ଛୋଟ ଛୋଟ ଫୁଲ
ଛୋଟ ଛୋଟ ଶ୍ୟାମ ଘାସ
ଟିକି ଓଠଧାରେ ନାଲି ଗୁଲୁଗୁଲୁ ହାସ
ଛୋଟ ତରାଟିର ମିଟିମିଟି ଆଖି ଠାର
ଓଦା ଆଖିତଳେ ସରୁ ସରୁ ଲୁହ ଗାର
ଛୋଟ ପ୍ରଦୀପର ସ୍ମିଗ୍ଧ ସ୍ତିମିତ ଜ୍ୟୋତି
କଅଁଳ କୁସୁମ ଛୋଟ ହିମକଣା ମୋତି
ପ୍ରଜାପତି ଦେହେ ଟୋପିଟୋପି ଛୋଟ ଚିତା
ଛୋଟ ଧୂଳିକଣା ଛୋଟିଆ ବରଷା ଛିଟା
ଆଖି କହେ ଯାକୁ ସୃଷ୍ଟିରେ ଅତି ସାନ
ମନ ପାଏ ତହିଁ ବିରାଟର ସନ୍ଧାନ।
୰ ବିଦ୍ୟୁତପ୍ରଭା ଦେବୀ
ଜଣେ ଲୋକପ୍ରିୟ ନାରୀ କବି ଭାବେ ବିଦ୍ୟୁତପ୍ରଭା ଦେବୀ (୧୯୨୬-୧୯୬୭) ତାଙ୍କ ସମୟରେ ଜଣେ ପ୍ରତିଷ୍ଠିତ ଲେଖିକା ଭାବେ ପରିଚିତ ଥିଲେ। ତାଙ୍କର କବିତା ଗ୍ରନ୍ଥ ମଧ୍ୟରେ ‘ସବିତା’, ‘ମରିଚିକା’, ‘କନକାଞ୍ଜଳି’, ‘ସଞ୍ଚୟନ’, ‘ଝରା ଶିଉଳି’ ଆଦି ଅନ୍ୟତମ। ସରଳ ଓ ସାବଲୀଳ ଭାଷାର ବ୍ୟବହାର ତାଙ୍କ ରଚନାଗୁଡ଼ିକର ସ୍ବତନ୍ତ୍ରତା ଥିଲା।
ନିଜ ବଡ଼ ଭଉଣୀ, ବାସନ୍ତି ଦେବୀଙ୍କ ସହ ମିଶି ୧୯୪୯ ମସିହାରେ ‘ସବିତା’ ନାମରେ ନିଜର ପ୍ରଥମ କାବ୍ୟ ସଙ୍କଳନ ପ୍ରକାଶ କରିଥିଲେ। ତାଙ୍କର କବିତାଗୁଡ଼ିକ ମୁଖ୍ୟତଃ ଗୀତିଧର୍ମୀ ହୋଇଥିଲେ ମଧ୍ୟ ସେ ଅନେକ ଆଧୁନିକ କବିତା ଲେଖିଯାଇଛନ୍ତି। ତାଙ୍କର ଅନେକ କବିତା ଅପ୍ରକାଶିତ ଥିବା ଜଣାପଡ଼ିଛି।
କ୍ରମେ ସବିଶେଷ →