
ଏତିକି କହିବାପରେ ସେ ମନେ ମନେ ପୁଣି ନିଜକୁ ପଚାରିଲା- କବି କିଏ ମ? ସେ କାହିଁକି କଅଣ କହିବାକୁ ଗଲେଟି? ସବୁ ତା’ର ପୁଣି ଗୋଳମାଳ ହୋଇଗଲା। ଆର ପାଖ ଘରେ ଶଙ୍କି ମ୍ୟାଉଁ ମ୍ୟାଉଁ କରି ଉଚ୍ଛନ୍ନ ଭାବରେ ଡାକିଲାଣି। ଇୟାଡ଼େ କବି କିଏ ଆଉ ସେ କଅଣ କହିଲେ ଓ କାହିଁକି କହିବାକୁ ଗଲେ ମିମିର ମନେ ପଡ଼ୁନାହିଁ। ମନେ ମନେ ମିମି ଶଙ୍କିକୁ ତାନେ ଗାଳି ଦେବାକୁ ଲାଗିଲା, ପୋଡ଼ାମୁହିଁ, ପଢ଼ା ସରୁ, ଦଉଚି ତତେ ଟାଙ୍କେ ଛେଚି। ପଢ଼ା କଅଣ ସରିବ ଆଜି ସତେ? ହେ ମହାପ୍ରଭୁ, ହେ ଜଗନ୍ନାଥ, ଏ କବି ପୋଡ଼ାମୁହାଁ କଅଣ କହିଚି ମନେ ପକେଇଦିଅ।
ଏହି ସମୟରେ ବାହାରେ କିଏ ଡାକିଲା-ବାବୁ ଅଛନ୍ତି? ଜୀବନବାବୁ ଚିଡ଼ିଉଠି ଉତ୍ତର ଦେଲେ, ‘ନାଇଁ ବାବୁ ନାହାଁନ୍ତି।’ ବାହାରୁ ଉତ୍ତର ଆସିଲା, ‘ବଡ଼ବାବୁ ଡାକୁଚନ୍ତି, ଶୀଘ୍ର ଆସନ୍ତୁ କଚେରି-କଅଣ ଜରୁରୀ କାମ ଅଛି।’
ଜୀବନବାବୁ ବିରକ୍ତ ହୋଇ କମିଜ ପିନ୍ଧୁ ପିନ୍ଧୁ କହିଲେ, ‘ମୁଁ ଯାଉଚି, ଅଧଘଣ୍ଟା ଭିତରେ ଫେରିବି। ମୁଁ ଯାହା ବୁଝାଇଥିଲି ତାହା ଲେଖିଥିବୁ, ଆଉ ଦ୍ବିତୀୟ ଉଦାହରଣମାଳାର ପାଞ୍ଚ ନମ୍ବର ଅଙ୍କଟି କଷି ରଖିଥିବୁ। ଯଦି ନହେଇଚି ଏତିକି ତ ଦେଖିବୁ ମୁଁ ତୋ’ର କି ଅବସ୍ଥା କରିବି।’
ଜୀବନବାବୁ ତରତର ହୋଇ ଚାଲିଗଲେ। କଚେରିରେ ବଢ଼ି ସଙ୍କ୍ରାନ୍ତ ଜରୁରି କାମ କରୁ କରୁ ତାଙ୍କର ଘଣ୍ଟାଏ ଲାଗିଗଲା। ଘରର ଦାଣ୍ଡ ଦୁଆରମୁହଁ ପାଖରେ ଧୀରେ ପାଦରୁ ଜୋତା କାଢ଼ି, ହାତରେ ଧରି, ଝରକାବାଟେ ଉଙ୍କିମାରି ଦେଖିଲେ ମିମି ଶୋଇଛି ନା ପାଠ ପଢ଼ୁଚି। ଝରକା ବାଟେ ଯାହା ଦେଖିଲେ, ସେଥିରୁ ସେ କିଛି ବୁଝିପାରିଲେ ନାହିଁ। ତାଙ୍କର ବଡ଼ଭାଇ ଓ ସାନଭାଇ ଦୁହେଁ ଖାତା ଉପରେ ନଇଁପଡ଼ି କଅଣ ଲେଖି ଚାଲିଛନ୍ତି। ଅନେକ ଲେଖି ସାରିଲେଣି। ଅନେକ କାଗଜ ଚିରା ହୋଇ ତଳେ ପଡ଼ିଚି। ମିମି ଦୁଇ ଗୋଡ଼ ଲମ୍ବେଇଦେଇ ଶଙ୍କିକୁ କୋଳରେ ବସାଇ ତାକୁ ଥାପୁଡ଼ାଇ ଥାପୁଡ଼ାଇ ଗୀତ ଗାଉଚି, ‘ଧୋରେ ବାୟା ଧୋ, ଯେଉଁ କିଆରିରେ ବହଳ ମାଣ୍ଡିଆ ସେଇ କିଆରିରେ ଶୋ।’
ଘର ଭିତରକୁ ପଶିଆସି ଜୀବନବାବୁ ପଚାରିଲେ- ମିମି ତୋ’ର ଏଇ ପଢ଼ା ହଉଚି?
ମିମି ଚମକିପଡ଼ି ବାପାଙ୍କୁ ଚାହିଁ ଶଙ୍କିକୁ ଛାଟିଦେଲା। ଭୟରେ ମୁହଁ ତା’ର ଏତେ ଟିକିଏ ହୋଇଗଲା, କଳାକାଠ ପଡ଼ିଗଲା।
‘ଇୟେ କଅଣ ହେଉଚି ଭାଇ?’ ଜୀବନବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ।
‘ଅଙ୍କ କଷୁଚୁ ଆବେ। ଛି, ଛି, ଏଇ ଟିକେ ପିଲାକୁ ଏମିତିକା ଅଙ୍କ?’
‘ସରଳ ଗଣିତ’ ଇୟା ନା? ଲେଖକ ନିଜର ପାଣ୍ଡିତ୍ୟ ଦେଖେଇଚି ନା ପିଲାର ବୁଦ୍ଧି କେତେ ବିବେଚନା କରିଚି ଟିକିଏ? ଦେଇତ ଗଲୁ ଅଙ୍କ, କଲୁ ତୁ ନିଜେ ଏକୁ?’
ଜୀବନବାବୁ ଅଙ୍କ ଖଣ୍ଡକ ପଢ଼ିଲେ… ମୁଁ ମୋ ଘରୁ ଡେଲାଙ୍ଗର ଗୋଟିଏ ସଭାକୁ ପାଦରେ ଚାଲି ଯିବି। ସଭାରେ ସନ୍ଧ୍ୟା ୭ଟା ବେଳେ ପହଞ୍ଚିବାର କଥା। ମୁଁ ଯଦି ଘଣ୍ଟାକୁ ତିନି ମାଇଲ ବେଗରେ ଯାଏଁ ତେବେ, ଠିକ୍ ସମୟର ଅଧଘଣ୍ଟାଏ ଆଗରୁ ପହଞ୍ଚିବି। ଯଦି ଘଣ୍ଟାକୁ ଦୁଇ ମାଇଲ ବେଗରେ ଯାଏ ତେବେ ଠିକ୍ ସମୟର ଘଣ୍ଟାକ ପରେ ପହଞ୍ଚିବି। ତେବେ ମୋ ଘରୁ ସଭାସ୍ଥାନ କେତେ ଦୂର? ଅଙ୍କଟି ପଢ଼ି ଜୀବନବାବୁ ବଙ୍କେଇ ତେଢ଼େଇ ଦୁଇ ତିନି ଥର ଅଙ୍କଟିକୁ ଚାହିଁଲେ। କେମିତି ଭାବରେ ଆରମ୍ଭ କରିବେ କିଛି ବୁଝି ପାରିଲେ ନାହିଁ।
ବଡ଼ଭାଇ କହିଲେ, ‘ଆରେ ଅଙ୍କ ତ କଷିବା ଦୂରେ ଥାଉ, ମିମି ଆଗେ ପଚାରି ବସିଲା ସଭା କଅଣ? ସେଠାକୁ ନ ଗଲେ କଅଣ ଚଳନ୍ତା ନାହିଁ ? ବୁଝା, ସଭା କଅଣ ବୁଝା। କୌଣସିମତେ ସଭା କଅଣ ବୁଝାଇଲୁ ଆଗେ। ମିମି ପୁଣି ପଚାରିଲା, ହଉ ହେଲା, ଟିକିଏ ଆଗରୁ ବା ପରେ ପହଞ୍ଚିଲେ ଦୋଷ କଅଣ ଯେ ଏଣୁ ଭାଳେଣି କାହିଁକି? ଏସବୁ ଗୋଳମାଳିଆ ପ୍ରଶ୍ନର ଉତ୍ତର ଦେଉଁ ଦେଉଁ ତ ଗଲା ଅଧଘଣ୍ଟାଏ। ତା’ପରେ ଅଙ୍କ ଧରି ତ ଆମେ ଦୁହେଁ ବସିଚୁ। ମିମିର ଦେଢ଼ଖଣ୍ଡ ଖାତା ଶେଷ ହେବାକୁ ବସିଚି।
ସମସ୍ତେ ହସିଲେ। ଜୀବନବାବୁ କହିଲେ, ‘ହଉ ଥାଉ, ଅଙ୍କ ଥାଉ। ମିମି, ଏ ମିମି, ସାହିତ୍ୟ ହେଇଚି?’
‘ନା, ମୁଁ ଅଙ୍କ କରୁଥିଲି। ବଡ଼ବାପା ଓ ସାନବାପା ମୋତେ ଖାଇବାକୁ ଡାକିଲେ। ମୁଁ କହିଲି- ପଢ଼ା ନ ସାରି ଯିବିନାହିଁ- ପଢ଼ା ନ କଲେ ଭଗବାନ୍ ରାଗିବେ। ସେଇଠୁ ସେମାନେ ଅଙ୍କ ଦେଖି କଷିବାକୁ ବସିଲେ, ମୁଁ…।’
‘ତୁ ଶଙ୍କିକୁ ଶୋଇଦେବାକୁ ବସିଲୁ। ନାଃ, ତୋ’ ଦେଇ ହବ ନାହିଁ; କିନ୍ତୁ ତୋତେ ଆଜି ନ କୁହାଇ ମୁଁ ଛାଡ଼ିବି ନାହିଁ। କହ, ‘ଏ ହୃଦୟ ମୋର ଢାଳିଦେଲି ଆଜି ତୁମରି ପାଦେ ହେ ନାଥ’ ଏହାର ସରଳାର୍ଥ କହ।’ ମିମି ଏଥର ସାହସ ଭରି କହିଲା, ‘ନାଥ ବୋଇଲେ ଜଗନ୍ନାଥ, ଯାହାଙ୍କର ମୁହଁଟି କାଳିଆ, ବଡ଼ ବଡ଼ ଆଖି, ନେଫଡ଼ା ମୁହଁ…।’
ଜୀବନବାବୁ କଟମଟ କରି ଚାହିଁଲେ ମିମିକୁ। କିନ୍ତୁ ବଡ଼ଭାଇ ଥିବାରୁ ସେ ତାଙ୍କ ଭୟରେ ମିମିକୁ କିଛି କହି ପାରିଲେ ନାହିଁ।
କିନ୍ତୁ ବାପାଙ୍କର ବଡ଼ ବଡ଼ ଆଖି ଦେଖି ମିମିର ମୁହଁଟି ଶୁଖିଗଲା। ସବୁ ଉତ୍ସାହ ତା’ର ମରିଗଲା।
ବଡ଼ଭାଇ ବୁଝିପାରି କହିଲେ, ‘ହଁ ଲୋ ମା’, ତୁ ଠିକ୍ କହିଚୁ। ବାଃ, ବେଶ୍ ସୁନ୍ଦର ବୁଝିଚି। ହଁ, ତା’ପରେ-।’
‘ତା’ପରେ, ସେଇ ଜଗନ୍ନାଥଙ୍କୁ ଚାହିଁ କବି ବୋଲି ଜଣେ ଲୋକ କହିଲେ, କହିଲେ…।’
ହଁ, ହଁ, କହିଲେ… ବଡ଼ଭାଇ ଉତ୍ସାହ ଦେଇ ପଚାରିଲେ। ମିମି ସାହସ ପାଇ ତା’ର ବଡ଼ବାପାର କାନେ କାନେ କହିଲା, ‘ଜଗନ୍ନାଥଙ୍କର ପାଦ ନାହିଁ ମୁଁ ଦେଖିଚି। ଆଉ ହୃଦୟଟାକୁ କବିଟା ଢାଳିଦେଲା। ତା’ ବାପା ଗାଳିଦେଲେ। ଆଚ୍ଛା ବଡ଼ବାପା, ହୃଦୟ ଢାଳିଲା କେମିତି?’
ବଡ଼ଭାଇ ମିମିକୁ କୋଳକୁ ଆଉଜାଇ ନେଇ କହିଲେ, ‘ମା’, ତୋ’ ପଢ଼ା ସେତିକି ଥାଉ ଆଜି। ତୁ ଯାହା ପଚାରିଲୁ ତୋତେ ସେକଥା କେହି ବୁଝାଇ ଦେଇପାରିବେ ନାହିଁ। ହୃଦୟକୁ କେମିତି ଢାଳନ୍ତି ସେକଥା ମୁଁ ଏପର୍ଯ୍ୟନ୍ତ ବୁଝିପାରିନାହିଁ, ତୋତେ କଅଣ ବୁଝାଇବି! ଆଉ ସେ କବିଟା ବୁଝିଚି ବୋଲି ମଁ ଭାବୁନାହିଁ।’