କବି କଳ୍ପିତ ବିଷୟରେ ନିଜର ପୂର୍ଣ୍ଣ ବିଶ୍ବାସ ସମ୍ବନ୍ଧେ ଆମ୍ଭମାନଙ୍କ ମନରେ ଯଦି ଧ୍ରୁବ ଧାରଣ ଆଣିପାରେ, ତା’ହେଲେ ଯେକୌଣସି ଉପସଂହାରରେ ଉପନୀତ ହେଉପଛକେ, ସେଥିରେ ବିଶେଷ କିଛି ଯାଏଆସେ ନାହିଁ। କବିର ଧର୍ମ ବଡ଼ କଥା ନୁହେଁ, କିନ୍ତୁ ସେହି ଧର୍ମ ସମ୍ବନ୍ଧରେ ତା’ଦ୍ବାରା ବିଶ୍ବାସ ଓ ଅନୁରାଗ କବିତାର ପ୍ରଧାନ ଆଲୋଚ୍ୟ ବିଷୟ। (“We will allow the poets any conclusions they like, so long as we are persuaded of their own imaginative good faith’. We are willing to admit that it is not the creed that matters, but the faith and passion with which it is held”.)
ଏଇ ହେଲା ବିଲାତରେ ଜଣେ ଆଧୁନିକ ଖ୍ୟାତନାମା ସମାଲୋଚକ (Drank Water)ଙ୍କର ମତ। ମୋର ବିଶ୍ବାସ, କବିତାର ସମାଲୋଚନା କରିବାକୁ ଗଲାବେଳେ ଏହି ସତ୍ୟଟି ପ୍ରତ୍ୟେକ ସମାଲୋଚକ ମନେରଖିବା ଉଚିତ୍। କବିକୁ ଧରି ବାନ୍ଧି ତୁମର ନିଜ ମତକୁ ଟାଣିଆଣିବା ଏବଂ ତୁମ୍ଭର ନିଜର ମତ ଓ ରୁଚି ଅନୁସାରେ କବିତାର ସମାଲୋଚନା କରିବା, କେତେଜଣ ସିଦ୍ଧହସ୍ତ ଆଲୋଚକଙ୍କ ପକ୍ଷରେ ସମ୍ଭବ ଓ ସୁନ୍ଦର ହୋଇପାରେ, କିନ୍ତୁ ସେଭଳି ବ୍ୟକ୍ତି ଅଛନ୍ତି କେତେ ଜଣ?
ବର୍ତ୍ତମାନ ଓଡ଼ିଆ ସାହିତ୍ୟରେ ଏହି ରୂପରେ ସମାଲୋଚନାର ବିଶେଷ ପ୍ରାଦୁର୍ଭାବ। କେତେକଙ୍କ ମନରେ ଯେଉଁ କବିତା ବା ଲେଖାରେ ‘ଧ୍ବଂସ’, ‘ପ୍ରଳୟ’, ‘ସାମାଜିକ ବିପ୍ଳବ’ ଏବଂ ‘ଅନ୍ଧବିଶ୍ବାସର ସଂସ୍କାର ନିମନ୍ତେ ଉଚ୍ଛୃଙ୍ଖଳ ଆହ୍ବାନ’ ନାହିଁ- ତାହା କବିତା ନୁହେଁ। ପୁଣି ଆଉ କେତେକ କହନ୍ତି, ଯାହା ପୁରାତନ, ଯାହା ପରମ୍ପରାଗତ କବି ଜୀବନର ଅବଲମ୍ବନ, ତାହା ହିଁ କବିତା। ଏ ଧାରଣା ଯେ ଭ୍ରାନ୍ତ- ତାହାର ପ୍ରକୃଷ୍ଟ ପ୍ରମାଣ ସାହିତ୍ୟକମାନେ ପାଇବେ, ସମ୍ପାଦକମାନଙ୍କର ସତ୍ୟର ଗୋପନ ନିମନ୍ତେ ଉଦ୍ଭ୍ରାନ୍ତ ପ୍ରଚେଷ୍ଟାରେ ଏବଂ ସହଜବୋଧ ସରଳ ଶବ୍ଦାବଳୀ ଭାଙ୍ଗିରୁଜି ସେଥିରୁ ଗୋଟାଏ ଅପ୍ରାକୃତ ଅର୍ଥ ବାହାର କରିବାରେ। ମୁଁ ଜାଣେ ମୋର ଏକଥା ମିଥ୍ୟା ବୋଲି ଅନେକ ଚିତ୍କାର କରି ଉଠିବେ, କାରଣ ଅପ୍ରିୟ ସତ୍ୟ କାହାକୁ ଭଲଲାଗେ? ଓଡ଼ିଆ ସାହିତ୍ୟ ଅନୁନ୍ନତ, ଏ ଅନୁନ୍ନତ ଅବସ୍ଥାରେ ମଧ୍ୟ ଜାତିଗତ, ଦଳଗତ ଓ ରାଜକୀୟ ମତଭେଦଜନିତ ବିଦ୍ବେଷ ଏତେ ବେଶୀ ପରିମାଣରେ ସାହିତ୍ୟର ଅଙ୍ଗକୁ ଛିନ୍ନଭିନ୍ନ କରିପକାଇଛି ଯେ, ତାହାର ସର୍ବାଙ୍ଗସୁନ୍ଦର ସମ୍ପ୍ରସାରଣ ଅଯଥା ବ୍ୟାହତ ହୋଇପଡ଼ିଅଛି। ‘ସାହିତ୍ୟ’ ସାର୍ବଜନୀନ। ଏଥିରେ ବ୍ୟକ୍ତିଗତ ବିଶ୍ବାସ, ରୁଚି ଓ ମତର ଯଥେଷ୍ଟ ସ୍ଥାନ ଅଛି। ବିଶ୍ବସଂସାରକୁ ଦୁଇ ବାହୁ ଟେକି ହୃଦୟକୁ ଟାଣିନେବା ବିଷୟରେ, ସାହିତ୍ୟ ଏକା ସକ୍ଷମ। ବିଭିନ୍ନ ଦେଶରେ, ବିଭିନ୍ନ ଯୁଗରେ ଏକ ସମୟର ସାହିତ୍ୟକୁ ନିନ୍ଦା କରିବା ନିମନ୍ତେ ଯେ ସବୁ ଚେଷ୍ଟା କରାଯାଇଛି, ତାହାର ପରିମାଣ ହୋଇଛି- ଜଳ ବୁଦ୍ବୁଦ୍ ପରି। ଯଥେଷ୍ଟ ବାଗ୍ବିତଣ୍ଡା, ଅପର୍ଯ୍ୟାପ୍ତ ନିନ୍ଦା-ଦୁର୍ନାମ ପରେ ମଧ୍ୟ ମିଲ୍ଟନ୍, ପୋପ୍, ଗ୍ରେ, ବାଇରନ୍, ସେଲି, କିଟସ୍, ସ୍ବିନବର୍ଣ୍ଣ, ରସେଟି ବର୍ତ୍ତମାନ ଇଂରାଜୀ ସାହିତ୍ୟରେ ଶ୍ରେଷ୍ଠ କବିପଂକ୍ତି। ଜନ୍ସନ୍ ରାଜନୈତିକ ମତଭେଦ ହେତୁରୁ ମିଲ୍ଟନ୍ଙ୍କର କବିତ୍ବକୁ କୁତ୍ସା କରିଥିଲେ। ଜେଫ୍ରେ ଓ ଅନ୍ୟାନ୍ୟ ସମାଲୋଚକମାନେ ରୁଚିଭେଦ ହେତୁରୁ ୱାର୍ଡ଼ସ୍ୱାର୍ଥ ଓ ସେଲି ପ୍ରଭୃତି କବିମାନଙ୍କୁ କବି ଆଖ୍ୟା ଦେବାକୁ କୁଣ୍ଠିତ ହେଉଥିଲେ। ତଥାପି ଭବିତବ୍ୟ ଯାହାର ଯାହା ପାଉଣା ତାକୁ ତାହା ଦେଇସାରିଛି।
ବିଷୟ ନେଇ କବିର ତୁଳନା ହୋଇପାରେ ନାହିଁ। ବ୍ୟକ୍ତିମାତ୍ରକେ ଭିନ୍ନ ମତ, ଭିନ୍ନ ମାନସିକ ଅବସ୍ଥା। କେହି ସମାଜର କୁସଂସ୍କାରରେ କବିତ୍ବର ପ୍ରେରଣା ପାଉଛନ୍ତି; କେହି ଆଧ୍ୟାତ୍ମିକ ପ୍ରେମରେ, କେହି ଆଧିଭୌତିକ ପ୍ରେମରେ, କେହି ପ୍ରକୃତିର ବାହ୍ୟ ସୌନ୍ଦର୍ଯ୍ୟରେ, କେହି ବା ପ୍ରକୃତିର ଆଭ୍ୟନ୍ତରିଣ ପାରମାର୍ଥିକ ତତ୍ତ୍ବରେ ନିଜ ନିଜ କବି ଜୀବନର ଉନ୍ନେଷ ଅନୁଭବ କରୁଅଛନ୍ତି। ବିଷୟ-କବିତାରେ ଅବାନ୍ତର। ଶିଳ୍ପୀ କେବଳ ଶିଳାରେ ନିଜର ସୌନ୍ଦର୍ଯ୍ୟବୋଧ କଳାଜ୍ଞାନ ଦେଖାଏ ନାହିଁ। କେହି ଶିଳାରେ, କେହି କାଷ୍ଠ ଖଣ୍ଡରେ, କେହି ଧାତବ ପଦାର୍ଥରେ, କେହି କାଗଜରେ। ଦେଖିବାର କଥା, ଗୃହୀତ ଉପାଦାନରେ ଶିଳ୍ପୀ ନିଜର କଳ୍ପିତ ଭାବ ବିକାଶ କରିବାକୁ କେତେଦୂର କ୍ଷମ ହୋଇଅଛି। କେବଳ ବିଷୟ ନେଇ କବିତାର ସମାଲୋଚନା କଲେ ପୃଥିବୀର କବି ଶ୍ରେଣୀର ଅର୍ଦ୍ଧେକଙ୍କୁ ରସାତଳକୁ ଯିବାକୁ ପଡ଼ିବ। ସେଲି ତାଙ୍କର ରାଜନୈତିକ ଓ ସାମାଜିକ ମତରେ ପୂର୍ଣ୍ଣ ବିପ୍ଳବବାଦୀ। ଯଦି ମହାତ୍ମାଗାନ୍ଧୀଙ୍କର ଶିକ୍ଷା ଓ ଦୀକ୍ଷା ଆମ୍ଭମାନଙ୍କ ଦୃଷ୍ଟିରେ ଗ୍ରହଣୀୟ ହୁଏ, ତା’ହେଲେ ସେଲିଙ୍କର କବିତା ତା’ଠାରୁ ଆହୁରି ବେଶୀ ଭୟପ୍ରଦ ହେବା ଉଚିତ୍। ତଥାପି ଆମ୍ଭମାନଙ୍କ ଦେଶର କେତେଜଣ ନରମପନ୍ଥୀ ସେଲିଙ୍କର କବିତାକୁ ଆକ୍ଷେପ କରିବାକୁ ସାହାସୀ ହେବେ? ବର୍ଣ୍ଣାଡ଼ ଶ’ଙ୍କର କବିତା ସ୍ଥାନେ ସ୍ଥାନେ ବଡ଼ ଅଶ୍ଳୀଳ, ବଡ଼ ଅଧୀର ଏବଂ ବଡ଼ ଅସମ୍ଭ୍ରାନ୍ତ। କିନ୍ତୁ କହିବା ନିଷ୍ପ୍ରୟୋଜନ-ତାଙ୍କର ସେହି କବିତା ମଧ୍ୟରୁ ଅନେକେ ଇଂରାଜୀ ସାହିତ୍ୟର ଶ୍ରେଷ୍ଠ କବିତା ଭାବେ ଗୃହୀତ। ଆନାଶେଲ ଫ୍ରାଁ ଓ ରୋମା ରୋଲାଁ ନିଜେ ନିଜେ ବଡ଼ ସାଧୁ-ହୃଦୟ, ଋଷିପ୍ରାଣ, କବି ଓ ଔପନ୍ୟାସିକ। ସେମାନଙ୍କର ନୈତିକ ଜୀବନ ସମ୍ବନ୍ଧରେ ଆକ୍ଷେପ କରିବାର ବ୍ୟକ୍ତି ବଡ଼ କମ୍। ତଥାପି ଯେଉଁମାନେ ଥାୟା ଓ ଜନ୍ କ୍ରିଷ୍ଟୋଫର୍ ପଢ଼ିଥିବେ, ସେମାନେ ଦେଖିଥିବେ ତା’ର ମଧ୍ୟରେ କି ଉଲ୍ଲଂଘ ସୁବ୍ୟକ୍ତ ଅଶ୍ଳୀଳତା, ପାଶବିକ ପ୍ରେମ ଉପଭୋଗର ଜଘନ୍ୟ ଚିତ୍ର ସ୍ଥାନ ପାଇଛି! ତଥାପି ଆମର ହାମ୍ବଡ଼ା ନୈତିକମାନେ କହିପାରିବେ କି ଏହି ଦୁଇଜଣ ଅକବି, ଅଶିଳ୍ପୀ?
କାବ୍ୟର ବିଷୟ ଯାହାହେଉ, ସେହି ବିଷୟରେ ଉଦ୍ବୋଧର ସମ୍ପ୍ରସାରଣ ଓ ସମ୍ପ୍ରସାରଣରେ ହିଁ ପ୍ରକୃତ କବିତ୍ବ ଶକ୍ତି। କବିତାର ବିଷୟ ‘ଯୌବନ’ର ଅବାଧ ଭୋଗେଚ୍ଛା ହୋଇପାରେ। ଅରୁଣ ଆଲୋକରେ ସାମାଜିକ କୁପ୍ରଥା ଓ ଅଜ୍ଞାନର ଉଚ୍ଛେଦ ସାଧନ ହୋଇପାରେ, କୃଷ୍ଣଲୀଳା ହୋଇପାରେ ବା ଚନ୍ଦ୍ରଭାନୁର ପ୍ରଣୟ କାହାଣୀ ହୋଇପାରେ, ତା’ସହିତ ସମାଲୋଚନାର ସମ୍ବନ୍ଧ ନାହିଁ, ତାକୁ ଧରି ସମାଲୋଚକ କବିତାକୁ ବାଜେ ବା ଅପାଠ୍ୟ ଆଖ୍ୟା ଦେଇପାରିବେ ନାହିଁ। ଦେଖିବାକୁ ହେବ ଶିଳ୍ପୀର ସୁବିଧାରେ କି କି ଶିଳ୍ପ ସାମଗ୍ରୀ ଉପସ୍ଥିତ ଥିଲା ଏବଂ ସେହି ସାମଗ୍ରୀର ବ୍ୟବହାରରେ କବି କେତେଦୂର ହସ୍ତନୈପୁଣ୍ୟ, କଳାକୁଶଳତା ଦେଖାଇ ପାରିଛନ୍ତି। ଗ୍ରୀସ୍ ଏବଂ ଇତାଲିର ଶିଳ୍ପୀମାନେ ବଡ଼ ବଡ଼ ପ୍ରସ୍ତର ଖଣ୍ଡର ସାହାଯ୍ୟରେ କୋଣାର୍କ ମନ୍ଦିର ବା ପିରାମିଡ଼ ନିର୍ମାଣ କରିପାରି ନାହାଁନ୍ତି ବୋଲି ସେମାନଙ୍କୁ ଶିଳ୍ପୀ ଶ୍ରେଣୀରୁ ଅନ୍ତରିତ କରିବା ଧିହୀନତାର ପରିଚୟ ମାତ୍ର।
ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀଙ୍କ ଦ୍ବାରା ଏହି ପ୍ରବନ୍ଧଟି ବେଶ୍ କିଛି ବର୍ଷ ପୂର୍ବେ ଲେଖାଯାଇଥିଲେ ସୁଦ୍ଧା ଏହି ଲେଖାର ଗୁରୁତ୍ବ ଆଜି ମଧ୍ୟ ରହିଛି। ତେଣୁ ଏହି ପ୍ରବନ୍ଧଟି ପାଠକମାନଙ୍କ ପାଇଁ ପ୍ରକାଶିତ ହୋଇଛି।