହେବ ସିନା ସାର।
ବେଳ ଥାଇ ଦେଖା ପଥ
ପ୍ରାଣନାଥ, ନୁହେଁ ପଥହରା,
ପଦପ୍ରାନ୍ତେ ବସିବାର
ମିଳିଯାଉ ପୁଣ୍ୟ ଅଧିକାର।

ହସିଦିଅ ହଟିଯାଉ
ଜୀବନର ସବୁ ଦୁର୍ବଳତା
ପ୍ରେମ-ଜଳେ ଧୋଇ ତନୁ
ଦିଶୁ ପୁଣି ସୁନ୍ଦର ଉଜ୍ଜ୍ୱଳ,
ହସି ହସି ଆସିଥିଲି
ହସି ଯାଏଁ ଶୁଣି ତବ କଥା,
ଶେଷ ଯେବେ ସବୁ ବଳ
ତୁମ୍ଭେ ନାଥ, ଏକା ହିଁ ସମ୍ବଳ।